ସିଏଚଏସଇକୁ ଘାରିଛି ବିକଳ୍ପ ମାର୍କିଂ ଚିନ୍ତା: ଆସନ୍ତାକାଲି ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୦/୦୬): ରାଜ୍ୟରେ + ୨ ପରୀକ୍ଷା ଲାଗି ବିକଳ୍ପ ବ୍ୟବସ୍ଥାରେ ମାର୍କିଂ ନେଇ ସିଏଚଏସଇ କସରତ ଚଳାଇଛି । ପିଲାଙ୍କୁ ବିନା ପରୀକ୍ଷାରେ କିପରି ସାର୍ଟିଫିକେଟ୍ ଦିଆଯିବ ସେଥିଲାଗି ବିଚାର ବିମର୍ଶ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ କେଉଁ ପଦ୍ଧତିରେ ମୁଲ୍ୟାଙ୍କନ କରାଯିବ ଏବଂ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳ ପ୍ରକାଶ ପାଇବ ସେଥିଲାଗି ପ୍ରକିୟା ଆରମ୍ଭ ହୋଇଥିବା ବେଳେ ବୁଧବାର ଥିଲା ସମୀକ୍ଷାର ତୃତୀୟ ଦିବସ । ୧୪ଜଣିଆ ବିଶେଷଜ୍ଞ କମିଟି ପକ୍ଷରୁ ବିଭିନ୍ନ ମହଲରୁ ମତାମତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତଙ୍କ ତାଲିକା ପ୍ରସ୍ତୁତ କରାଯାଇ ମତାମତ ସଂଗ୍ରହ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ କିପରି ଥିଓରୀ ମାର୍କିଂ ଲାଗି ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ ବିଚାର ବିମର୍ଶ କରିବା ଲାଗି ବିଭିନ୍ନ ମତ ସଂଗ୍ରହ ହୋଇଛି । ଯେଉଁ ତାଲିକାରେ ବିଭିନ୍ନ ଡିଗ୍ରୀ କଲେଜ, ଜୁନିୟର କଲେଜ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସରଙ୍କ ମତ ସଂଗ୍ରହ କରାଯାଇଛି । +୨ ଫାଇନାଲ୍ ପରୀକ୍ଷା ହୋଇନଥିବା ବେଳେ ପ୍ରଥମ ବର୍ଷ ପରୀକ୍ଷା ମଧ୍ୟ ହୋଇନାହିଁ । ଫଳରେ କେଉଁ ଆଧାରରେ ପିଲାଙ୍କୁ ସାର୍ଟି ଫିକେଟ୍ ମିଳିବ ତାହା ଚିନ୍ତାର କାରଣ ପାଲଟିଛି । ତେବେ ଗଠିତ ବିଶେଷଜ୍ଞ କମିଟିର ୨ୟ ବୈଠକ ଆସନ୍ତା ୧୧ତାରିଖରେ ବସିବ ବୋଲି ଧାର୍ଯ୍ୟ ହୋଇଛି, ଏହାପୂର୍ବରୁ କିଛି ଠୋସ୍ ‘ଫର୍ମୂଲା’ ନେଇ ବିଶେଷଜ୍ଞମାନେ ଉଦ୍ୟମ କରୁଛନ୍ତି ।

ପ୍ରକାଶଥାଉ କି, ରାଜ୍ୟରେ ୨୦୬୨ଟି ଜୁନିୟର କଲେଜ ରହିଛି । କଳା,ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ସାଢେ଼ ୩ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ । ମାତ୍ର କରୋନା ଲାଗି ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପରୀକ୍ଷାକୁ ବାତିଲ କରାଯାଇଛି । ତେଣୁ କେଉଁ ଆଧାରରେ ମାର୍କିଂ କରାଯିବ, ସେଥିଲାଗି ବିଶେଷଙ୍କ କମିଟି ରାଜ୍ୟର ଶିକ୍ଷାବିତଙ୍କ ମତାମତକୁ ଗୁରୁତ୍ୱ ଦେଇ ବିଚାର କରିବାକୁ ଯାଉଛି । ତେବେ ତୃତୀୟ ଦିନରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନଥିବା ବେଳେ ଆଜି ପ୍ରାୟ ୧୭ଜଣ ଶିକ୍ଷାବିତଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି ।
ଶୁକ୍ରବାର ହେବାକୁ ଥିବା ୨ୟ ବୈଠକରେ ପୂର୍ବ ପ୍ରସ୍ତୁତ ରୋଡ୍ମ୍ୟାପ୍ରେ ଯେଉଁ ସବୁ ତଥ୍ୟ ଉପସ୍ଥାପନ କରାଯିବ ତାହାର ରେକର୍ଡିଂ କରାଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ସେହିପରି କମିଟି ପାଖରେ ୧୦ଦିନ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଆଗକୁ କିଛି ସରକାରୀ ଛୁଟିଥିବାରୁ କମିଟି ନିଷ୍ପତ୍ତିରେ ସାମନ୍ୟା ବିଳମ୍ବ ହେବାର ଆଶଙ୍କା ରହିଛି । ଚର୍ଚ୍ଚାହେଉଛି, ଆସନ୍ତା ୨୦ତାରିଖ ମଧ୍ୟରେ କମିଟି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବ । ସେହିପରି ରେଜଲ୍ଟ ପ୍ରକାଶ ପାଇବା ପରେ ଆଗକୁ +୨ ଏବଂ +୩ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ତେଣୁ କେଉଁ ଆଧାରରେ ଚଳିତବର୍ଷ ନାମଲେଖା ପ୍ରକ୍ରିୟା ହେବ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ଅପରପକ୍ଷେ +୨ ପ୍ରଥମବର୍ଷ ବିଜ୍ଞାନ ନାମଲେଖା ଲାଗି ପୂର୍ବବର୍ଷଗୁଡ଼ିକରେ ଯେଉଁ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା ଚଳିତବର୍ଷ ସେଥିରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: