ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ନେତାନେତ୍ରୀଙ୍କ ପ୍ରତିକ୍ରିୟା

ରିପୋର୍ଟ: ଦେବଦତ୍ତ ରଥ //
ଭୁବନେଶ୍ୱର୦୭/୦୫): ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଏବେ ଗତ ଦୁଇ ଦିନ ଧରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ପଶ୍ଚିମବଙ୍ଗରେ ହିଂସା ପ୍ରତିବାଦରେ ଗତ ୫ ତାରିଖ ଦିନ ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରିଥିଲା ଉପବାସ ପ୍ରତିବାଦ। ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ଓଡ଼ିଶା ବିଜେପିର କିଛି ନେତାନେତ୍ରୀଙ୍କ ପ୍ରତିକ୍ରିୟା –

ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି, “ସଂଖ୍ୟାଲଘୁ ମାନେ ଏକଜୁଟ ହୋଇ ଭୋଟ୍ ଦେଲେ। ସଂଖ୍ୟାଲଘୁ ମାନେ ଏକଜୁଟ ହୋଇ ଗଣ୍ଡଗୋଳ କଲେ। ସଂଖ୍ୟାବହୁଳ ମାନଙ୍କର ଏକଜୁଟ ହେବା ଏବେ ଆରମ୍ଭ ହୋଇଛି। ଯେଉଁଦିନ ସାରା ଭାରତ ଜାଗିବ, ସେଦିନ ପରିସ୍ଥିତି ଅସମ୍ଭାଳ ହେବ। ପଶ୍ଚିମବଙ୍ଗକୁ ଆଉ ଏକ କାଶ୍ମୀର ହେବାକୁ ଅନ୍ତତଃ ପକ୍ଷେ ବିଜେପି କେବେ ସୁଯୋଗ ଦେବ ନାହିଁ। ରାଷ୍ଟ୍ରୀୟତା ପାଇଁ ଅତୀତରେ ବଳିଦାନ ଦେଇଛି, ଏବେ ତ’ କେନ୍ଦ୍ରରେ ସରକାର ଚଳାଉଛି। ଚୀନ ପ୍ରସଙ୍ଗ ଏଠାରେ ଉଦାହରଣ ସାପେକ୍ଷ।” – ବିଷ୍ଣୁ ସେଠୀ

 

 

ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା କହିଛନ୍ତି, “ପଶ୍ଚିମବଙ୍ଗରେ ଏଭଳି ବିଭତ୍ସ ଦୃଶ୍ୟଦେଖି ଆମମାନଙ୍କୁ ରାତି ସାରା ନିଦ ହେଉ ନାହିଁ। ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା +୨ ଛାତ୍ରୀ ସାସ୍ବତୀଙ୍କୁ ରାତିସାରା ଗଣଦୁଷ୍କର୍ମ କରି ଯେମିତି ବିଭତ୍ସ ଭାବରେ ହତ୍ୟା କରାଯାଇଛି, ମନେ ହେଉଛି ସତେ ଯେମିତି ବେଙ୍ଗଲ ଏବେ ପାକିସ୍ତାନ ସହ ମିଶିଯାଇଛି। ମମତା ବାନାର୍ଜୀଙ୍କୁ ନିଜକୁ ଲଜ୍ଜା ଲାଗିବା କଥା ଯେ “ମା ମାଟି ମାନୁଷ” କଥା କହି ନିର୍ବାଚନ ଜିତିବା ପରେ ଏହା କେଉଁ ଭଳି ମା’ ମାନଙ୍କୁ ସମ୍ମାନ? ଆଉ କ’ଣ କ’ଣ ଦେଖିବାକୁ ବାକି ରହିଲା ଆଗକୁ ଆଉ କ’ଣ ଘଟିବ କିଏ କହିବ? ଯଦି ଯେ କୌଣସି ଦଳ ଜିତିଲା ପରେ ପ୍ରତିହିଂସା ପରାୟଣ ହୁଏ ଭାରତର ପରିସ୍ଥିତି କ’ଣ ହେବ ଥରେ ଭାବି ଦେଖନ୍ତୁ! ଏହିପରି ଘଟଣାକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି। ଓଡ଼ିଶାରେ ଯେଉଁମାନେ ଗଣତନ୍ତ୍ର କଥା କହି ମମତା ବାନାର୍ଜୀଙ୍କୁ ବଧେଇ ଜଣାଉଥିଲେ ଏବେ ସମସ୍ତଙ୍କ ପାଟି ବନ୍ଦ କାହିଁକି?” – ପ୍ରଭାତୀ ପରିଡ଼ା

ବିଜେପି ନେତା ସଜ୍ଜନ ଶର୍ମା କହିଛନ୍ତି, “ଭିନ୍ନ ମତପୋଷଣ ଓ ଭିନ୍ନ ମତର ଜୟ ଓ ପରାଜୟ, ଗଣତାନ୍ତ୍ରିକ ବ୍ୟବସ୍ଥାର ନିତ୍ୟ ନୈମିତ୍ତିକ ଘଟଣା ଅଟେ। ଜୟ ଓ ପରାଜୟକୁ ସ୍ବାଭାବିକ ଭାବେ ଗ୍ରହଣ ଉଚ୍ଚ ମୂଲ୍ୟବୋଧ ଅଟେ। ଦୀର୍ଘ ୧୦ ବର୍ଷ ପରେ ମମତା ବାନାର୍ଜୀଙ୍କ ଦଳ ଏକ କଠିନ ମୁକାବିଲାର ସମ୍ମୁଖୀନ ହୋଇଛନ୍ତି। ‘ଖେଲା ହୋବେ’ ପରି ଶ୍ଲୋଗାନ ତାଙ୍କ କର୍ମୀଙ୍କୁ ଉଗ୍ର ଓ ହିଂସକ ହେବା ପାଇଁ ଉତ୍ସାହିତ କରିଛି।ଏହା କ’ଣ ତୃଣମୂଳ କଂଗ୍ରେସର ବିଜୟର ଉନ୍ମାଦ? ଏହା ସୋନାର ବାଂଲା ଗଢ଼ିବାରେ କେତେ ସହାୟକ ହେବ? “ମା’, ମାଟି ଓ ମାନୁଷ” ବିକାଶର ନାରା ଦେଇଥିବା ଦଳର ପଶ୍ଚିମବଙ୍ଗ ପାଇଁ ରହିଛି କେତେ ପ୍ରତିବଦ୍ଧତା? ଆଶା ରାଜ୍ୟ ଓ ଦେଶ ହିତରେ ସଦ୍ ବୁଦ୍ଧିର ଉଦୟ ହେବ।” – ସଜ୍ଜନ ଶର୍ମା

 

ବିଜେପି ରାଜ୍ୟ ଉପାଧ୍ୟକ୍ଷା ଅନିତା ଶୁଭଦର୍ଶିନୀ କହିଛନ୍ତି, “‘ଖେଲା ହୋବେ ମମତା ବାନାର୍ଜୀଙ୍କ ପାଇଁ କେବେ ବି ରାଜନୈତିକ ପ୍ରଚାର ନଥିଲା ବରଂ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ଉପରେ ଟିଏମସି କ୍ୟାଡରଙ୍କ ଅସଭ୍ୟ, ନିର୍ଦ୍ଦୟ ଓ ଆକ୍ରମଣାତ୍ମକ ହିଂସାର ନ୍ୟାରା ଥିଲା। ମମତା ବାନାର୍ଜୀଙ୍କୁ ନିଜକୁ ଲଜ୍ଜା ଲାଗିବା କଥା ଯେ “ମା ମାଟି ମାନୁସ’ କଥା କହି ନିର୍ବାଚନ ଜିତିବା ପରେ ଏହା କେଉଁ ଭଳି ମା’ ମାନଙ୍କୁ ସମ୍ମାନ? ମମତା ବାନାର୍ଜୀଙ୍କୁ ମନେ ରଖିବା ଦରକାର ଯେ ରାଜନୀତିରେ ହିଂସାର ସ୍ଥାନ ନାହିଁ। ଏହିପରି ଘଟଣାକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି। ଟିଏମସିର ଏପରି ଆକ୍ରମଣ ବିରୋଧରେ ତଥା ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଓ ଶାନ୍ତି ପାଇଁ ମୋ ବାସଭବନରେ ଉପବାସ କରି ପ୍ରତିବାଦ କରୁଛି।” – ଅନିତା ଶୁଭଦର୍ଶିନୀ

 

 

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, “ରକ୍ଷକ ଭକ୍ଷକ ସାଜିଲେ ରାଜ୍ୟର ପରିସ୍ଥିତି କ’ଣ ହୁଏ ତାହା ପଶ୍ଚିମବଙ୍ଗର ଘଟଣାରୁ ସ୍ପଷ୍ଟ ଭାବରେ ବାରି ହେଇପଡ଼ୁଛି। ପଶ୍ଚିମବଙ୍ଗ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା +୨ ଛାତ୍ରୀ ସାସ୍ବତୀଙ୍କୁ ରାତାରାତି ଗଣଦୁଷ୍କର୍ମ କରିବା ସହିତ ବିଭତ୍ସ ଭାବରେ ହତ୍ୟା କରାଯାଇଛି। ଏଇଭଳି ନିରୀହ ଝିଅ ବୋହୂଙ୍କୁ ହତ୍ୟା କରିବା ଦ୍ୱାରା ମମତା ବାନାର୍ଜୀଙ୍କୁ ନିଜକୁ ଲଜ୍ଜା ଲାଗିବା କଥା ଯେ “ମା ମାଟି ମାନୁସ’ କଥା କହି ନିର୍ବାଚନ ଜିତିବା ପରେ ଏହା କେଉଁ ଭଳି ମା’ ଭଉଣୀ ମାନଙ୍କୁ ସମ୍ମାନ ଦେଉଛନ୍ତି।” – ସ୍ମୃତି ପଟ୍ଟନାୟକ

 

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର କହିଛନ୍ତି, “ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ପ୍ରକ୍ରିୟାରେ ଜନତାଙ୍କର ସ୍ଵଇଚ୍ଛାରେ ମତଦାନ କରିବାର ପୂର୍ଣ୍ଣ ଅଧିକାର ଅଛି ଓ ସେଥିରେ ବାଧ୍ୟବାଧକତା କରିବା ଅନୁଚିତ। ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଟିଏମସିର କର୍ମୀମାନଙ୍କ ଯେଉଁଭଳି ବର୍ବର ଏବଂ ଅମାନୁଷିକ କାର୍ଯ୍ୟକଳାପ ଚାଳିଛି ତାହା ଅତ୍ୟନ୍ତ ନିନ୍ଦନୀୟ ତଥା ଅକ୍ଷମଣୀୟ। ହିଂସା, ଆତଙ୍କରାଜ ଓ ହତ୍ୟା ଦ୍ୱାରା କେବେଭି କୌଣସି ସମାଧାନ ହୋଇନାହିଁ। ବାରମ୍ବାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ବର୍ବରୋଚିତ ଆକ୍ରମଣକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ପଶ୍ଚିମବଙ୍ଗ ରବୀନ୍ଦ୍ର ନାଥ ଟାଗୋର, ଯୋଗୀ ଅରବିନ୍ଦ ଓ ସ୍ବାମୀ ବିବେକାନନ୍ଦଙ୍କ ଭଳି ମହାମନିଷୀଙ୍କୁ ପାଇ ପବିତ୍ର। ଏହି ଭଳି ସ୍ଥାନରେ ବର୍ବରୋଚିତ ଅତ୍ୟାଚାର ଓ ଆକ୍ରମଣ ନୁହେଁ, ବରଂ ସୁଖ ଓ ଶାନ୍ତିର ଗଣତନ୍ତ୍ର ବଜାୟ ରହୁ।” – କସ୍ତୁରୀ ମିଶ୍ର

 

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର କହିଛନ୍ତି, “ପଶ୍ଚିମବଙ୍ଗରେ ଟିଏମସିର ବିଜୟ ପରେ ମଧ୍ୟ ମମତା ବାନାର୍ଜୀ ଯେଉଁଭଳି ବର୍ବୋରଚିତ ଭାବରେ ବିଜେପି ସମର୍ଥିତ ଜନତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ହତ୍ୟା, ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟାଇ ଚାଲିଛନ୍ତି ତାହା ନିଶ୍ଚିୟ ଭାବରେ ଅତି ନିନ୍ଦନୀୟ। କଂଗ୍ରେସ ନେତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ମସିହାରେ ଆପାତ୍ତକାଳିନ ଲାଗୁ କରି ବିରୋଧୀ ମାନଙ୍କ ଉପରେ ଯେପରି ଅତ୍ୟାଚାର କରିଥିଲେ ଏବଂ ତାହା ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିଯାଇଛି, ଠିକ୍ ସେଇଭଳି ବର୍ତ୍ତମାନର ପଶ୍ଚିମବଙ୍ଗର ସ୍ଥିତି ସୂଚୀତ କରୁଛି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଏପରି ବର୍ବରୋଚିତ ଆକ୍ରମଣ ବିରୋଧରେ ତଥା ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଓ ଶାନ୍ତି ରକ୍ଷା ପାଇଁ ମୋ ବାସଭବନ ସମ୍ମୁଖରେ ଉପବାସ କରି ପ୍ରତିବାଦ କରିବା ସହ ଭଗବାନ ମମତା ବାନାର୍ଜୀଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି।” – ବବିତା ପାତ୍ର

 

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ବେଟି ପଢ଼ାଓ, ବେଟି ବଚାଓ ଅଭିଯାନର ରାଜ୍ୟ ସଂଯୋଜିକା ରଶ୍ମିମୟୀ ପଟ୍ଟନାୟକ କହିଛନ୍ତି, ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନୀ ରକ୍ତପାତ ଅତୀତର ଦେଶ ବିଭାଜନ କଥାକୁ ମନେ ପକେଇ ଦେଉଛି। ରାଜନୀତିରେ ହିଂସାର ସ୍ଥାନ ନାହିଁ। ଆଶ୍ଚର୍ଯ୍ୟ ଲାଗୁଛି ଯେ ମମତା ବାନାର୍ଜୀ ଜଣେ ମହିଳା ହୋଇ ସେ ପୁଣି ଏତେ କ୍ରୁର? ଆକ୍ରୋଶମୂଳକ ଭାବରେ ପ୍ରତିଶୋଧ ନେବା, ସେ ବି ସାଧାରଣ ନିରୀହ ଜନତାଙ୍କ ଉପରେ କସ୍ମିନକାଳେ କ୍ଷମଣୀୟ ନୁହେଁ। ଜଣେ ମହିଳା ଭାବେ ମମତା ବାନାର୍ଜୀଙ୍କୁ ଘୋର ନିନ୍ଦା କରିବା ସହିତ ଚେତାଇ ଦେଉଛି ଯେ ଗର୍ବ କାହାର ରହିନି। ଅତ୍ୟଧିକ ଯବନ ପ୍ରେମ ଆଗାମୀ ଦିନରେ ଭାରି ପଡ଼ିବ। ଅନ୍ଧାର ପରେ ଆଲୁଅ ନିଶ୍ଚେ ଆସେ। ଏବେ ତ’ ଭୋର ହେଇଗଲାଣି ସୂର୍ଯ୍ୟ ଉଇଁବାକୁ ଆଉ କେତେ ଡେରି? – ରଶ୍ମିମୟୀ ପଟ୍ଟନାୟକ

 

ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ମହିଳା ମୋର୍ଚ୍ଚା ଭଦ୍ରକ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି, “ନାଁ’ଟି ସିନା ମମତା, ହେଲେ ବ୍ୟକ୍ତିଗତ ଜୀବନରେ ତାଙ୍କ ଭଳି ଜଣେ ନିଷ୍ଠୁର ବ୍ୟକ୍ତି ରାଜନୀତି ପରି ଏକ ବହୁଜନ ହିତାୟ କ୍ଷେତ୍ରରେ ଥିବାରୁ ଆଜି ଏପରି ସ୍ଥିତିରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରବର୍ତ୍ତୀ ଅବସ୍ଥା। ମାତ୍ର ପ୍ରତି ଅନ୍ଧାରୀ ଶୁଡ଼ଙ୍ଗ ପରେ ନିଶ୍ଚିତ ଆଲୋକର ସନ୍ଧାନ ମିଳେ। ଏକଥା ମମତା ବାନାର୍ଜୀ ବୋଧେ ହେଜ କରିବାକୁ ଭୁଲି ଯାଇଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଟିଏମସିର କର୍ମୀମାନେ ଯେଉଁଭଳି ବର୍ବର କାଣ୍ଡ ଘଟାଇ ଚାଲିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ତଥା ଅକ୍ଷମଣୀୟ। ହିଂସା, ଆତଙ୍କରାଜ ଓ ହତ୍ୟା ଦ୍ୱାରା କୌଣସି ସମାଧାନ ହୋଇନାହିଁ। ବାରମ୍ବାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ବର୍ବରୋଚିତ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି।” – ହରପ୍ରିୟା ସାହୁ

 

ବିଜେପି ମହିଳା ମୋର୍ଚ୍ଚା କଟକ ଜିଲ୍ଲା (ସଦର) ସଭାନେତ୍ରୀ ଯାଜ୍ଞସେନୀ ଜେନା କହିଛନ୍ତି, ସ୍ୱାଧୀନ ଭାରତ, ଗଣତନ୍ତ୍ର ରାଷ୍ଟ୍ର। ଏଠି ରାଜା ନାହାଁନ୍ତି, ପ୍ରଜା ଶାସନ। କିନ୍ତୁ, ପ୍ରଜା ଶାସନରେ ପ୍ରଜା ଆଜି ଅସୁରକ୍ଷିତ। ଆମେ ସମ୍ବିଧାନକୁ ମାନୁ। ସମସ୍ତଙ୍କର ଅଧିକାର ରହିଛି ନିଜର ମତ ରଖିବା ପାଇଁ। କିନ୍ତୁ, କ’ଣ ହେଉଛି ଆଜି ପଶ୍ଚିମବଙ୍ଗରେ? ନିଜ ମତ ପାଇଁ ଆଜି ନିଜ ଜୀବନ ସମେତ ନିଜ ପରିବାର ଅସୁରକ୍ଷିତ। ରକ୍ଷକ ସାଜିଛି ଭକ୍ଷକ। ତେଣୁ, ପ୍ରଶ୍ନ ଉଠେ ଏଠି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବ କିଏ? ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଶାସନକୁ ଆସିବା ପରେ ଚାଲିଥିବା ଦମନ ଲୀଳାକୁ କେତେ ଦିନ ଆଉ ସହ୍ୟ କରିହେବ? ସମସ୍ତ ନୀତି ଆଦର୍ଶ ହରାଇ ପ୍ରତିପକ୍ଷଙ୍କୁ ଦମନ କରିବା ଏକ ଯୁଦ୍ଧ ସମ। ଯାହାକି ଅସମ୍ବିଧାନିକ। ହତ୍ୟା, ଲୁଟ୍, ଦୁଷ୍କର୍ମ ଭଳି ଫାଶୀବାଦ ଚିନ୍ତାଧାରାକୁ ପରିଚାଳିତ କରୁଛି ମମତା ସରକାର। ଦେଶର ବୁଦ୍ଧିଜୀବୀ ମାନେ ଆଜି ଚୁପ୍। ସାଧାରଣ ଜନତା ଯେ କାଲି ଭୋଟ୍ ଦେବାରୁ ବିତସ୍ପୃହ ନ’ହେବେ କିଏ କହିବ? ଗୁଣ୍ଡରାଜରୁ ମୁକ୍ତି ପାଇଁ ସଙ୍ଘୀୟ ବ୍ୟବସ୍ଥାରେ ଏଠି ଜରୁରୀ କାଳୀନ ଶାସନ ନିହାତି ଆବଶ୍ୟକ। – ଯାଜ୍ଞସେନୀ ଜେନା

2 thoughts on “ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ନେତାନେତ୍ରୀଙ୍କ ପ୍ରତିକ୍ରିୟା

  1. Post poll violence in West Bengal is not acceptable and completely against democratic values in India !

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: