ରାଜ୍ୟରେ ବଢିଚାଲିଛି ସାଇବର ଠକେଇ,ପାର୍ସଲ ପ୍ରଲୋଭନ ଦେଖାଇ ଠକି ନେଲେ ପାଞ୍ଚ ଲକ୍ଷ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୦୯-୧୨): ରାଜ୍ୟରେ ସକ୍ରିୟ ହୋଇପଡ଼ିଛନ୍ତି ସାଇବର ଲୁଟେରା । ନୂଆ ନୂଆ ତରିକାରେ ନିରୀହ ଲୋକଙ୍କ ଠାରୁ ଲୁଟିନେଉଛନ୍ତି ଟଙ୍କା । ଏଭଳି ଏକ ସାଇବର ଅପରାଧୀଙ୍କ ହାବୁଡ଼ରେ ପଡ଼ିଛନ୍ତି ଜଣେ ମହିଳା । ଲକ୍ଷ୍ମୀସାଗର ଅଞ୍ଚଳ‌େ‌ର ରହୁଥିବା ଆର୍ ସଙ୍ଗୀତାଙ୍କୁ ପାର୍ସଲ ପ୍ରଲୋଭନ ଦେଖାଇ ସାଇବର ଠକମାନେ ଲୁଟି ନେଇଛନ୍ତି ୫ ଲକ୍ଷ ଟଙ୍କା । ଏନେଇ ଗତକାଲି ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ସାଇବର ଠକ ଫେସ୍‌ବୁକ୍‌ ମାଧ୍ୟମରେ ଲଣ୍ଡନର ସିଲାସ୍‌ ଫେରଡ୍ରିକ୍‌ ନାମକ ଜଣେ ମହିଳାଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରିଥିଲେ । ତାଙ୍କ ସହିତ କିଛି ଦିନ କଥାବାର୍ତ୍ତା କରିବା ପରେ ସେ ତାଙ୍କ ନିକଟକୁ ଏକ ଉପହାର ପାର୍ସଲ ପଠାଇଥିବା ନେଇ ଚାଟିଂରେ ସୂଚନା ଦେଇଥିଲେ । ଏହାର କିଛି ଦିନ ପରେ ପ୍ରିୟା ନାମକ ଜଣେ ମହିଳା ତାଙ୍କୁ ଟେଲିଫୋନ୍‌ କରିଥିଲା । ଦିଲ୍ଲୀ ବିମାନବନ୍ଦରରେ ତାଙ୍କ ଠିକଣାରେ ଏକ ପାର୍ସଲ ଆସିଛି ବୋଲି ସେ ସଙ୍ଗୀତାଙ୍କୁ ଜଣାଇଥିଲା । ତାଙ୍କୁ ଏହି କୋରିଅର୍‌ ବାବଦରେ ୧୫,୦୦୦ ଟଙ୍କା ଜମା କରିବାକୁ ହେବ ବୋଲି କହିଥିଲେ । ସଙ୍ଗୀତା ତା’ଠାରୁ ପାଇଥିବା ଆକାଉଣ୍ଟରେ ଏହି ଟଙ୍କା ଜମା କରିଦେଇଥିଲେ ।

ଉକ୍ତ ପାର୍ସଲକୁ ସ୍କାନ୍‌ କରିବା ପରେ ସେଥିରେ ତାଙ୍କ ପାଖକୁ କେହି ଜଣେ ବ୍ରିଟିଶ ବିଦେଶୀ ମୁଦ୍ରା ପଠାଇଛି ବୋଲି କହିଥିଲେ । ତେଣୁ ଏହି ବାବଦରେ ତାଙ୍କୁ ଜୋରିମାନା ଦେବାକୁ ହେବ । ଏଥିପାଇଁ ତାଙ୍କୁ ୫୫ ହଜାର ଟଙ୍କା ଜମା କରିବାକୁ ସେ କହିଥିଲେ । ସଙ୍ଗୀତା ଟଙ୍କା ଜମା କରିଥିଲେ । ଏସ୍‌ କେ ଏଣ୍ଟରପ୍ରାଇଜର୍ସ ନାମକ ଏକ ସଂସ୍ଥାର ଆକାଉଣ୍ଟରେ ସେ ଟଙ୍କା ଜମା କରିଥିଲେ । ପରଦିନ ପୁଣି ତାଙ୍କ ପାଖକୁ ଆଉଥରେ କଲ୍‌ ଆସିଥିଲା ଏସବୁ ବିଦେଶୀ ମୁଦ୍ରାକୁ ସେ ଭାରତୀୟ ମୁଦ୍ରାରେ ବଦଳାଇବାକୁ ତାଙ୍କୁ ୧.୫୦ ଲକ୍ଷ ଟଙ୍କା ଜମା କରିବାକୁ ହେବ ।

ଲୋଭରେ ପଡ଼ି ସଙ୍ଗୀତା ପୁଣି ଟଙ୍କା ଜମା କରିଥିଲେ । ପୁଣି ପରଦିନ ତାଙ୍କ ପାଖକୁ କଲ୍‌ ଆସିଥିଲା, ଉକ୍ତ ମହିଳା ଜଣକ କହିଥିଲା ଏତେ ପରିମାଣର ବିଦେଶୀ ମୁଦ୍ରା ବଦଳାଇବାକୁ ହେଲେ ଆର୍‌ବିଆଇର ଟିକସ ବାବଦରେ ତାଙ୍କୁ ୨,୮୦,୦୦୦ ଟଙ୍କା ଜମା କରିବାକୁ ହେବ । ଏତେ ପରିମାଣର ଅର୍ଥ ସଙ୍ଗୀତା ଆଉ ଜମା କରିପାରିବେ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିଥିଲେ । ତେବେ ଏସମ୍ପର୍କରେ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେବାରୁ ଏହା ଏକ ପ୍ରକାର ସାଇବର ଠକେଇ ବୋଲି ଜାଣିବାକୁ ପାଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: