ଟିଉମର ରୋଗରେ ପୀଡିତ ରୋଗୀ କରୁଛନ୍ତି ଜୀବନ ସହ ସଂଘର୍ଷ : ବିଧବା ମାଆ ଅସହାୟ

0
195

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
କାଶୀପୁର,(୨୪/୮) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଦୁର୍ଗମ ଅଞ୍ଚଳ କୁହାଯାଉ ଥିବା ସଙ୍କରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ ପୁକେଲ ଗ୍ରାମ ର ବାପ ଛେଉଣ୍ଡ ଜଣେ ଆଦିବାସୀ ଯୁବକ ଦୀର୍ଘ ୪ ବର୍ଷ ଧରି ଅଣ୍ଟାରେ ଏକ ଟିଉମର ରୋଗରେ ପୀଡିତ ଥାଇ ଜୀବନ ସହ ସଂଘର୍ଷ କରୁଛନ୍ତି । ହେଲେ ବିଧବା ମାଆ ଧାର କରଜ କରି ପୁଅ ର ଚିକିତ୍ସା ପାଇଁ କାଶୀପୁର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନେଇଥିଲେ କିନ୍ତୁ ଚିକିତ୍ସା ରେ ସଫଳ ହେଇ ନ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗ କୁ ଅନେକ ଗୁହରୀ ସତ୍ତ୍ୱେ ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି ।

ଟିଉମର ରୋଗରେ ପୀଡିତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ଉକ୍ତ ଯୁବକ ଜଣକ ହେଲେ ଦିଉଡୁ ମାଝି ବୟସ ପ୍ରାୟ (୧୭/୧୮) ବାପାଙ୍କର ମୃତ୍ୟୁ ପରେ ମାଆ ସୋଦ୍ରୀ ଘର ର ଦାଇତ୍ୱ ନେଇଥିଲେ । ଡଙ୍ଗର ଚାଷ ସହ ଜଙ୍ଗଲ ରୁ କାଠ ସଂଗ୍ରହ କରି ଟିକିରି ରେ ବିକ୍ରି କରି ଯାହା ରୋଜଗାର ହୁଏ ଏଥିରେ ମାଆ ସୋଦ୍ରୀ ଓ ଦିଉଡୁ ବଞ୍ଚିଥାନ୍ତି । ଏଭଳି ସ୍ଥିତିରେ ୪ ବର୍ଷ ପୂର୍ବରୁ ଦିଉଡୁ ଙ୍କ ମେରୁଦଣ୍ଡ ଓ ଅଣ୍ଟା ଉପରକୁ ଏକ ଛୋଟିଆ ମାଂସ ପିଣ୍ଡୁଳା ଟିଏ ଦେଖିବା କୁ ମିଳିଥିଲା । ପରବର୍ତ୍ତୀ ସମୟ ରେ ଏହା ଆକାର ବୃଦ୍ଧି ହେବା ସହ ଯନ୍ତ୍ରଣା ଆରମ୍ବ ହେବାରେ ଲାଗିଲା ।

ଏଭଳି ଅଭାବ ଅନାଟନ ସତ୍ତ୍ୱେ ମଧ୍ୟ ଅଣ୍ଟା ଭିଡ଼ିଥିଲେ ପୁଅର ଚିକିତ୍ସା ପାଇଁ ଗାଁ ଲୋକଙ୍କ ଠାରୁ ଧାର କରଜ କରି ପ୍ରଥମେ ରାୟଗଡା ନେଇଥିଲେ ପୁଣି କୋରାପୁଟ, ପରବର୍ତ୍ତୀ ସମୟରେ ତାଙ୍କୁ ବ୍ରହ୍ମପୁର ଏଭଳି କି ଦେଶର ସର୍ବୋଚ୍ଚ ଚିକିତ୍ସାଳୟ କୁହାଯାଉଥିବା ଭୁବନେଶ୍ୱର ସ୍ଥିତ ଏମ୍ସ କୁ ମଧ୍ୟ ନେଇଯାଇଥିଲେ ।

କିନ୍ତୁ ଦୁର୍ଭାଗ୍ୟ ତାଙ୍କ ର ଚିକିତ୍ସା ବଦଳରେ କେବଳ ଉଚ୍ଚ ଚିକିତ୍ସା ର ଆବଶ୍ୟକତା କହି ଘରକୁ ଫେରେଇ ଦିଆଗଲା । ବର୍ତ୍ତମାନ ସର୍ଭହରା ପରେ ଘରେ ରହି ଜୀବନ ସହ ସଂଘର୍ଷ କରୁଛନ୍ତି ଦିଉଡୁ ପୁଣି ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି ମାଆ ସୋଦ୍ରୀ । ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ହେଉଥିବା ବେଳେ ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ ଏପଟେ ପେଟ ର ଚିନ୍ତା ଉଭୟଙ୍କୁ ଘରିଛି । ଲୋକଙ୍କୁ ଦେଖି ତାଙ୍କ ପାଖକୁ ପାଗଳଙ୍କ ଭଳି ଦୌଡ଼ିଯାଇ ତାଙ୍କ ଜୀବନ ବଞ୍ଚେଇବାକୁ ଆକୁଳ ନିବେଦନ କରୁଛନ୍ତି ।

ଏ ସଂକ୍ରାନ୍ତରେ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଯୋଗାଯୋଗ କରି ସ୍ଥିତି ଉପରେ ଆଲୋଚନା କରିବାରୁ ସେ କହିଥିଲେ ଯେ, କୌଣସି କାରଣ ରୁ ପ୍ରଶାସନିକ ସହାୟତା ଦେବାରେ ବିଳମ୍ବ ଦେଖାଦେଇଛି । ଯୁବକଙ୍କ ଅକାଳ ମୃତ୍ୟୁ ପୂର୍ବରୁ ପ୍ରଶାସନିକ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବି ହେଉଛି ।