ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର (୦୮/୧୨): ସାରା ରାଜ୍ୟରେ କୁବେର ଆଇଏଫ୍ଏସ୍ ଅଫିସର ଅଭୟକାନ୍ତଙ୍କ ଅମାପ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବଲାଙ୍ଗୀରରେ ବି ବନ ବିଭାଗର ଜଣେ ବଡ଼ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ଦୁର୍ନୀତି ନେଇ ବି ଅନେକ ଅଭିଯୋଗ ପୂର୍ବରୁ ଥିଲା । ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଟିଟିଲାଗଡ଼ ହାଟପଦାପଡ଼ାସ୍ଥିତ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ ।
ଚଢ଼ଉରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ଭିଜିଲାନ୍ସ ପାଇଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗୀର ଡି ଏଫ ଓ ତଥା ଫରେଷ୍ଟ ଗାର୍ଡ ରୁ ଫରେଷ୍ଟର ପାଲଟି ଥିବା ଓ ଜାଲ କାଗଜପତ୍ରରେ ନିଯୁକ୍ତ ଥିବା ନବୀନ ଦାସ ଏହି ବେଆଇନ କାରବାରରେ ସକ୍ରିୟ ଥିବା ନେଇ ତଦନ୍ତ ଚାଲିଥିବା ଜଣାଯାଇଛି। ଉକ୍ତ ଅଭୟକାନ୍ତ ସହ ବଲାଙ୍ଗୀର ଡି ଏଫ ଓ ତଥା ଫରେଷ୍ଟର ନବୀନ ଦାସଙ୍କ ସହ ଲିଙ୍କ ରହିଥିବା ସୂଚନା ମିଳିଛି। ରେଞ୍ଜର ଶ୍ରୀ ନାୟକଙ୍କ ଟିଟିଲାଗଡ଼ ଘର (୭୨ଲକ୍ଷ), ଫାର୍ମହାଉସରେ ସେ କରିଥିବା ଘର (୨୬ଲକ୍ଷ), ପ୍ରାୟ ୪୨୦ ଗ୍ରାମ ସୁନାଗହଣା, ନଗଦ ୨ଲକ୍ଷ ୬୯ ହଜାର ଟଙ୍କା, ଗୋଟିଏ ବଲେରୋ, ଗୋଟିଏ ମହିନ୍ଦ୍ରା ଟିୟୁଭି, ପଲସର ବାଇକ, ଏଲ୍ଆଇସିରେ ଜମା କରିଥିବା ୧୨ଲକ୍ଷ, ୪ଟି ପ୍ଲଟ ଆଦି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏହା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଖୋଲତାଡ଼ ଭିଜିଲାନ୍ସ କରୁଛି । ସେ କେତେ ଟଙ୍କା ଜମା ରଖିଛନ୍ତି ତାହାକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ । ପ୍ରାୟ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ତାଙ୍କର ଥିବା ଅନୁମାନ କରାଯାଉଛି । ଭିଜିଲାନ୍ସ ମୁରିବାହାଲ ରେଞ୍ଜ କାର୍ଯ୍ୟାଳୟରେ ଫାଇଲପତ୍ର ସବୁକୁ ଛାନଭିନ କରିବା ସହ କିଛି କାଗଜପତ୍ର ଜବତ କରିଛି । ଏହାସହ ତାଙ୍କ ଟିଟିଲାଗଡ଼ ବାସଭବନରୁ ଅନେକ କିଛି କାଗଜପତ୍ର ଜବତ ହୋଇଛି ।
ସୂଚନାଯୋଗ୍ୟ,ନବୀକରଣ ଦାୟିତ୍ୱରେ ଥିଲେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ । ତାଙ୍କ ସମୟରେ ୨୦୨୦-୨୧ ବର୍ଷ ପାଇଁ ୭୨୬ କୋଟି ଟଙ୍କା ଅର୍ଥ ବରାଦ ହୋଇଥିଲା । ହେଲେ ଏ ଟଙ୍କା ଜିଲ୍ଲା ସ୍ତରରେ କେମିତି ଖର୍ଚ୍ଚ ହୋଇଛି ଦେଖିଲେ ଜଣାପଡୁଛି କେବଳ କାଗଜପତ୍ରରେ କରାଯାଇଛି ବନୀକରଣ । ବନୀକରଣରେ ମହାଦୁର୍ନୀତି କରାଯାଇଛି । ମୁରିବାହାଲ ରେଞ୍ଜ ସଦର ମହକୁମାରୁ ଅଳ୍ପ ଦୂରରେ ରହିଛି ଘୁଷୁରାମୁଣ୍ଡା ଗ୍ରାମ୍ୟ ଜଙ୍ଗଲ । ସେହି ଜଙ୍ଗଲରେ ଚଳିତ ବର୍ଷ ବନୀକରଣ କାମ ହାତକୁ ନିଆଯାଇଛି । ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କାମକୁ ଦେଖିଲେ ସବୁ କିଛି କାଗଜପତ୍ରରେ କରାଯାଇ ଅର୍ଥ ହରିଲୁଟ ଚାଲିଛି । ଅଧିକାଂଶ ସ୍ଥାନରେ ଗଛ ମରିଯାଉଥିବା ବେଳେ ଆଉ କେଉଁଠି ଚିହ୍ନବର୍ଣ୍ଣ ନାହିଁ । ମୁରିବାହାଲରୁ ବାରବନ୍ଧ ରାସ୍ତାରେ ଲାଗିଥିବା ଫଳକରୁ ଜଣାଯାଏ, ୨୦୨୦-୨୧ ବର୍ଷରେ ବନବିଭାଗ ପକ୍ଷରୁ ମନରେଗାରେ ଏଏନ୍ଆର୍ ବନୀକରଣ କାମ ହୋଇଛି । ପ୍ରକଳ୍ପ ଅଟକଳର ପରିମାଣ ୧୪ଲକ୍ଷ ୬୦ହଜାର ୯୯୮ । ଗତ ୧୫.୩.୨୦୨୦ରୁ କାମ ଆରମ୍ଭ ହୋଇଥିବା ବେଳେ ଏହା ୨୦୨୩ ପର୍ଯ୍ୟନ୍ତ କାମ ସରିବ । ୪୩୦୫ଟି ଶ୍ରମ ଦିବସ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରହିଛି । ଫଳକରୁ ଜଣାଯାଇଛି ୪୦ ହେକ୍ଟର ଜମିରେ ଗଛ ଲଗାଯାଇଛି । ଏବେ ରକ୍ଷଣାବେକ୍ଷଣ ୨୦୨୩ ଯାଏ ଚାଲିବ । ବନୀକରଣରେ ଯେତେ ଗଛ ଲଗାଯିବା କଥା ତାହା ଲାଗିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏପରିକି ଫଳକ ପାଖରେ କିଛି ଗଛ ଲଗାଯାଇ ଭିତରକୁ ଗଲେ ସବୁ ଫମ୍ଫା । ଯାହା ଲାଗିଛି ତାହାକୁ ବି ଠିକରେ ରକ୍ଷଣାବେକ୍ଷଣ କରାଯାଉ ନାହିଁ । ଗଛ ଲଗାଇ ରକ୍ଷଣାବେକ୍ଷଣ ନାଁରେ ବି ଟଙ୍କା ହରିଲୁଟ ଚାଲିଛି ।
ସେହିପରି ମୁରିବାହାଲରୁ ଗୁଡ଼ିଘାଟ ମୁଖ୍ୟ ରାସ୍ତାର ଘୁଷୁରାମୁଣ୍ଡା ଗାଁକୁ ଲାଗି ରହିଥିବା ଜଙ୍ଗଲରେ ବନୀକରଣ ଚଳିତ ବର୍ଷ କରାଯାଇଛି । ପ୍ରକଳ୍ପ ପାଇଁ ୨୫ଲକ୍ଷ ୫୩ହଜାର ୬୦୩ ଟଙ୍କା ଅଟକଳ ରଖାଯାଇ ବନୀକରଣ ହୋଇଛି । ଚାରିଆଡ଼େ ବାଉଁଶ ଘେରା ଦିଆଯାଇଥିବା ବେଳେ ଯେତେ ସଂଖ୍ୟାରେ ଗଛ ଲାଗିବା କଥା ତାହା ଲଗାଯାଇନି । ଅଧାରୁ କମ ସଂଖ୍ୟକ ଗଛ ଲାଗିଥିବା ଓ ତାହା ପୁଣି ଠିକ୍ରେ ରକ୍ଷଣାବେକ୍ଷଣ ହେଉନଥିବା ପଚରାଉଚୁରାରୁ ଜଣାପଡ଼ିଥିଲା । ମୁରିବାହାଲ ବ୍ଲକ୍ ତଥା ରେଞ୍ଜ ଅଞ୍ଚଳ ଜଙ୍ଗଲ ବିଭାଗ ପକ୍ଷରୁ ଚଳିତ ବର୍ଷ କୋଟିକୋଟି ଟଙ୍କା ବନୀକରଣରେ ଖର୍ଚ୍ଚ ହୋଇଛି ।