ଯୁକ୍ତ ୨ ମୂଲ୍ୟାୟନ ନେଇ ସୂଚନା ଦେଲେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୫/୦୬): ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଥିବା ବେଳେ ମୂଲ୍ୟାଙ୍କନ ନେଇ ଏବେ ପ୍ରଶ୍ନ ଉଠିଛି । ଏପରି ସ୍ଥଳେ ଯୁକ୍ତ ୨ ମୂଲ୍ୟାୟନ ନେଇ ୧୫ ଦିନ ଭିତରେ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପିଲାମାନଙ୍କୁ କେମିତି ମାର୍କ ଦିଆଯିବ, ସେ ନେଇ କମିଟି ତର୍ଜମା କରିବ ବୋଲି ସେ କହିଛନ୍ତି ।

ମନ୍ତ୍ରୀ ସମୀର ଦାଶ କହିଛନ୍ତି, ମୂଲ୍ୟାୟନ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ଏହି କମିଟି ବିଚାର କରିବ କେମିତି ମୂଲ୍ୟାୟନ କରାଯିବ । ଏହା ମଧ୍ୟରେ ସୁପ୍ରିମକୋର୍ଟ ସିବିଏସ୍ଇ ଓ ଆଇସିଏସ୍ଇକୁ କେମିତି ମୂଲ୍ୟାୟନ କରାଯିବ ସେ ନେଇ ଜଣାଇବାକୁ କହିଛନ୍ତି । ଆବଶ୍ୟକ ସ୍ଥଳେ ଆମ ବିଶେଷଜ୍ଞ କମିଟି ସିବିଏସ୍ଇ ଓ ଆଇସିଏସ୍ଇର ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁଧ୍ୟାନ କରିବ । ମନ୍ତ୍ରୀ କହିଛନ୍ତି, ଯୁକ୍ତ ୨ ମୂଲ୍ୟାୟନ ନେଇ ଯେତେ ପ୍ରକାର ପ୍ରସଙ୍ଗ ରହିଛି, ସବୁଗୁଡ଼ିକୁ ତର୍ଜମା କରାଯିବ । ବିଶେଷଜ୍ଞ କମିଟି ତା’ର ମତ ରଖି ସାରିବା ପରେ ଆମେ ନିଶ୍ଚିତ ଭାବେ ଯେତେ ଶୀଘ୍ର ସମ୍ଭବ ରେଜଲ୍ଟ ପ୍ରକାଶ କରିବାକୁ ପ୍ରୟାସ କରିବୁ । ସବୁ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସଠିକ୍ ମୂଲ୍ୟାଙ୍କନ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ ଘୋଷଣା କରିଥିଲେ । ସରକାର ପରୀକ୍ଷା ବାତିଲ କରିବା ସହିତ ବିଶେଷଜ୍ଞ କମିଟିର ପରାମର୍ଶ ଅନୁଯାୟୀ ମୂଲ୍ୟାୟନ କରାଯିବ ବୋଲି ଘୋଷଣା କରିଥିଲେ । ତେବେ ଯେଉଁ ଛାତ୍ରଛାତ୍ରୀ ସେମାନଙ୍କ ମୂଲ୍ୟାୟନରେ ଅସନ୍ତୁଷ୍ଟ ହେବେ, ସେମାନେ ପରୀକ୍ଷା ଦେଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: