ବିଧାୟକ ପାଣ୍ଠି ସଂଶୋଧନ ଦାବି: ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ବିଜେପି ବିଧାୟକଙ୍କ ଚିଠି

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୧୦/୦୬): ବିଧାୟକ ପାଣ୍ଠି (ଏମଏଲଏ ଲ୍ୟାଡ୍ ଫଣ୍ଡ) ଅର୍ଥକୁ କେବକ ମାସ୍କ ବଣ୍ଟନ ପାଇଁ ନୁହେଁ, ବରଂ ରାଜ୍ୟର ସମସ୍ତ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ଏବଂ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ସୃଷ୍ଟି କରିବାରେ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି । ଏଭଳି ପ୍ରସ୍ତାବ ରଖି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିକଟକୁ ଚିଠି ଲେଖି ନିୟମରେ ସଂଶୋଧନ ପାଇଁ ଦାବି କରିଛନ୍ତି ବିଜେପି ବିଧାୟକବୃନ୍ଦ ।

ସୂଚନାଯୋଗ୍ୟ, ମହାମାରୀ ଆରମ୍ଭ ହେବା ପରେ ପରେ ପୂର୍ବରୁ ବିଧାୟକମାନଙ୍କ ହାତପାଣ୍ଠି ଅର୍ଥକୁ ସରକାର ସମ୍ପୂର୍ଣ୍ଣ ଭାବେ ବାନ୍ଧି ରଖିଥିଲେ । ହେଲେ ନିକଟରେ କେବଳ ମାସ୍କ, ଗ୍ଲୋବ୍ସ ଏବଂ ପିପିଇ ବଣ୍ଟନ ଲାଗି ବିଧାୟକମାନେ ୫୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ତେବେ ଏହି ଅର୍ଥରେ କୋଭିଡ୍ ରୋଗୀଙ୍କ ପାଇଁ ପାଇଁ ସଙ୍ଗରୋଧ କକ୍ଷ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କୋରିଡ୍ କେୟାର ରୁମ୍, ଅକ୍ସିଜେନ ଓ ଭେଣ୍ଟିଲେଟର ସଂଯୁକ୍ତ ଶଯ୍ୟା, କୋଭିଡ୍ ପରୀକ୍ଷା ଏବଂ ଚିକିତ୍ସା ପାଇଁ ଆବଶ୍ୟକୀୟ ମେଡିକାଲ ଯନ୍ତ୍ରପାତି ଓ କିଟ୍ର ବ୍ୟବସ୍ଥା ଉପଖଣ୍ଡ ଏବଂ ଗୋଷ୍ଠୀ ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କରାଯାଉ ବୋଲି ବିଜେପି ବିଧାୟକ ଦଳ ଦାବି କରିଛନ୍ତି । ଏଣୁ ରାଜ୍ୟ ସରକାର ତୁରନ୍ତ ମାର୍ଗଦର୍ଶିକାରେ ଏଥିନେଇ ସଂଶୋଧନ କରନ୍ତୁ ବୋଲି ବିଜେପି ବିଧାୟକ ମୋହନ ମାଝି, ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାସ ପାଣିଗ୍ରାହୀ, କୁସୁମ ଟେଟେ, ଶଙ୍କର ଓରାମ, ଭବାନୀ ଭୋଇ, ବୁର୍ଧାନ ମୁର୍ମୁ, ନବଚରଣ ମାଝୀ, ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଦାବି କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: