ୱେବ୍ ଚ୍ୟାନେଲ ବିରୋଧରେ ୫ କୋଟିର ମାନହାନୀ ମକଦ୍ଧମା ଆଣିଲେ ଆଲମ୍ପିଆନ ଦୂତି ଚାନ୍ଦ

0
246

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୦୩/୦୯) : ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ଜୀବନକୁ ନେଇ ବାରମ୍ବାର କଟାକ୍ଷ, ଲଗାତାର ଭିତ୍ତିହୀନ ଓ କପୋଳକଳ୍ପିତ ଖବର ପରିବେଷଣ ସହ ନକାରାତ୍ମକ ଓ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ବଦନାମ କରିବାର ଷଡ଼ଯନ୍ତ୍ର ଭଳି ସଂଗିନ ଅଭିଯୋଗ ଆଣି ୱେବ୍ ଚ୍ୟାନେଲ ର ସଂପାଦକ ଏବଂ ଆଉ ଜଣେ ସୂଚନା ଅଧିକାର କର୍ମୀଙ୍କ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଲମ୍ପିଆନ ଦୂତି ଚାନ୍ଦ

ସିନିୟର ସିଭିଲ ଜଜ୍, ଭୁବନେଶ୍ୱରଙ୍କ କୋର୍ଟରେ ମାନହାନୀ ମୋକଦମା ଦାୟର କରିବା ସହ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ସେହିଭଳି ଉଭୟଙ୍କ ବିରୋଧରେ ମହିଳା ଥାନାରେ ମଧ୍ୟ ଏତଲା ଦାୟର କରିଛନ୍ତି । ଏନେଇ ଦୂତୀ ଏକ ସମ୍ପାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଦୂତି କହିଛନ୍ତି, ମୋ ବିରୋଧରେ ୱେବ୍ ଚ୍ୟାନେଲ ର ସଂପାଦକ ଶୁଧାଂଶୁ ରାଉତ ତାଙ୍କ ଚ୍ୟାନେଲରେ ମିଥ୍ୟ ଓ ଅନ୍ୟାନ୍ୟ ଅପମାନଜନକ ଶୀର୍ଷକରେ ଖବର ପ୍ରକାଶ କରୁଛନ୍ତି । ଟୋକିଓ ଅଲିମ୍ପିକ୍ସ ବେଳୁ ସଂପୃକ୍ତ ସଂପାଦକ ମୋତେ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି ।

ସେହିଭଳି ନିଜକୁ ସୂଚନା ଅଧିକାର କର୍ମୀ କହୁଥିବା ପ୍ରଦୀପ ପ୍ରଧାନ ନାମକ ଜଣେ ବ୍ୟକ୍ତି ମୋ ପରିବାର, ବ୍ୟକ୍ତିଗତ ଜୀବନକୁ ନେଇ ସାମାଜିକ ଗଣମାଧ୍ୟମରେ ନାନା ଆକ୍ଷେପମୂଳକ ଲେଖା ପୋଷ୍ଟ କରୁଛନ୍ତି । ସେମାନେ ମୋତେ ହାରାସ କରି ଆସୁଛନ୍ତି । ମୋ ବିରୋଧରେ ଖବର ପ୍ରକାଶ କରିବାର ଧମକ ଦେଇ ନିୟମିତ ବ୍ଲାକ୍ମେଲ୍ କରୁଛନ୍ତି । ମୋ ବନ୍ଧୁ ଓ ଶୁଭେଚ୍ଛୁଙ୍କୁ ବି ଛାଡ଼ୁନାହନ୍ତି । ଏଥିଲାଗି ମୋର ସମ୍ମାନହାନୀ ହେଉଛି । ଖେଳ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ୁଛି । ମୋ ପ୍ରଶିକ୍ଷକ ଓ ପୃଷ୍ଠପୋଷକଙ୍କୁ ବି ବଦନାମ କରାଯାଉଛି ବୋଲି ସେ କହିଛନ୍ତି ।

ଜଣେ କ୍ରୀଡ଼ାବିତ୍ ବିରୋଧରେ ଏଭଳି କାମ କରି ସେମାନେ ଖାଲି ମୋର ନୁହେଁ ଓଡ଼ିଶା ଓ ସର୍ବୋପରି ଭାରତବର୍ଷର କ୍ଷତି କରୁଛନ୍ତି । ସେଥିପାଇଁ ମୁଁ ଏମାନଙ୍କ ବିରୋଧରେ ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି । ନ୍ୟାୟ ବ୍ୟବସ୍ଥାରେ ସଂପୂର୍ଣ୍ଣ ଆସ୍ଥା ରହିଛି । ମୋତେ ନ୍ୟାୟ ମିଳିବ ବୋଲି ଦୃଢ଼ ବିଶ୍ୱାସ ଅଛି । କ୍ରୀଡ଼ା ଜୀବନ ପରିବର୍ତ୍ତେ ବ୍ୟକ୍ତିଗତ ଜୀବନକୁ ନେଇ ଏମାନେ କରୁଥିବା ଚର୍ଚ୍ଚା ପାଇଁ ଦିନକୁ ଦିନ ମୋ ମନୋବଳ ଦୁର୍ବଳ ହୋଇଚାଲିଛି । କୋହ ସମ୍ଭାଳି ନପାରି ଦୁଃଖରେ କାନ୍ଦି ପକାଇଥିଲେ ଦୂତି । କହିଥିଲେ, ‘‘ମୁଁ ସବୁବେଳେ ରାଜ୍ୟ ପାଇଁ ଗୌରବ ଆଣିଛି । ଓଡ଼ିଆ ଭାବେ ଗର୍ବ କରୁଛି ଏବଂ କରିଚାଲିବି ମଧ୍ୟ । ଜଣେ ଓଡ଼ିଆ ଝିଅକୁ ଓଡ଼ିଶାର କିଛି ଲୋକ ବଦନାମ କରିବା ସବୁଠୁ ବେଶି ବାଧିଛି । ନ୍ୟାୟ ନମିଳିଲେ ବାଧ୍ୟ ହୋଇ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯିବି ।’’

ସେ ଆହୁରି କହିଥିଲେ ଯେ ଟୋକିଓ ଅଲିମ୍ପିକ୍ସକୁ ଯିବା ବେଳୁ ଏହି ୱେବ୍ଚ୍ୟାନେଲର ସ୍ମୃତି ରଞ୍ଜନ ନାମକ ଜଣେ ସାମ୍ବାଦିକ ମୋତେ ଫୋନ୍ କରି ନାନା କଥା କହିଥିଲେ । ଇଭେଣ୍ଟ ଚାଲିଥିଲା ବେଳେ ବାରମ୍ବାର ମାନସିକ ଚାପ ସୃଷ୍ଟି କରିଥିଲେ । ସୁଧାଂଶୁ ରାଉତ ମୋତେ ବହୁତ ହଇରାଣ ହରକତ କରିଥିଲେ । ଏଣୁ ମୁଁ ବାଧ୍ୟ ହୋଇ ଆଜି ତାଙ୍କ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି । ମୋ ବିରୋଧରେ ହାଇକୋର୍ଟରେ ମାମଲା ଦାୟର କରିଥିବା ସେ ଦାବି କରୁଛନ୍ତି । ହେଲେ ମୋତେ ଏପର୍ଯ୍ୟନ୍ତ ଏଥିନେଇ କୌଣସି ନୋଟିସ୍ ମିଳିନାହିଁ । ଏହି ଅବସରରେ ଦୂତିଙ୍କ ପ୍ରଶିକ୍ଷକ ଶିବ ମିଶ୍ର ଏବଂ ଆଇନ ପରାମର୍ଶଦାତା ଅମୃତା ନନ୍ଦା ଉପସ୍ଥିତ ଥିଲେ ।