ରାୟଗଡା ଅଧିଷ୍ଠାତ୍ରୀ ମଝିଘରିଆଣିଙ୍କ ବନ୍ଦହେବ ସିଂହଦ୍ୱାର ପୂଜା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୨/୦୧): ରାୟଗଡାରେ ତୃତୀୟ ରେଳଲାଇନ ପାଇଁ ମଝିଘରିଆଣି ମା’ଙ୍କ ସିଂହଦ୍ୱାର ଭଙ୍ଗାଯିବ l ସିଂହଦ୍ୱାରଠାରୁ ମାତ୍ର ଦେଢ଼ମିଟର ଦୂରରେ ବିଜୟନଗରମ -ଟିଟିଲାଗଡ଼ ତୃତୀୟ ରେଳଲାଇନ ନିର୍ମାଣ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଥିବାରୁ ମା’ଙ୍କ ସିଂହଦ୍ୱାର ଭଙ୍ଗାଯିବା ସହିତ ବନ୍ଦହୋଇଯିବ ସିଂହଦ୍ୱାର ପୂଜା ପରମ୍ପରା ।

କେବଳ ରାୟଗଡା କାହିଁକି କୋରାପୁଟ, କଳାହାଣ୍ଡି, ଗଜପତି, ଗଞ୍ଜାମ ସମେତ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ପ୍ରଭୃତି ରାଜ୍ୟବାସୀଙ୍କର ମଧ୍ୟ ମା’ଙ୍କ ପ୍ରତି ରହିଛି ପ୍ରଗାଢ଼ ଆସ୍ଥା ଓ ବିଶ୍ୱାସ l ସିଂହ ହେଉଛି ମା’ଙ୍କ ଶକ୍ତିର ପ୍ରତୀକ ତଥା ମା’ଙ୍କ ବାହନ, ତେଣୁ ପ୍ରତ୍ୟେକ ଶକ୍ତି ମନ୍ଦିର ପୂର୍ବରୁ ଉଭୟ ପାର୍ଶ୍ୱରେ ଦୁଇଟି ସିଂହ ସ୍ଥାପନ କରାଯାଇ ଏକ ପ୍ରବେଶ ଦ୍ୱାର ରଖାଯାଇଥାଏ l ଯାହାକି ମା ‘ଙ୍କ ମନ୍ଦିରକୁ ସୁରକ୍ଷା ଦେଇଥାନ୍ତି l
ସେହି ଦୃଷ୍ଟିରୁ ମା’ଙ୍କ ପୂଜାର ଯେତିକି ଗୁରୁତ୍ୱ ରହିଛି ସିଂହଦ୍ୱାର ପୂଜାର ମଧ୍ୟ ସେତିକି ମହତ୍ୱ ରହିଛି l ଅନ୍ୟଏକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସିଂହଦ୍ୱାର କିମ୍ବା ପ୍ରବେଶ ଦ୍ୱାର ଯେକୌଣସି ଏକ ମନ୍ଦିରର ଶୋଭା ବର୍ଦ୍ଧନ କରିଥାଏ l କିନ୍ତୁ, ଆଖପାଖ ଚାରୋଟି ରାଜ୍ୟରେ ଆସ୍ଥା ଓ ଶ୍ରଦ୍ଧା ର ପ୍ରତୀକ ମଝିଘରିଆଣି ମନ୍ଦିର ଆଗାମୀ ଦିନରେ ସିଂହଦ୍ୱାର ବିହୀନ ହୋଇ ରହିଯିବ l ଏହା ଶ୍ରଦ୍ଧାଳୁଙ୍କ ଆସ୍ଥାପ୍ରତି ଗଭୀର ଆଘାତ ଦେଇଛି l ଅନ୍ୟପଟେ ରେଳରାସ୍ତା ପାଇଁ ମନ୍ଦିରର ସୁନ୍ଦର ଫୁଲ ବଗିଚାଟିକୁ ମଧ୍ୟ ହଟେଇ ଦିଆଯାଇଛି l ସିଂହଦ୍ୱାର ଭଙ୍ଗାକାର୍ଯ୍ୟ କେତେଦିନ ପାଇଁ ଏଡାଇ ଦିଆଯାଇଥିଲେ ସୁଦ୍ଧା ମନ୍ଦିର ପାର୍କିଙ୍ଗ ଓ ନିକଟସ୍ଥ ଭୋଗ ଦୋକାନ ଗୁଡିକ ଏକପ୍ରକାର ବନ୍ଦ ହୋଇଯାଇଛି l ଏଥିସହ ମନ୍ଦିର ପଛପଟେ କେଉଁ ଆବହମାନ କାଳରୁ ବସତି ସ୍ଥାପନା କରିଆସିଥିବା ମା’ଙ୍କ ସେବାୟତ ପରିବାର ଓ କେତେଜଣ ଆଦିବାସୀ ପରିବାରଙ୍କ ପାଇଁ ଯାତାୟତ ରାସ୍ତା ସମ୍ପୂର୍ଣ ରୂପେ ଠପ ହୋଇଯାଇଛି l ଯାତାୟତର ବିକଳ୍ପ ସ୍ୱରୂପ ସେମାନଙ୍କୁ ରାମଚନ୍ଦ୍ରପୁର ରାସ୍ତାରେ ଯିବାକୁ ପଡିବ l
ଏଠି ରହୁଥିବା ୩୭ଟି ପରିବାର ଏଥିନେଇ ଚିନ୍ତିତ ହୋଇପଡିଛନ୍ତି l ମନ୍ଦିର ପରିଚାଳନା କମିଟି ତରଫରୁ ରେଳଲାଇନ ଡିଜାଇନ ପରିବର୍ତ୍ତନ ପାଇଁ ରେଳବିଭାଗକୁ ଅନୁରୋଧ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ l କିନ୍ତୁ, କିଛିଦିନ ପରେ ନିଶ୍ଚିତ ରୂପେ ସିଂହଦ୍ୱାର କୁ ଟଲେଈ ଦିଆଯିବ l ବହୁଦିନର ସୁନ୍ଦର ଐତିହ ଏକ ଭଗ୍ନ ଇତିହାସ ପାଲଟିଯିବ ଏ ନେଇ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ମନରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: