ପ୍ରେମିକା ସହ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଗିରଫ ହେଲା ଯୁବକ

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର (୨୯/୦୫): ରଙ୍ଗୀନ୍ ମିଜାଜ୍ ଥିଲେ ରଙ୍ଗମିସ୍ତ୍ରୀ । ପ୍ରେମିକା କଥାକୁ ଖାତିର କରୁନଥିଲେ । ବାରମ୍ବାର ମନା କରିବା ସତ୍ତ୍ୱେ ବି ପ୍ରେମିକାକୁ ଦୁଷ୍କର୍ମ କଲେ । ଆଉ ଶେଷରେ ଜେଲ୍ ଗଲେ । ଶୁକ୍ରବାର ମହିଳା ଥାନା ପୁଲିସ ସମ୍ପୃକ୍ତ ରଙ୍ଗମିସ୍ତ୍ରୀକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ରାକେଶ କୁମାର ନାୟକ(୨୭) । ଏନେଇ ପୁଲିସ କେସ ନଂ ୫୧/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ରାକେଶ ରଙ୍ଗମିସ୍ତ୍ରୀ ଭାବେ କାମ କରେ । ଗତବର୍ଷ ସେ କାକଟପୁର ଅଞ୍ଚଳରେ ରଙ୍ଗ କାମ କରୁଥିଲା । ଏହି ସମୟରେ ଜଣେ ଯୁବତୀଙ୍କୁ ସେ ଭଲପାଇ ବସିଥିଲା । ପରେ ସେ ସମ୍ପୃକ୍ତ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା । ହେଲେ ଯୁବତୀ ମନା କରିଦେଇଥିଲେ । ଏହାପରେ ରାକେଶ ବାରମ୍ବାର ପ୍ରେମ ନିବେଦନ କରିବା ପରେ ଯୁବତୀ ରାଜି ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା । ସମ୍ପର୍କର କିଛି ମାସ ପରେ ରାକେଶ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରସ୍ତାବ ଦେଇଥିଲା । ଏଥିରେ ଯୁବତୀ ରାଜି ହୋଇନଥିଲେ । ଏମିତିକି ବିବାହ ପରେ ରଖିବା ବୋଲି ସେ କହିଥିଲେ । ହେଲେ ରାକେଶ ତାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଆସୁଥିଲେ । ଗତ ମାର୍ଚ୍ଚ ମାସରେ ସମ୍ପୃକ୍ତ ଯୁବତୀଙ୍କୁ ରାକେଶ ଏକ ସ୍ଥାନକୁ ଦେଖା ହେବା ପାଇଁ ଡାକିଥିଲା । ପରେ ସେ ଯୁବତୀଙ୍କ ସହ କଥା ହେବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ଯୁବତୀ ଜଣକ ମନା କରିବା ସତ୍ତ୍ୱେ ମଧ୍ୟ ସେ ଜୋର୍ ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା ।

ଏହାପରେ ଯୁବତୀ ସେଠାରୁ ଖସିଆସି ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଖବରପାଇ ରାକେଶ ଫେରାର୍ ହୋଇଯାଇଥିଲା । ଗତ ଗୁରୁବାର ରାକେଶ ତା’ ଗାଁରେ ଥିବା ପୁଲିସ ଖବର ପାଇଥିଲା । ଏହାପରେ ମହିଳା ଥାନା ପୁଲିସର ଏକ ଟିମ୍ କାକଟପୁରର ପାଟପୁର ଅଞ୍ଚଳକୁ ଯାଇ ରାକେଶକୁ ଗିରଫ କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: