ବାତ୍ୟା ଠୁ ବଳିଗଲା କୋଭିଡ ଭୟ: ଘରେ ରହି ଅସୁବିଧା ଭୋଗିଲେ ଲୋକେ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୨୭/୦୫): ବାତ୍ୟା ୟାସ୍ ଯୋଗୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ତଳିଆ ଅଞ୍ଚଳରେ ଅବା ସମୁଦ୍ର ପାଖାପାଖି ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ପଳାଇ ଆସିବା ପାଇଁ କୁହାଯାଇଥିଲା । ହେଲେ ଅଧିକାଂଶ ଲୋକ କୋଭିଡ ଯୋଗୁ ଘରୁ ବାହାରି ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ନ ଥିଲେ । ବାତ୍ୟା ଆଶ୍ରୟ ସ୍ଥଳରେ ଅଧିକ ଲୋକେ ଏକାଠୀ ହେବାର ଆଶଙ୍କା ରହିଥିବା ବେଳେ କୋଭିଣ ସଂକ୍ରମଣ ଭୟ ଯୋଗୁ ଲୋକେ ଆସି ନ ଥିଲେ । ଫଳରେ ଘରେ ରହି ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳୁଛି ।

ବାତ୍ୟା ପୂର୍ବରୁ ରାଜ୍ୟ ସରକାର ଏଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଅବା ସୁରକ୍ଷିତ ସ୍ଥାନକୁ ପଳାଇବାକୁ ପରାମର୍ଶ ଦେଇଥିଲେ । ଏପରିକି ଭଦ୍ରକ ଏବଂ ପାରାଦୀପରେ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଥିଲେ ମଧ୍ୟ ଲୋକେ ଘରେ ରହିଥିଲେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡା ଜିଲ୍ଲାରେ ବହୁ ଲୋକ ବାତ୍ୟା ଆଶ୍ରୟ ସ୍ଥଳୀକୁ ଆସିବାକୁ କୁଣ୍ଠାବୋଧ କରିଥିଲେ । ଆଶ୍ରୟ ସ୍ଥଳୀରେ ଲାଇଟ ନ ଥିବା ବେଳେ ସାମଜିକ ଦୂରତା ଭଙ୍ଗ ହେବାର ଆଶଙ୍କା ରହିଥିବାରୁ ଲୋକେ ଯାଇ ନ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କିଛି ଲୋକ ବାତ୍ୟା ଭୟରେ ଘରୁ ବାହାରି ଆସି କାର ଭିତରେ ବସି ରହିଥିବା ଦେଖିବାକୁ ମିଳିଥିଲା । ବିଶେଷକରି ବାଲେଶ୍ୱର ଭଦ୍ରକରେ ଅନେକ ଲୋକ ଆଶ୍ରୟସ୍ଥଳୀକୁ ନ ଯାଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘରେ ପାଣି ପଶିଯାଇଥିବା ବେଳେ ନା ରହିବାକୁ ନା ଖାଇବାକୁ କିଛି ବ୍ୟବସ୍ଥା ନାହିଁ । ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ଥିବା ୬ ପଞ୍ଚାୟତ ଯଥା, କରଞ୍ଜମାଳ, ବାଲିମୁଣ୍ଡା, ପଞ୍ଜୁଟିକ୍ରି, ଦୋଷିଙ୍ଗା, ବାଂଶଡା, ଧାମରା, ଜାଗୁଳା, କଇଥାଖୋଲାର ୩୦ରୁ ଅଧିକ ଗାଁ ଜଳମଗ୍ନ ହୋଇଯାଇଛି । ବିଶେଷକରି ସମୁଦ୍ରକୂଳ ପାଖରେ ରହୁଥିବା ଲୋକମାନଙ୍କୁ ପୂର୍ବରୁ ଜୁଆର ଆସିବା ନେଇ ସତର୍କ କରିବା ସହ ବାତ୍ୟା ଆଶ୍ରୟ ସ୍ଥଳୀକୁ ଆସିବାକୁ କୁହାଯାଇଥିଲା । କିନ୍ତୁ ସଂକ୍ରମଣ ଏବଂ ଆଶ୍ରୟ ସ୍ଥଳୀରେ ଅବ୍ୟବସ୍ଥା ଯୋଗୁ ଅଧିକାଂଶ ଲୋକ ଘର ଛାଡି ଆସି ନ ଥିଲେ । ବାତ୍ୟା ଯୋଗୁ ଲୁଣି ଜଳ ମାଡି ଆସିଥିବାରୁ ଗାଁରେ ୭୦ ପ୍ରତିଶତରୁ ଅଧିକ ଘର ଭିତରେ ପାଣି ପଶି ଯାଇଥିବା ବେଳେ ଉଚ୍ଚ ସ୍ଥାନରେ ରହିଥିବା ଅଳ୍ପ କିଛି ଘର ବର୍ତ୍ତି ଯାଇଛି । ବାତ୍ୟା ପରେ କିଛି ଲୋକ ବାଧ୍ୟ ହୋଇ ନିକଟସ୍ଥ ତଥା ଉଚ୍ଚ ସ୍ଥାନରେ ଥିବା ଘରକୁ ପଳାଇ ଯାଉଥିବା ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ କୌଣସି ରିଲିଫ ସାମଗ୍ରୀ ପହଞ୍ଚି ନ ଥିବା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଧାମରା ଅଞ୍ଚଳ ନୁହେଁ ବାଲେଶ୍ୱର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ କିଛି ଲୋକଙ୍କ ଘରେ ପାଣି ପଶି ଯାଇଥିଲେ ସେମାନେ ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ନାହାନ୍ତି ।

Welcome to Odisha News24

error: Content is protected !!
%d bloggers like this: