ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍ ମୌସୁମୀ ବର୍ଷା

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୭/୦୬): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳରୁ ଅଗ୍ରସର ହୋଇ ଉପକୂଳ କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳ ଅତିକ୍ରମ କରିଛି । ଏହାସହ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ମୌସୁମୀ ବାୟୁ ଛୁଇଁଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ସୋଲାପୁର, ରାଇଚୁର, କର୍ଣ୍ଣୁଲ, ତିରୁପତି ଓ କଡଲୁରରେ ବର୍ଷା ଆରମ୍ଭ ହୋଇଛି । ଏଥିସହ ବିହାରର ଦକ୍ଷିଣ ଅଞ୍ଚଳ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟର ଲମତାପୁଟ, ସିମିଳିଗୁଡ଼ା, ପଟାଙ୍ଗୀ, ମୟୂରଭଞ୍ଜର ଚନ୍ଦନପୁର ଓ ବାଲେଶ୍ୱରର ରାଜଘାଟରେ ସ୍ୱଳ୍ପ ଧରଣର ବର୍ଷା ରେକର୍ଡ କରାଯାଇଛି ।

ଏନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ନିଦେ୍ର୍ଧଶକ ଏଚ୍ଆର ବିଶ୍ୱାସ ସୂଚନା ଦେଇଛନ୍ତି, ୮ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ ଓ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୯ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ୯ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଉତ୍ତର ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି । ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ଏମିତି ପାଗ ରହିବ ଓ ୮-୯ ତାରିଖ ଆଡ଼କୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି । ଅନ୍ୟପଟେ ସୋମବାରଠୁ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପରିମାଣ ବୃଦ୍ଧିପାଇବ । ଗୁରୁଚାପ ବଳୟ ସ୍ଥାନାନ୍ତରଣ ହେଉଥିବାବେଳେ ଏହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ପାଇଁ ପାଗ ଅନୁକୂଳ ହୋଇଛି । ଫଳରେ ସୋମବାର ଅଧା ଓଡ଼ିଶା ଅର୍ଥାତ୍ ୧୫ ଜିଲ୍ଲା ବର୍ଷାରେ ଭିଜିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ପାଇଁ ସତର୍କତା ଜାରି କରାଯାଇଛି । ଆସନ୍ତା ୧୦ରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବର୍ତ୍ତମାନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାରେ ଲାଗିଛି ।

ଏହା ପ୍ରଭାବରେ ସାରା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିବ । ୧୨ ତାରିଖଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବା ସହ ୧୩ ଜିଲ୍ଲାକୁ କାଳବେଶାଖୀ ସମ୍ଭାବନା ରହିଛି । ସେହିପରି ୮ ତାରିଖ ଅର୍ଥାତ୍ ମଙ୍ଗଳବାର ନୂଆପଡା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଏନେଇ ରାଜ୍ୟ ଏସ୍ଆର୍ସି ପ୍ରଦୀପ ଜେନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି । ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ ହୋଇଛି । ଏହାବାଦ୍ ଅନ୍ୟ ୪ ସହରରେ ପାରଦ ୪୦ ଡିଗ୍ରୀ ଡେଇଁଛି । ବଲାଙ୍ଗିର ଓ ସୁନ୍ଦରଗଡ଼ରେ ପାରଦ ୪୧ ଡିଗ୍ରୀ ଥିବାବେଳେ ବୌଦ୍ଧ ଓ ଭବାନୀପାଟଣାରେ ପାରଦ ୪୦ ଡିଗ୍ରୀ ଥିଲା ।

Welcome to Odisha News24

error: Content is protected !!
%d bloggers like this: