ସଡକ ସୂରକ୍ଷା,ସାଇବର ଠକେଇ ଓ ନାରୀ ଶଶକ୍ତୀକରଣ ସଚେତନତା ବୈଠକ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୨୧/୦୨): ସଡକ ସୂରକ୍ଷା ମାସ ପାଳନ ଅବସରରେ କାଲି ୧୧.୩୦ ଘଣ୍ଟା ସମୟରେ ଜି.ଉଦୟଗିରି ପୋଲିସ ପକ୍ଷରୁ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଥାନା ଅଧିକାରୀ ନରେଶ କୁମାର ସାହୁଙ୍କ ତତ୍ତ୍ବାବଧାନରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ବୈଠକରେ ମୂଖ୍ୟ ଅତିଥି ଭାବେ ମହିଳା କମିଶନ ସଦସ୍ୟା,ଓଡିଶା ସୁଶ୍ରୀ ଜାଲୀନା ପ୍ରୀୟଦର୍ଶନୀ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ ଏଣୁ ସଡକ ସୂରକ୍ଷା ନିୟମ ମାନି ନିଜ ଜୀବନ ନିଜେ ସୂରକ୍ଷା ରଖନ୍ତୁ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିବା ବେଳେ ବର୍ତ୍ତମାନ କରୋନା ମହାମାରୀ ଠାରୁ ବି ଭୟଙ୍କର ବ୍ୟାଧି ସାଇବର ଠକେଇ ଅଟେ ବୋଲି ମଧ୍ୟ ପ୍ରକାଶ କରିଥିଲେ।ସାଇବର ଅପରାଧୀ ଭିନ୍ନଭିନ୍ନ ଉପାୟରେ କିପରି ଠକନ୍ତି ଏବଂ ଜନ ସାଧାରଣ ଲୋଭର ବଶବର୍ତ୍ତୀ ହୋଇ କିପରି ନିଜ କଷ୍ଟାର୍ଜୀତ ସଞ୍ଚୟକୁ ଖୁବ କମ୍ ସମୟ ମଧ୍ୟରେ ସାଇବର ଅପରାଧୀ ହାତରେ ଟେକି ଦିଅନ୍ତି ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଥିବା ବେଳେ ଆମ ଅଞ୍ଚଳର କିଛି ଲୋକ ମଧ୍ୟ ସାଇବର ଠକାମୀର ଶିକାର ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ।ବିଜ୍ଞାନ ଆଗକୁ ବଢୁଥିବା ବେଳେ ଠକାମୀର ଢଙ୍ଗ ମଧ୍ୟ ଉନ୍ନତ ମାନରେ ବଦଳୁଛି ,ଯେପରିକି ଫେସବୁକ୍ ହ୍ୟାକ ହେଉ ଅବା ଫେକ କଲ ଆଦି ମାଧ୍ୟମରେ ସାଇବର ଲୁଟେରା ଲୁଟୁଛନ୍ତି। ଏଥି ସହ ଛାତ୍ରଛାତ୍ରୀ ନିଜର ଆଧାର କାର୍ଡ ନମ୍ବର,ବ୍ୟାଙ୍କ ଏଟିଏମ ନମ୍ବର କିମ୍ବା ନିଜ ସଞ୍ଚୟ ସମ୍ବନ୍ଧିତ କିଛି ତଥ୍ୟ ଫୋନ ମାଧ୍ୟମରେ କିଏ ମାଗିଲେ ତାକୁ ନ ଦେବା ସହ ନିଜର ଆତ୍ମୀୟ ମାନଙ୍କୁ ମଧ୍ୟ ଏ ବାବଦରେ ନ ଦେବାକୁ ସଚେତନ କରାଇବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ମୂଖ୍ୟ ଅତିଥି ମହିଳା କମିଶନ ସଦସ୍ୟା ସୁଶ୍ରୀ ପ୍ରୀୟଦର୍ଶନୀ ନିଜକୁ କଳିଙ୍ଗ ମହାବିଦ୍ୟାଳୟର ଜଣେ ପୂର୍ବତ୍ତନ ଛାତ୍ରୀ ଭାବେ ମୁଁ ଗର୍ବୀତ ବୋଲି କହିବା ସହ ନାରୀ ଶଶକ୍ତୀକରଣ ବିଷୟରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ। ଛାତ୍ରୀ ମାନେ ଆତ୍ମସୂରକ୍ଷା କୌଶଳ ଆପଣାନ୍ତୁ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବାକୁ ଛାତ୍ରୀ ମାନଙ୍କୁ ଛାତ୍ର ମାନେ ସହଯୋଗ କରନ୍ତୁ ବୋଲି ମଧ୍ୟ ପରାମର୍ଶ ଦେଇଥିଲେ।ଏଥି ସହ ଦୃଢ ପ୍ରଚେଷ୍ଟା ବଳରେ ଆଗକୁ ବଢିବା ସମ୍ଭବ ହୋଇପାରିବ ବୋଲି ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଶ୍ରୀ ମେହେର ଏବଂ ଅଧ୍ୟାପକ ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଆଜିର ବୈଠକର ବିଷୟ ବସ୍ତୁକୁ ଛାତ୍ରଛାତ୍ରୀ ମାନେ ହୃଦୟଙ୍ଗମ କରି ନିଜେ ସଚତନ ହେବା ସଙ୍ଗେସଙ୍ଗେ ଅନ୍ୟମାନଙ୍କୁ ସଚେତନ କରାଇବାରେ ସହାୟକ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ।ଅନ୍ତିମ ପର୍ଯ୍ୟାୟରେ ମହାବିଦ୍ୟାଳୟର ଫିଲୋସଫି ଅଧ୍ୟାପିକା ପ୍ରୀୟମ୍ବଦା ତ୍ରୀପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକକୁ ସାଙ୍ଗ କରିଥିଲେ।

Welcome to Odisha News24

error: Content is protected !!
%d bloggers like this: