ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୧୨-୧୨): ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ଠକେଇ କାରବାରରେ ଦଲାଲି କରୁଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା ମୋଟର୍ସ ଏମଡି ପରିଚୟ ଦେଉଥିବା ଭାବୀ ଜ୍ୱାଇଁଙ୍କ ଜାଲ୍ ସାମ୍ରାଜ୍ୟର ସେ ଥିଲେ ଅନ୍ୟତମ ପୁରୋଧା ।ଆକାଶଙ୍କ ସହ ମିଶି ନିଜ ନିର୍ବାଚନମଣ୍ଡଳୀର ବେକାର ଯୁବତୀମାନଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଉଥିଲେ ପ୍ରଦୀପ ପାଣିଗ୍ରାହୀ । ଆଶାୟୀଙ୍କମାନଙ୍କୁ ଜାଲ୍ ନିଯୁକ୍ତିପତ୍ର ବଦଳରେ ମୋଟା ଅଙ୍କ ଆଦାୟ କରାଯାଉଥିଲା । ବିଧାୟକ ନିଜ ସହଯୋଗୀମାନଙ୍କ ଜରିଆରେ ଏହି କାର୍ଯ୍ୟ ଅନାୟାସରେ କରୁଥିଲେ ବୋଲି ଆଜି କ୍ରାଇମ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୋପାଳପୁର ଅଞ୍ଚଳର ଠକେଇ ଯୁବକଯୁବତୀଙ୍କ ଅଭିଯୋଗ, ଆକାଶ ଠାକୁରଙ୍କୁ ଘନ ଘନ ଜେରା ତଥା ଆକାଶଙ୍କ ପିଏ ଡେଭିଡ୍ ପିଟରଙ୍କ ବୟାନ ଆଧାରରେ କ୍ରାଇମବ୍ରାଞ୍ଚ ଛାନଭିନ୍ ରୁ ମିଳିଥିବା ତଥ୍ୟର ଖୁଲାସା କରିଥିଲେ ଏଡିଜି । ଏହା ତଦନ୍ତରୁ ସ୍ପଷ୍ଟ ହୋଇଛି ବୋଲି ସେ କହିଥିଲେ । ଠକେଇର ଶିକାର ହୋଇ ପୁଲିସର ଆଶ୍ରୟ ନେଇଥିବା ୬ ଜଣଙ୍କ ମଧ୍ୟରୁ ଦୁଇଜଣ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେଇଛନ୍ତି । ଅନ୍ୟ ୪ ଜଣଙ୍କଠାରୁ ଟଙ୍କା ଆଦାୟ କରିଛନ୍ତି ବିଧାୟକଙ୍କ ଖାସ୍ ସହଯୋଗୀ । ଖାଲି ଏହି ୬ ଜଣ ନୁହଁନ୍ତି, ଏହାର ତାଲିକା ବହୁତ ଲମ୍ବା । ଠକେଇର ଶିକାର ହୋଇ ଟଙ୍କା ହରାଇଥିବା ଏଭଳି ଅନେକ ଯୁବକଯୁବତୀ ଭୟରେ ଏ ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି । ତେବେ କାହାରିକୁ ଭୟ ନ କରି ଆଗକୁ ଆସିଲେ ସେମାନଙ୍କୁ ନିଶ୍ଚିତ ନ୍ୟାୟ ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।
ସେପଟେ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଥିବା କ୍ରାଇମବ୍ରାଞ୍ଚ ଆହୁରି ଅନେକ ତଥ୍ୟ ଓଗାଳିବାକୁ ଆଶା ବାନ୍ଧିଛି । ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁର ଯାଇ ଟାଟା ମୋଟର୍ସରେ ଚାକିରି ଠକେଇର ଶିକାର ଆହୁରି କିଛି ଯୁବକଙ୍କୁ ପଚରାଉଚୁରା କରିଛି । ପ୍ରଦୀପ ପାଣିଗ୍ରାହୀଙ୍କ ଖାସ୍ ସହଯୋଗୀ ଜମ୍ବୁପାଣି ସାହୁ ଏବଂ ବୋରିଗାଁ ସରପଞ୍ଚ ବସନ୍ତ ସାହୁଙ୍କୁ ମଧ୍ୟ ଜେରା କରିଛି । ଏମାନଙ୍କ ଜରିଆରେ ପ୍ରଦୀପ ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ।
ସୂଚନାଯୋଗ୍ୟ, ଗତ ୪ ମାସରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଅଢ଼େଇ କୋଟି ଟଙ୍କା ଆସିଛି । ଜିଲ୍ଲାର ମଦ ମାଫିଆ ସୂର୍ଯ୍ୟ ସାହୁ, ରବି ସାହୁଙ୍କଠାରୁ ମୋଟା ଟଙ୍କା ଆସିଛି । ତେବେ ନିଜକୁ ସଚ୍ଚୋଟ ବୋଲାଇ ତାଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି କହିଥିଲେ ପ୍ରଦୀପ ପାଣିଗ୍ରାହୀ । ଭାବୀ ଜ୍ୱାଇଁ ଟାଟା ମୋଟର୍ସରେ ଏମଡି ପଦରେ ଅଧିଷ୍ଠିତ ବୋଲି ମୁହଁଟାଣ ଦେଖାଇଥିଲେ । ସଙ୍ଗୀନ ଦଫାରେ ଗିରଫ ହୋଇ ଝାରପଡ଼ା ଜେଲ୍ ରେ ଏବେ ଦିନ କାଟୁଥିବା ପ୍ରଦୀପ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।