ମଣ୍ଡିରେ ଅନିୟମିତତା ଅଭିଯୋଗ, ଦୁଇ ଗୋଷ୍ଠୀ ମଧ୍ୟରେ ଆରୋପ ପ୍ରତ୍ୟାରୋପ, ହାଇକୋର୍ଟରେ ମାମଲା

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ (୦୫/୧୨): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ବି.ସିଂହପୁର ଥାନା ଅନ୍ତର୍ଗତ ପୋଡାପଦର ମଣ୍ଡିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିବା ବିଷୟ ଜଣାପଡିଛି ।ଏ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କିଛି ଦିନ ଧରି ଆରୋପ ପ୍ରତ୍ୟାରୋପ ଲାଗି ରହିଛି ।

ଗତ ବର୍ଷ ସରକାର କିଛି ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ଧାନ କ୍ରୟ ପାଇଁ ଅନୁମତି ପ୍ରଦାନ କରିଥିଲେ। ସେଥି ମଧ୍ୟରୁ ପୋଡାପଦର ଗ୍ରାମର ରବିନାରାୟଣ ସ୍ବୟଂ ସହାୟକ ଦଳ ଧାନ କ୍ରୟରେ ୧ ନଂବର ବିବେଚିତ ହୋଇ ପୁରସ୍କାର ପାଇଥିଲା ।କିନ୍ତୁ ଏହି ଅଞ୍ଚଳର ଜଣେ ଚାଷୀ ସାବନ ମହାନ୍ତି ଅଭିଯୋଗ କରିଛନ୍ତି ଯେ ରବିନାରାୟଣ ଏସ୍. ଏଚ୍. ଜି. ମିଥ୍ୟା ଚାଷୀଙ୍କ ନାମ ପଞ୍ଜିକରଣ କରି ଏକ ନମ୍ବର ହୋଇଥିଲେ ।ପ୍ରତି ବର୍ଷ ପୋଡାପଦରରେ ୧୫ ହଜାରରୁ ୨୦ ହଜାର କ୍ବିଣ୍ଟାଲ ଧାନ ଅମଳ ହେଉଥିବା ବେଳେ ସେମାନେ କିପରି ୩୧ ହଜାର କ୍ବିଣ୍ଟାଲ ଧାନ କ୍ରୟ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।ପ୍ରଶାସନକୁ ଗୁହାରି କରି ନିରାଶ ହେବାପରେ ବାଧ୍ୟ ହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଥିବା ବିଷୟ ଶ୍ରୀ ମହାନ୍ତି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।ଏ ସମ୍ପର୍କରେ ଅନ୍ୟ ଜଣେ ଚାଷୀଙ୍କ ଚାଷୀ ଚିତ୍ରସେନ ମିଶ୍ରଙ୍କ ପ୍ରତିକ୍ରିୟା ହେଲା ଚାଷ ଜମି ଓ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ତହସିଲ କାର୍ଯ୍ୟାଳୟକୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ତରବରିଆ ଭାବରେ ତାଲିକା ପ୍ରସ୍ତୁତ କରିବା ସମୟରେ ଅନେକ ଗୁଡିଏ ଚାଷ ଜମି ତାଲିକା ଭୁକ୍ତ କରିନାହାନ୍ତି । ତେଣୁ ଧାନ ବିକ୍ରୀ ପାଇଁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏସବୁ କାରଣରୁ ଖରିଫ ମଣ୍ଡି ଏଯାଏଁ ଆରମ୍ଭ ହୋଇପାରୁନାହିଁ । ଏ ବିଷୟରେ ବୋରିଗୁମ୍ମା ତହସିଲ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଥିଲା । ରାଜସ୍ବ ନିରୀକ୍ଷକ ମାନେ ଭେରିଫିକେସନ ଜାରି ରଖିଛନ୍ତି,୨/୩ ଦିନ ମଧ୍ୟରେ ଏହି ଭେରିଫିକେସନ କାର୍ଯ୍ୟକ୍ରମ ଶେଷ ହେବାର ଆଶା କରାଯାଉଛି । ସେମାନଙ୍କ ରିପୋର୍ଟ ଆସିଲା ପରେ ତାହା ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ସଞ୍ଜୀବ ସାହୁ ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: