ବାତ୍ୟା ‘ୟସ’କୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଲକଡାଉନ କଟକଣା କୋହଳ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର (୨୪/୦୫): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ଅତି ଭୀଷଣ ରୂପ ଧାରଣ କରି ୨୬ ତାରିଖରେ ମଧ୍ୟାହ୍ନରେ ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ଏହାର ପ୍ରଭାବରେ ବ୍ୟାପକ କ୍ଷତି ହୋଇପାରେ ବୋଲି ଆକଳନ କରାଯାଉଛି । ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ୧୦ଟି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଏହି ନିଦେ୍ର୍ଧଶନାମା ଜାରି ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବା ପାଇଁ ଏସଆରସି ଆଜି ଓ ଆସନ୍ତାକାଲି ୧୦ଟି ଜିଲ୍ଲାର ଲୋକଙ୍କୁ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରିଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକ ସାମ୍ରଗୀ କିଣି ନେଇ ରଖିବା ପାଇଁ ଏସଆରସି ପରାମର୍ଶ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ସଚେତନ କରାଯାଇଛି । ଅତିକମ୍ରେ ଚାରି ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି । ସେହିପରି ମାଟି ବା କଚ୍ଚା ଘରେ ନ ରହିବାକୁ ଲୋକଙ୍କୁ କୁହାଯିବା ସହିତ ନିକଟତମ ବାତ୍ୟା ଆଶ୍ରୟସ୍ଥଳୀକୁ ପଳାଇବାକୁ ଅନୁରୋଧ କରାଯାଇଛି । ଲୋକେ ସରକାରୀ ପକ୍କା ଗୃହରେ ମଧ୍ୟ ଆଶ୍ରୟ ନେଇପାରିବେ । ଏହି ସୂଚନା ପାଇବା ପରେ ଆଖପାଖ ଲୋକଙ୍କୁ ମଧ୍ୟ ଜଣାଇବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି । ଏହା ସହିତ ଦୋକାନ ଗୁଡ଼ିକରେ ଲାଗିଥିବା ସାଇନବୋର୍ଡ ଓ ହୋର୍ଡିଂ ଗୁଡ଼ିକୁ ଖୋଲି ଦେବାକୁ ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି ।

Welcome to Odisha News24

error: Content is protected !!
%d bloggers like this: