Friday, March 29, 2024

Top 5 This Week

Related Posts

ଭୁବନେଶ୍ୱର ରେଳ ଷ୍ଟେସନ ମଲ୍ଟି ହବ୍ ପ୍ରକଳ୍ପକୁ ନେଇ ଅନିଶ୍ଚିତତା; ୪ ବର୍ଷ ବତିଲା ହୋଇପାରିଲାନି ଟେଣ୍ଡର

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୨୩/୦୭): ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ରାଜ୍ୟ ସରକାର ୨୦୧୬ରୁ ଯୋଜନା କରିଥିଲେ ମଧ୍ୟ ଏବେ ଯାଏ ତାହା ଶେଷ ହୋଇପାରି ନାହିଁ । ଇତି ମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ । ଏପରି ସ୍ଥଳେ ୨୦୧୯ରେ ପୂର୍ବ-ତଟ ରେଳ ପଥ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଏମ୍ଓୟୁକୁ ୨ ବର୍ଷ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇନାହିଁ । ଚୁକ୍ତି ଅନୁଯାୟୀ ଆଉ ୮ ମାସ ମଧ୍ୟରେ କାର୍ଯ୍ୟ ଶେଷ ନ ହେଲେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ କି ନାହିଁ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ଏକ ୪ ତାଲା ବିଶିଷ୍ଠ ମଲ୍ଟି ହବ ହେବା ନେଇ ୨୦୧୬ ଡିସେମ୍ବରରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ରାଜ୍ୟ ସରକାର ଭୁବନେଶ୍ୱର ଉନ୍ନୟନ କତୃପକ୍ଷ(ବିଡିଏ)କୁ ଅନୁମତି ମଧ୍ୟ ପ୍ରଦାନ କରିଥିଲେ । ଯେଉଁଥିପାଇଁ ନଭେମ୍ବର ମାସ୨୦୧୬ରେ ସଂରକ୍ଷିତ ଟକେଟ ସିଷ୍ଟମ ଏବଂ ଟିକେଟ ବୁକିଂ କାଉଁଣ୍ଟରକୁ ଅସ୍ଥାୟୀ ଭାବେ ବାମ ପାଶ୍ୱରେ ତିଆରି କରାଯାଇଥିବା ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏହାକୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ନାହିଁ ।

ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭୁବନେଶ୍ୱର ରେଳ ଷ୍ଟେସନ ଡିଜାଇନକୁ ପରିବର୍ତ୍ତନ କରି ନୂଆ ଡିଜାଇନ ପ୍ରସ୍ତୁତ କରିବାକୁ ବିଡିଏ ଏବଂ ପୂର୍ବ-ତଟ ରେଳ ବିଭାଗ ମଧ୍ୟରେ ୨୦୧୭ ସେପ୍ଟେମ୍ବରରେ ଆଲୋଚନା ହୋଇଥିଲା । ନୂଆ ଡିଜାଇନ ପ୍ରସ୍ତୁତ କରିବା ପରେ ଏମ୍ଓୟୁ ସ୍ୱାକ୍ଷରିତ ହେବ ବୋଲି କୁହାଯାଇଥିଲା । ବିଡିଏ ଅନ୍ୟ ଘରୋଇ ସଂସ୍ଥା ସହ ଯୋଗାଯୋଗ କରି ନୂଆ ଡିଜାଇନ ପ୍ରସ୍ତୁତ କରିବାରେ ବହୁତ ବିଳମ୍ବ କରିଥିଲେ । ଯେଉଁଥି ପାଇଁ ଏମଓୟୁ ସ୍ୱାକ୍ଷର କରିବାରେ ବିଳମ୍ବ ହୋଇଥିଲା । ଶେଷରେ ୨୦୧୯ ସେପ୍ଟେମ୍ବର ୧୯ ତାରିଖରେ ନୂଆ ଦିଲ୍ଲୀ ରେଳ ବିଭାଗ ସହ ରାଜ୍ୟ ସରକାରଙ୍କ ଏମଓୟୁୁ ସ୍ୱାକ୍ଷରିିତ ହୋଇଥିଲା । ଏମଓୟୁ ସ୍ୱାକ୍ଷରିତ ହେବାକୁ ଦୁଇ ବର୍ଷ ବିତିବାକୁ ବସିଥିବା ବେଳେ ଟେଣ୍ଡର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନି ।

ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏମଓୟୁ ସ୍ୱାକ୍ଷରିତ ହେବାର ୩୦ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଚୁକ୍ତି ହୋଇଥିବା ବେଳେ ଇତି ମଧ୍ୟରେ୨୨ ମାସ ପୁରି ଯାଇଛି । ଆଉ ୮ ମାସ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଏହି କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ । ତେବେ ଏତେ କମ ସମୟ ମଧ୍ୟରେ ଟେଣ୍ଡର କରି କାର୍ଯ୍ୟ ଶେଷ କରିବା ଏକ ପ୍ରକାଶ ଅସମ୍ଭବ ଭଳି ମନେ ହେଉଛି । ଏପରି ସ୍ଥଳେ ଏହି ମଲ୍ଟି ହବ ପ୍ରକଳ୍ପର ଭବିଷ୍ୟତ କଣ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ରେଳ ବିଭାଗ ଏଥିରେ ରାଜି ନ ହୁଏ, ରାଜ୍ୟ ସରକାର ଏତେ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ନିର୍ମାଣ କରିବେ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles