ରାୟଗଡା ସହରର ଆମିଷ ବଜାରରେ ସଫା ହେଉନାହିଁ ଆବର୍ଜନା ତଥା ବର୍ଜ୍ୟବସ୍ତୁ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୩/୦୬): କରୋନା ମହାମାରୀର ମାରାତ୍ମକ ପ୍ରଭାବରୁ ନିରୀହ ଜନସାଧାରଣ ଙ୍କୁ ଦୁରେଇ ରଖିବା ପାଇଁ ତଥା କରୋନା କଟକଣା ଓ ସାମାଜିକ ଦୂରତା ରକ୍ଷା କରିବା ଉଦ୍ଧେଶ୍ୟରେ ରାୟଗଡା ପୌରପରିଷଦ ସହରର ସମସ୍ତ ଆମିଷ ଦୋକାନକୁ ଜିସିଡି ଖେଳ ପଡିଆକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରିଛନ୍ତି l କିନ୍ତୁ, ବିଡମ୍ବନାର ବିଷୟ ଯେଉଁ ସାମାଜିକ ଦୂରତ୍ୱରକ୍ଷା ପାଇଁ ରାୟଗଡା ପୌରପାଳିକା ଏହି ନିଷ୍ପତ୍ତି ନେଇଛନ୍ତି ତାହାହିଁ ଅବମାନନା ହେଉଛି |

ନା କୌଣସି ଗ୍ରାହକ କରୋନା ନୀତି ଅନୁସରଣ କରୁଛନ୍ତି, ନା ଦୋକାନୀ, ନା ରହୁଛି ସାମାଜିକ ଦୂରତ୍ୱ, ଏଠାରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଲକୁଲ ଧ୍ୟାନ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଆମିଷ ବ୍ୟବସାୟୀ ଆମିଷ ବିକ୍ରୀ କରି ସାରିବାପରେ ଏଣେତେଣେ ଆବର୍ଜନା ଫୋଫାଡ଼ି ଚାଲି ଯାଉଛନ୍ତି। ଫଳସ୍ୱରୂପ ଖେଳପଡିଆ ସାରା ଦୁର୍ଗନ୍ଧ ହେବା ସହ କୁକୁଡାପର କୁକୁଡ଼ାଗୋଡ଼,ଛେଳିହାଡ଼ ଓ ଛେଳିଚମଡା,ମାଛକାତି ଏହି ସବୁ ଖେଳ ପଡିଆ ସାରା ପଡିରହୁଛି। ଏହା ଦ୍ୱାରା ଏକପ୍ରକାର ଅସ୍ୱାସ୍ଥ୍ୟକର ଓ ଦୁର୍ଗନ୍ଧପୂର୍ଣ୍ଣ ପରିବେଶ ସୃଷ୍ଟି କରୁଛି ବୋଲି ବଜାରକୁ ଆସୁଥିବା ଗ୍ରାହକ ଭିତରେ ଅସନ୍ତୋଷ ଦେଖାଦେଇଛି | ସକାଳୁ ସକାଳୁ ଖେଳ କସରତ ପାଇଁ ଆସୁଥିବା ଜନସାଧାରଣ ଏହାର ପ୍ରତିବାଦ କରିଲେ ଆମିଷ ବ୍ୟବସାୟୀ ପୌରପାଳିକାକୁ ଦୋଷାରୋପ କରୁଥିବା ବେଳେ, ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏଥିପ୍ରତି କର୍ଣ୍ଣପାତ ହିଁ କରୁନାହାନ୍ତି | ଏପରିକି ପନ୍ଦର ଦିନରେ ଥରେ ବି ଏହି ଅଳିଆ ଆବର୍ଜନା ସଫା କରାଯିବା ଆଖିଦୃଶିଆ କୌଣସି ପଦକ୍ଷେପ ନିଆଯାଉନାହିଁ | କେହି କେହି ଭଦ୍ର ବ୍ୟକ୍ତି ଅଭିଯୋଗ କରିଲେ ଲୋକଦେଖାଣିଆ ଫିନାଇଲ ଟିକେ ପକେଇଦେଇ ନିଜ କର୍ତ୍ତବ୍ୟ ସମ୍ପାଦନା କରିଦେଉଛି ପୌରପରିଷଦ। ସୁରକ୍ଷା ଦୃଷ୍ଟିରୁ ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ପୋଲିସ ବି ଏଠାରେ ନିୟୋଜିତ ହୋଇଥିବା ଦେଖାଯାଉନାହିଁ | ଯାହାକି ଆମିଷ ବଜାର ଆରମ୍ଭ ସମୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା | ଏପରିକି କୋଭିଡ କଟକଣା ଅନୁଯାୟୀ କୌଣସି ଜନସାଧାରଣ ଯାନବାହାନରେ ବଜାର କରିବା ବାରଣ ଥିବା ସତ୍ତ୍ୱେ ସମସ୍ତେ ନିଜ ନିଜ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ନେଇ ପଡିଆ ଭିତରେ ପ୍ରବେଶ କରୁଥିବା ଯୋଗୁଁ ଚାରିଆଡ ଧୂଳିଧୂଷୁର ଉଡ଼ି ଆମିଷ ଗୁଡାକ ଉପରେ ପଡୁଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଅସ୍ଥାୟୀ ଆମିଷ ବଜାର ପ୍ରତି ପୌରପାଳିକା ଯଥାଶୀଘ୍ର କିଛି ପଦକ୍ଷେପ ନେବାପାଇଁ ଆମିଷ ବ୍ୟବସାୟୀ ଅନୁରୋଧ କରିଛନ୍ତି। ନଚେତ,ଏହିଠାରୁ ତୁରନ୍ତ ଆମିଷ ବଜାର ବନ୍ଦ କରିଦେବୁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ବ୍ୟବସାୟୀ |

Welcome to Odisha News24

error: Content is protected !!
%d bloggers like this: