ଗରିବ ଭୂମିହୀନ ଙ୍କୁ ଘରଡ଼ିହ ସହ ପଟ୍ଟା ପ୍ରଦାନ ନେଇ ତୀବ୍ର ଆନ୍ଦୋଳନ କରାଯିବ : ନରସିଂହ ମିଶ୍ର

0
276

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୧/୦୮) : ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଗରିବ ଭୂମିହୀନ ଙ୍କୁ ଘରଡ଼ିହ ସହ ପଟ୍ଟା ପ୍ରଦାନ ନେଇ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ତଥା ଆଇନ ଅନୁସାରେ ସହର ମଧ୍ୟରେ ସରକାରୀ ଜମିରେ ବସବାସ କରୁଥିବା ଗରିବ, ଖଟିଖିଆ, ଭୂମିହୀନମାନଙ୍କୁ ସରକାର ବିନା ମୁଲ୍ୟରେ ଜମି ଓ ବାସଗୃହ ଯୋଗଇ ଦେବାର ବ୍ୟବସ୍ଥା କରିବା ଉଚିତ ।

ତେଣୁ ଗରିବ ଭୂମିହୀନ ଙ୍କୁ ସରକାର ବିନା ମୂଲ୍ୟରେ ଘର ଓ ଡିହ ପ୍ରଦାନ କରନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି ।

ଜୀବିକା ନିର୍ବାହ ପାଇଁ ବଲାଙ୍ଗିର ସହରର ଆଖ ପାଖ ଅଂଚଳରେ ଅନେକ ଲୋକ ଆସି ସରକାରୀ ଜାଗାରେ ଘର ଖଣ୍ଡେ ତିଆରି କରି ରହିଯାଉଛନ୍ତି । ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ହେଲା ସେପରି ଗରିବ ଭୂମିହୀନ ଲୋକମାନଙ୍କ ଜୀବନ ଧାରଣା ପାଇଁ ସେମାନେ ରହୁଥିବା ଜାଗାରେ ସେମାନଙ୍କୁ ଥଇଥାନ କରିବା ଆବଶ୍ୟକ । ଶ୍ରୀ ମିଶ୍ର ଏଠାରେ କହିଛନ୍ତି ଯେ, ସହର ମଧ୍ୟରେ ନଜୁଲ ଜମିରେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ତତ୍‌କ୍ଷଣାତ ଜମି ପଟ୍ଟା ପ୍ରଦାନ କରିପାରିବ । ଏପରିକି ଜବର୍‌ଦଖଲ୍‌ରେ ଥିବା ପତିତ, ଅନାବାଦି, ପଥର ଚଟାଣ ଇତ୍ୟାଦି କିସମର ଜମିକୁ ମଧ୍ୟ ଗରିବ ଭୂମିହୀନମାନଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଥା ଆଇନ ବ୍ୟବସ୍ଥା ଅନୁଯାୟୀ ସରକାର ତାଙ୍କ ନାଁରେ ବିନା ମୂଲ୍ୟରେ ଘର ଡିହ ପଟ୍ଟା ପ୍ରଦାନ କରିବା ଦରକାର ।

କିନ୍ତୁ ଦୁଃଖର ବିଷୟ, ଦୀର୍ଘ ବର୍ଷରୁ ଗରିବ ଲୋକଙ୍କ ପାଇଁ କରାଯାଇଥିବା ଏହି ଦାବୀକୁ ସରକାର କର୍ଣ୍ଣପାତ କରୁନାହାନ୍ତି । ଦୁଇ ବର୍ଷ ପୂର୍ବେ ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ମ୍ୟୁନିସିପାଲିଟି ପକ୍ଷରୁ ସର୍ଭେ କରାଯାଇ ଜବର୍‌ ଦଖଲ୍‌ରେ ଥିବା ୫ ହଜାର ଲୋକଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଆଜି ପର୍ୟ୍ୟନ୍ତ ସେ ମଧ୍ୟରୁ ଜଣକୁ ମଧ୍ୟ ପଟ୍ଟା ପ୍ରଦାନ କରାଯାଇନାହିଁ । ଓଲଟା ଶୁଣିବାକୁ ମିଳୁଛି ଅନେକ ଆପତ୍ତି ଜନକ ଜମି, ଇଡ୍‌କୋ ଜମିକୁ ଜବର୍‌ଦଖଲ୍‌ କରିଥିବା ଲୋକଙ୍କୁ ଜମି ଅଧିକାର ପତ୍ର ପ୍ରଦାନ କରାଯାଇଛି ।

ଏପରିକି ଗରିବଙ୍କ ପାଇଁ ଥିବା ଏହି ଯୋଜନା ଅନେକ ଜାଗାରେ ଧନୀ ଶ୍ରେଣୀ ଲୋକମାନଙ୍କୁ ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି । ଦୁଇ ବର୍ଷ ପୂର୍ବେ ସହରର ଟ୍ରାଫିକ ବ୍ୟବସ୍ଥାକୁ ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଜିଲ୍ଲାପାଳ କାର୍ୟ୍ୟାଳୟ ସହର ଉପାନ୍ତ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା ବୈଠକରେ ଦାବୀ କରାଯାଇଥିଲା, ଯାହାକି ବର୍ତ୍ତମାନ ମଞ୍ଜୁରି ପାଇ ସାରିଛି ।

ବିଧାୟକ ଶ୍ରୀ ମିଶ୍ର ସ୍ପଷ୍ଟ ମତ ରଖିଛନ୍ତି ଯେ, ସେ ସମୟରେ ଯେଉଁ ସ୍ଥାନରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ (ଯାହାକୁ ବର୍ତ୍ତମାନ ଜିଲ୍ଲାସ୍ତରୀୟ ଲୋକସେବା ଭବନ କୁହାଯାଉଛି) ନିର୍ମାଣ ପାଇଁ ନିରୂପଣ କରାଯାଇଥିଲା, ସେ ଜାଗାରେ ଜିଲ୍ଲାସ୍ତରୀୟ ଲୋକସେବା ଭବନ ତିଆରି କରାଯାଉ । ଯେହେତୁ ବଲାଙ୍ଗିରକୁ ବର୍ତ୍ତମାନ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ ଆସିବାର ଅଛି । ସେ ସବୁର ନିର୍ମାଣ ପାଇଁ ଅନେକ ଜାଗା ଦରକାର ।

ସେସବୁକୁ ନିର୍ମାଣ କରିବା ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ହେବ । ତାହା ସହ ପ୍ରାଥମିକତା ଭିତ୍ତିରେ ସହର ମଧ୍ୟରେ ରହୁଥିବା ଗରିବ ଭୂମିହୀନଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଆଇନର ବ୍ୟବସ୍ଥା ମୁତାବକ ଯଦି ସେମାନେ ନଜୁଲ, ପତିତ, ଅନାବାଦି, ପଥରଚଟାଣ ଇତ୍ୟାଦି ଜାଗାକୁ ଜବରଦଖଲ କରୁଛନ୍ତି ସେମାନଙ୍କୁ ସେଠାରେ ଥଇଥାନ କରାଯାଉ ।

ଜିଲ୍ଲା ପ୍ରଶାସନ ସବୁବେଳେ କହୁଛିି ଭୂମିହୀନଙ୍କୁ ଘର ଡିହ ଦେବା ପାଇଁ ଜାଗା ଚିହ୍ନଟ ସରିଛି ଶୀଘ୍ର ଦିଆଯିବ । କିନ୍ତୁ ଆଜି ପର୍ୟ୍ୟନ୍ତ ପ୍ରଶାସନ ଏ ଦିଗରେ ତିଳେ ମାତ୍ର ଅଗ୍ରସର ହେଉନାହିଁ । ଫଳରେ ଗରିବ ଲୋକମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏଣୁ ଅନୁରୋଧ, ସରକାର ଯେତେ ଶୀଘ୍ର ହେବ ବଲାଙ୍ଗିରରେ ଗରିବ ଭୂମିହୀନଙ୍କ ପାଇଁ ମାଗଣାରେ ଘର ଡିହ ପ୍ରଦାନ କରୁ ନଚେତ ଆଗାମୀ ଦିନରେ ଏହାକୁ ନେଇ ଜନ ଆନ୍ଦୋଳନ ତୀବ୍ର ରୂପ ନିଏ ତେବେ ସରକାର ଦାୟୀ ହେବେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ଚେତାବନୀ ଦେଇଛନ୍ତି ।