ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କର ଦରକାର ନାହିଁ ନେଗେଟିଭ୍ ରିପୋର୍ଟ

0
177

ରିପୋର୍ଟ : ସୁଭାସିସ ନାୟକ
କଟକ,ପୁରୀ,(୦୭/୦୮) : ଦୀର୍ଘ ଦିନ ଧରି ବନ୍ଦ ଥିବା ଶ୍ରୀମନ୍ଦିର ଆସନ୍ତା ୧୬ ତାରିଖରୁ ଖୋଲିବ । ପ୍ରଥମ ୫ ଦିନ ପୁରୀ ସହରବାସୀ ଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି କୁହାଯାଇଥିଲା । ହେଲେ ଦର୍ଶନ ପାଇଁ ଥିବା ନିୟମକୁ ପୁରୀବାସୀଙ୍କ ପାଇଁ କୋହଳ କରିଛନ୍ତି ସରକାର । ମହାପ୍ରଭୁଙ୍କୁ ଦର୍ଶନ ପାଇଁ କେବଳ ପୁରୀ ସହରବାସୀଙ୍କ ପାଇଁ ମନ୍ଦିର ପ୍ରଶାସନ ନୂଆ ନିୟମ ଜାରି କରିଛି ।

ପୁରୀ ବାସୀଙ୍କୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ । ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏହାବାଦ ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ ଜଳାଇବାକୁ ବାରଣ କରାଯାଇଥିବା ବେଳେ ଶ୍ରଦ୍ଧାଳୁ ଆନନ୍ଦ ବଜାରରେ ବସି ପ୍ରସାଦ ସେବନ କରିବାକୁ ମଧ୍ୟ ମନା କରାଯାଇଛି । ଦର୍ଶନ ପାଇଁ ପୁରୀ ପୌରାଞ୍ଚଳର ୩୨ଟି ୱାର୍ଡରେ ଟୋକନ୍ ବଣ୍ଟାଯିବ । ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ପୂର୍ବ ଭଳି କିଓସ୍କ ମାଧ୍ୟମରେ ଟୋକନ୍ ଓ ଆଧାର କାର୍ଡ ଦେଖାଇବେ ।

କିଛି ଦିନ ପୂର୍ବରୁ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଡବଲ ଡୋଜ ଟିକା କିମ୍ବା ଆରଟିପିସିଆର ନେଗେଟିଭ ଜରୁରୀ ବୋଲି କୁହାଯାଇଥିଲା । ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଜରୁରୀ ବୋଲି କୁହାଯାଇଥିଲା । ହେଲେ ପୁରୀ ବାସୀଙ୍କ ପାଇଁ ତାହାକୁ ଉଠାଇ ଦିଆଯାଇଛି । ଏଥିଯୋଗୁ ଭକ୍ତ ମହଲରେ ଆଶ୍ୱସ୍ତି ଖେଳି ଯାଇଛି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଖୋଲିବା ନେଇ ବସିଥିବା ଛତିଶାନିଯୋଗ ବୈଠକ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି ।

୨୧ ଓ ୨୨ ତାରିଖ ଶଟଡାଉନ୍ ଥିବାରୁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା କରାଯାଇଛି । ସେହି ଦୁଇ ଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ୍ କରାଯିବ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ । ସପ୍ତାହାନ୍ତ ଶଟଡାଉନ, ଜନ୍ମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସକ ପକ୍ଷରୁୁ କୁହାଯାଇଛି ।