ରାଜଧାନୀରେ ଭିକ୍ଷାବୃତ୍ତିର ନଗ୍ନ ଚିତ୍ର: ଭିକ ମାଗିବା ପାଇଁ ଭଡାରେ ଲାଗୁଛି କଅଁଳ ଶିଶୁ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୧୬-୧୨): ପତଳା ରୁଗ୍‌ଣ ଛୁଆଙ୍କ ପାଇଁ ଘଣ୍ଟାକୁ ୨୦, ଆଉ ଟିକେ ହୁଷ୍ଟପୁଷ୍ଟ ଥିଲେ ୧୦ ଟଙ୍କା। ସାମ୍ନାକୁ ଆସିଛି ରାଜଧାନୀରେ ଭିକ୍ଷାବୃତ୍ତିର ନଗ୍ନ ଚିତ୍ର। କେଇଟା ଟଙ୍କା ପାଇଁ ନିଜର କଅଁଳ ଶିଶୁର ଜୀବନକୁ ଭଡାରେ ଲଗାଉଛି ମା’ । ରୁଟି, କପଡ଼ା, ଘର ପାଇଁ ଭଡ଼ାରେ ଲାଗୁଛି କଅଁଳା ଛୁଆଙ୍କ ଜୀବନ। ପତଳା ରୁଗ୍‌ଣ ଛୁଆ ଘଣ୍ଟା ପିଛା ୨୦ , ଆଉ ଟିକେ ହୁଷ୍ଟପୁଷ୍ଟ ହେଲେ ଘଣ୍ଟା ପ୍ରତି ୧୦ ଟଙ୍କା। ଅବିଶ୍ବାସ ହେଉଥିଲେ ବି ଏହା ନିରାଟ ସତ୍ୟ ।

ରାଜଧାନୀର କିଛି ପ୍ରମୁଖ ଛକଗୁଡ଼ିକରେ ଯେଉଁ ଛୋଟ ପିଲାଙ୍କୁ କୋଳରେ ଧରି ମହିଳାମାନେ ଭିକ୍ଷା ମାଗୁଛନ୍ତି, ସେହି ପିଲାମାନେ ଏପରି ଭଡ଼ାରେ ଆସିଥାନ୍ତି । କୁନି କୁନି ଛୁଆଙ୍କୁ ମୋହରା କରି ଭିକ୍ଷାବୃତ୍ତି ଧନ୍ଦା ଚଳାଇଛନ୍ତି କିଛି ଦଲାଲ।ଛୋଟ ଛୁଆଙ୍କ ରୁଗ୍‌ଣ ଚେହେରାକୁ ଦେଖାଇ ଲୋକଙ୍କ ସହାନୁଭୂତି ହାସଲ କରି ଟଙ୍କା ରୋଜଗାର କରିବା ହେଉଛି ସେମାନଙ୍କ ପେସା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଦିନକୁ ପ୍ରାୟ ୧୪ରୁ ୧୫ ଘଣ୍ଟା ଏହି କଅଁଳା ଛୁଆମାନେ ଭଡ଼ାରେ ଲାଗୁଛନ୍ତି। ସେମାନେ ଭଲରେ ଦୁଇମୁଠା ଖାଇବାକୁ ପାଉନାହାନ୍ତି କି ଶାନ୍ତି ରେ ଶୋଇବାକୁ ମଧ୍ଯ ପାଉନାହାନ୍ତି ।

ରାଜଧାନୀର କିଛି ଦଲାଲ ମାନେ ଏହି ପିଲାଙ୍କୁ ମାଧ୍ୟମ କରି ଢେର ଟଙ୍କା ରୋଜଗାର କରୁଛନ୍ତି। ଛୋଟ ଛୁଆଙ୍କୁ ଭଡ଼ାରେ ପଠାଇ ଦି ପଇସା ପାଇ ବାପା-ମା’ ବି ଖୁସ୍। ଏହିପରି ଭାବରେ ଦିନକୁ ୨୮୦ରୁ ୩୦୦ ଟଙ୍କା ରୋଜଗାର କରୁଛନ୍ତି। ଆହୁରି ସାଂଘାତିକ ବିଷୟ ହେଲା, ସେମାନେ ନିଜ ପିଲାକୁ ସବୁବେଳେ ରୁଗ୍‌ଣ ରଖିବାକୁ ବି ଚାହାନ୍ତି। ଏହାର କାରଣ ରୁଗ୍‌ଣ ଦେଖାଗଲେ ଭଡ଼ା ଅଧିକ ଆସିବ। କିଛି ମା’ ନିଜ ରୁଗ୍‌ଣ ଛୁଆକୁ ମାଧ୍ୟମ କରି ସିଧାସଳଖ ଭିକ୍ଷାବୃତ୍ତି କରୁଛନ୍ତି । ରାଜଧାନୀରେ ପ୍ରମୁଖ ଛକ ଯେପରି ଶ୍ରୀୟା ଛକ, ରାଜମହଲ ଛକ, ମାର୍କେଟ ବିଲ୍ଡିଂ, ହାଉସିଂବୋର୍ଡ ଛକ, ରାମ ମନ୍ଦିର, ସହିଦ ନଗର ଆଦିରେ ଏଭଳି ପୁଳା ପୁଳା ଶିଶୁ ଭିକାରୀଙ୍କୁ ଦେଖିବାକୁ ମିଳୁଛି। କିଏ ଛିଣ୍ଡା ପୋଷାକ ପିନ୍ଧି ଭିକ ମାଗୁଛି ତ’ ଆଉ କିଏ ନିଜ ୬/୭ ମାସର କୁନି ଭାଇଭଉଣୀକୁ କାଖେଇ ଖାଇବାକୁ ଗଣ୍ଡେ ଦିଅ ବୋଲି ମୀନତି କରୁଛି । ମୁଣ୍ଡର ନୁଖୁରା କେଶ, ଶୁଷ୍କ ଚର୍ମ ଓ କଙ୍କାଳ ପ୍ରାୟ ଶରୀରରେ ପ୍ରତିଟି ଛକରେ ଟଙ୍କା ଦୁଇଟା ପାଇଁ ଏମାନେ ଯେତେବେଳେ ହାତ କିମ୍ବା ପୋଷାକ ଟାଣନ୍ତି ସ୍ମାର୍ଟ ସିଟିର ବିକଳ ରୂପ ସ୍ପଷ୍ଟ ବାରି ହୋଇପଡ଼େ।

ତଥ୍ୟ ଅନୁଯାୟୀ, ରାଜଧାନୀରେ ୫୦୦ରୁ ଊର୍ଦ୍ଧ୍ବ ଶିଶୁ ଭିକାରୀ ଅଛନ୍ତି। ଏମାନେ ସବୁ ଅଣଓଡ଼ିଆ, ବିଶେଷ କରି ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରୁ ଭିକ୍ଷାବୃତ୍ତି ନିମନ୍ତେ ଏଠାକୁ ଆସିଥାନ୍ତି।ଏଥିମଧ୍ୟରୁ ଅନେକ ଶିଶୁ ନିଜର କୌଳିକ ବୃତ୍ତି ଭାବେ ଭିକ୍ଷାବୃତ୍ତିକୁ ଆପଣେଇଥିବା ବେ‌ଳେ ସେମାନଙ୍କ ବାପାମା’ ଭିକ୍ଷାବୃତ୍ତି ପାଇଁ ସେମାନଙ୍କୁ ତାଲିମ ଦେଇଥା’ନ୍ତି। ଅନ୍ୟ କିଛି ଶିଶୁଙ୍କୁ ଭିକ୍ଷାବୃତ୍ତିରେ ଜୋରଦବରଦସ୍ତ ଭର୍ତି କରାଯାଇଛି। କଅଁଳା ଛୁଆମାନଙ୍କୁ ଘଣ୍ଟା ପିଛା ୧୦ ରୁ ୨୦ ଟଙ୍କା ଭଡ଼ାରେ ଲଗାଯାଉଥିବା ବେଳେ ୭/୮ ବର୍ଷର ପିଲା ଭଲ ରୋଜଗାର କରୁଛନ୍ତି। ସେମାନଙ୍କର ଦିନକୁ ୩୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଯାଏ। ସେଥି ପାଇଁ ସେମାନେ ‌ଏହି ବୃତ୍ତି ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଆଇନ ଅନୁଯାୟୀ, ପିଲାମାନଙ୍କୁ ଭିକ୍ଷାବୃତ୍ତି ପାଇଁ ପଠାଇଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୩ରୁ ୫ ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ରହିଛି। ହେଲେ ଏହାକୁ କଡ଼ାକଡ଼ି କରାଯାଉ ନାହିଁ।

ତେବେ ଭିକ୍ଷୁକଙ୍କ ମାତ୍ରା ଅଧିକ କାରଣ ଭୁବନେଶ୍ବରରେ ଲୋକମାନେ ୫/୧୦ ଟଙ୍କାରୁ ଅଧିକ ଦେଉଥିବାରୁ ସେମାନଙ୍କର ରୋଜଗାର ଅଧିକ ହେଉଛି । ଫଳରେ ରାଜଧାନୀ ଭିକାରୀ ମୁକ୍ତ ହେବା ବଦଳରେ ଓଲଟା ଭିକାରି ବିଶେଷ କରି ଶିଶୁ ଭିକାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ବର ପରେ ପୁରୀ ଓ ତା’ ପରେ କଟକରେ ଏହି ସମସ୍ୟା ଅଧିକ। ପୁରୀକୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଅଧିକ ଯାଉଥିବାରୁ ସେଠାରେ ତାଙ୍କର ରୋଜଗାର ଅଧିକ ହୁଏ। ୫ରୁ ଊର୍ଦ୍ଧ୍ବ ବୟସର ପିଲାମାନଙ୍କର ଭଲ ରୋଜଗାର ଯୋଗୁଁ ସେମାନେ ଭିକ୍ଷାବୃତ୍ତିକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି।

Welcome to Odisha News24

error: Content is protected !!
%d bloggers like this: