ଯାଜପୁର ପାଇଲା ମେଡ଼ିକାଲ କଲେଜ; ସାଲିସ କରି ରହିଗଲେ ଭଦ୍ରକର ଟାଣୁଆ ନେତା

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର/ଯାଜପୁର,ତା୧୬-୧୨): ୨୫ ଏକର ଜମିରେ ୪୨୬ କୋଟି ୫୧ ଲକ୍ଷ ୩୧ ହଜାର ଟଙ୍କାରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଭେଷଜ ମେଡିକାଲ କଲେଜ ଏବଂ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ। ଯାଜପୁର ଵିକାଶର ଧାରାରେ ଯୋଡି ହେଲା ସବୁଠାରୁ ବଡ ସଫଳତା । ଏଣିକି ଆଉ ଜିଲ୍ଲାବାସୀଙ୍କୁ କଟକ ବଡ଼ ମେଡ଼ିକାଲକୁ ଦୌଡିବାକୁ ପଡ଼ିବନି । କେବଳ ଯାଜପୁର ନୁହଁ ଆଖ ପାଖ ଲୋକଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ସେବା । ବିଗତ ଦିନରେ ବିଜୁ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ଆଜି ସାକାର ହୋଇଛି ।

ଯାଜପୁରର ବିଧାୟକ ତଥା ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଯାଜପୁରରେ ହେବାକୁ ଯାଉଛି ନୂତନ ମେଡ଼ିକାଲ କଲେଜ । ଯାହାକୁ ଆଜି ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଯାଜପୁରରେ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲିବାକୁ ସରକାର କ୍ୟାବିନେଟରେ ନେଇଥିବା ନିଷ୍ପତ୍ତି ପରେ ଅଞ୍ଚଳବାସୀଙ୍କ ମନରେ ଖୁସି ଲହରି ଖେଳିଯାଇଛି ।

୧ ଏପ୍ରିଲ ୧୯୯୩ ମସିହାରେ ଯାଜପୁରକୁ ଜିଲ୍ଲାର ମାନ୍ୟତା ଦିଆଯାଇଥିଲା । ଜିଲ୍ଲା ମାନ୍ୟତା ପାଇଲା ସତ ହେଲେ ଉପର ଚିକ୍କଣ ଭିତର ଫମ୍ପା ପରି ଉନ୍ନତି କେବଳ ନାମକୁ ମାତ୍ର ଭଳି ହୋଇଥିଲା। ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ରୂପ ଦେଖିବାକୁ ମିଳିଥିଲା। ୩୧୧ଟି ଗ୍ରାମ ପଞ୍ଚାୟତ ଓ ୧୭୮୧ଟି ଗ୍ରାମ ଥିବା ଏହି ଜିଲ୍ଲାରେ ଉତ୍କଟ ସମସ୍ୟାର ରୂପ ନେଲା ସ୍ୱାସ୍ଥ୍ୟ ସମସ୍ୟା। ଯାହାକୁ ଦୃଷ୍ଟିରେ ରଖି ୨୨ ସେପ୍ଟେମ୍ବର ୧୯୯୩ରେ ଯାଜପୁରରେ ଏକ ହସ୍ପିଟାଲ ନିର୍ମାଣ ହେଲା । ତେବେ ସମଗ୍ର ଯାଜପୁରବାସୀ ଏହି ହସ୍ପିଟାଲ ଉପରେ ନିର୍ଭର କରୁଥିବାରୁ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା । ସେଥିରେ ପୁଣି ଡାକ୍ତରଙ୍କ ଅନୁପସ୍ଥିତି, ଉପକରଣ ଓ ଅନ୍ୟାନ୍ୟ ସାଧନର ଅଭାବ । ତେଣୁ ଅଧିକାଂଶ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଲୋକମାନେ କଟକ ବଡ ହସ୍ପିଟାଲ କିମ୍ବା ଘରୋଇ ମେଡିକାଲ ଉପରେ ନିର୍ଭର କରନ୍ତି ।

ଘରୋଇ ହସ୍ପିଟାଲ ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ଦୁର୍ଘଟଣା ବା ଅନ୍ୟାନ୍ୟ ଗୁରୁତର ରୋଗୀଙ୍କୁ କଟକ ନେଲା ବେଳକୁ ଅନେକ ଜୀବନ ଚାଲିଯାଉଛି । ଏନେଇ ଦୀର୍ଘ ଦିନରୁ ଯାଜପୁରରେ ଏକ ଅତ୍ୟାଧୁନିକ ମେଡିକାଲ ପାଇଁ ଦାବି ହୋଇ ଆସୁଥିଲା । ଯାହା ଏବେ ପୁରଣ ହେବାକୁ ଯାଉଛି। ଏହି ମେଡିକାଲ କଲେଜ ୨୫ ଏକର ପରିମିତ ଜମିରେ ୪୨୬କୋଟି ୫୧ଲକ୍ଷ ୩୧ ହଜାର ଟଙ୍କା ବିନିମୟରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଭେଷଜ ମେଡିକାଲ କଲେଜ ଏବଂ ୫୦୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ ଗୃହ ନିର୍ମାଣ ହେବ । ଯାହାକି ୩୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ କ୍ୟାବିନେଟରେ ନିଷ୍ପତି ହୋଇଛି ।

ତେବେ ଭଦ୍ରକରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ମଧ୍ୟ ସମାନ ଧରଣର ଦାବି ହୋଇଆସୁଥିଲା। ଏହାକୁ ନେଇ ବହୁବାର ଭଦ୍ରକ ବନ୍ଦ ମଧ୍ୟ ହୋଇଛି। ହେଲେ ସବୁ ପରେ ମଧ୍ୟ ଭଦ୍ରକକୁ ମେଡ଼ିକାଲ କଲେଜ ଅବା ହସ୍ପିଟାଲ କିଛି ମିଳିପାରିଲା ନାହିଁ। କଟକ ବଡ଼ ମେଡ଼ିକାଲ ଠୁ ଯାଜପୁର ଅପେକ୍ଷା ଭଦ୍ରକ ଦୂର ହୋଇଥିଲେ ମଧ୍ୟ ଭଦ୍ରକକୁ ମେଡ଼ିକାଲ କଲେଜ ଦିଆଗଲା ନାହିଁ ।

ସ୍ଥାନୀୟ ନେତାଙ୍କ କହିବା ଅନୁଯାୟୀ ଭଦ୍ରକର ବିଜେଡ଼ିର ଟାଣୁଆ ନେତାମାନେ ସାଲିସ କରି ଚୁପ ରହିଗଲେ। ବିଜେଡ଼ିର ଆଗ ଧାଡିରେ ଥିବା ନେତାମାନେ ଭଦ୍ରକର ଟାଣୁଆ ନେତାମାନକୁ ଅଲଗା ଆଶା ଦେଖାଇ ଚୁପ କରିଦେଲେ। ଯେହେତୁ ବିଜେଡ଼ିରେ ବିଧାୟକ ପ୍ରଣବ ପ୍ରକାଶ ଦାସ ପତିଆରା ରହିଛି ତେଣୁ ଯାଜପୁର ଏହି ମେଡ଼ିକାଲ କଲେଜକୁ ହାତେଇ ନେଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବବିଙ୍କ ଉପରେ ଖୁସୀ ଥିବାରୁ ଯାଜପୁରରେ ମେଡ଼ିକାଲ କଲେଜ କରିବାକୁ ନିଷ୍ପତ୍ତି ନେଇଥିଲେ ।

Welcome to Odisha News24

error: Content is protected !!
%d bloggers like this: