ପରୀ ହତ୍ୟା ମାମଲା ର ୪ର୍ଥ ରିପୋର୍ଟ ଦାଖଲ କରିପାରିନାହିଁ ଏସ.ଆଇ.ଟି

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୦୨-୦୨): ବହୁଚର୍ଚିତ ପରି ହତ୍ୟା ମାମଲାର ତୃତୀୟ ତଥା ଶେଷ ରିପୋର୍ଟ ଜାନୁଆରୀ ୧୧ ତାରିଖରେ ଦାଖଲ କରିଥିଲା ଏସ୍ଆଇଟି । ଜାନୁଆରୀ ମାସ ଶେଷ ହୋଇଥିବା ବେଳେ ମଧ୍ୟ ୪ର୍ଥ ରିପୋର୍ଟ ଏସ୍ଆଇଟି ଦାଖଲ କରି ପାରି ନାହିଁ । ପରୀ ହତ୍ୟା ମାମଲାକୁ ନେଇ ଆଉ ନାହିଁ ତୁମ୍ବି ତୁଫାନ । ତଦନ୍ତ କ୍ଷେତ୍ରରେ ଅଗ୍ରଗତି ହେଉ ନ ଥିବା ଦେଖିବାକୁ ମିଳିଥିବା ବେଳେ ଆଉ ମାମଲାକୁ ନେଇ ବିରୋଧୀ ଉଠାଉ ନାହାନ୍ତି ପ୍ରଶ୍ନ । ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହୋଇ ସାରିଛି । ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ପାଇଁ ଆବଦେନ ବିଫଳ ହେବା ପରେ ପୁଲିସ ତଦନ୍ତରେ ଆଉ କିଛି ବାକି ଥିଲା ଭଳି ମନେ ହେଉନି । ସବୁଠୁ ବଡ କଥା ହେଉଛି ମାମଲାର ତୃତୀୟ ରିପୋର୍ଟ ଦାଖଲ ହେବାକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ୪ର୍ଥ ରିପୋର୍ଟ ଦାଖଲ କରିପାରିନାହିଁ ଏସ୍ଆଇଟି । ଏପରି ସ୍ଥଳେ ପରୀ ହତ୍ୟା ମାମଲା ଚାପି ଗଲାଣି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ପରୀ ମାମଲାର ତଦନ୍ତ ଭାର ଏସ୍ଆଇଟି ନେବା ପରେ ଗତ ଡିସେମ୍ବର ୧୫ ତାରିଖରେ ହାଇକୋର୍ଟରେ ପ୍ରଥମ ରିପୋର୍ଟ ଦାଖଲ କରିଥିଲା ଏସ୍ଆଇଟି । ଏହାର ଆଠ ଦିନ ପରେ ଅର୍ଥାତ୍ ଡିସେମ୍ବର ୨୩ ତାରିଖରେ ଦ୍ୱିତୀୟ ରିପୋର୍ଟ ଦାଖଲ କରାଯାଇଥିଲା । ତୃତୀୟ ତଥା ଶେଷ ରିପୋର୍ଟ ଦାଖଲ ୧୭ ଦିନରେ ଅର୍ଥାତ ଜାନୁଆରୀ ୧୧ ତାରିଖରେ ଦାଖଲ କରିଥିଲା ଏସ୍ଆଇଟି । ଜାନୁଆରୀ ମାସ ଶେଷ ହୋଇଥିବା ବେଳେ ମଧ୍ୟ ୪ର୍ଥ ରିପୋର୍ଟ ଏସ୍ଆଇଟି ଦାଖଲ କରି ପାରି ନାହିଁ । ଏହା ମଧ୍ୟରେ ୨୦ ଦିନ ବିତି ଗଲାଣି । ତେବେ କେବେ ରିପୋର୍ଟ ଦାଖଲ କରାଯିବ ଅବା ତଦନ୍ତର ଅଗ୍ରଗତି ନେଇ ଏସ୍ଆଇଟି ପକ୍ଷରୁ ମଧ୍ୟ କିଛି ସୂଚନା ଦିଆଯାଇ ନାହିଁ । ତୃତୀୟ ରିପୋର୍ଟ ଦାଲଖକୁ ନେଇ ହାଇକୋର୍ଟ ଖୁସୀ ଥିବା କୁହାଯାଇଥିଲା । ହେଲେ ଏତେ ଦିନ ପରେ ମଧ୍ୟ ୪ର୍ଥ ରିପୋର୍ଟ ଦାଖଲ ହୋଇ ନ ପାରିବାରୁ ତଦନ୍ତରେ ଆଉ କିଛି ବିକାଶ ହୋଇପାରି ନ ଥବା ମନେ ହେଉଛି ।

ଏପଟେ ଅଭିଯୁକ୍ତ ନାବାଳକ ବୋଲି କୋର୍ଟରେ ପ୍ରମାଣ ହୋଇସାରିଛି । ଏସ୍ଆଇଟି ପକ୍ଷରୁ ଅଭିଯୁକ୍ତଙ୍କର ନାର୍କୋ ଟେଷ୍ଟ ପରେ ବ୍ରେନ ମ୍ୟାପି ଟେଷ୍ଟ ପାଇଁ ଅଭିଯୁକ୍ତ ମନା କରି ଦେଇଥିବାରୁ ପୁଲିସ ପାଖରେ ଆଉ କିଛି ବିଳଳ୍ପ ନାହିଁ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ସେପରି କିଛି ପ୍ରମାଣ ଦେଇ ପାରି ନାହିଁ । ଅଭିଯୁକ୍ତଙ୍କୁ ବିରୋଧରେ ଏସଆଇଟି ଆଣିଥିବା ଅଭିଯୋଗ ସତ କି ମିଛ ତାହା ମଧ୍ୟ ଏବେ କହିବା କଷ୍ଟକର । ଏହାରି ମଧ୍ୟରେ ଏସଆଇଟି ହାଇକୋର୍ଟର ବିଚାରପତିଙ୍କୁ ତତ୍ୱବ୍ୟବଧାନରେ ତଦନ୍ତ କରୁ ନ ଥିବା ସ୍ପଷ୍ଟ ହୋଇ ସାରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସଆଇଟି ଆଣିଥିବା ଅଭିଯୋଗ ସତ ହୋଇଥିଲେ ମଧ୍ୟ ଏହାକୁ ପ୍ରମାଣ କରିବା ପୁଲିସ ପକ୍ଷେ କଷ୍ଟକର । କାରଣ ଏସଆଇଟି ତଦନ୍ତ ଭାର ଗ୍ରହଣ କରିବାରେ ବହୁ ବିଳମ୍ବ ହୋଇସାରିଥିଲା । ଯଦି ଅଭିଯୁକ୍ତଙ୍କ ସିମେନ ଅବା ଅନ୍ୟ କୌଣସି ଜିନିଷ ପିଡ଼ିତାଙ୍କ କୌଣସି ଜିନିଷରେ ସମ୍ବନ୍ଧ ରହିଥାଏ, ଏତେ ଦିନ ପରେ ସେସବୁ ନଷ୍ଟ ହୋଇଯିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଏପରି ସ୍ଥଳେ ଅଭିଯୁକ୍ତଙ୍କୁ ଦୋଷୀ ସାବସ୍ଥ୍ୟ କରିବା ପୁଲିସ ପକ୍ଷେ କଷ୍ଟକର ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତିି ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ପରୀ ତା ଗାଁ ନୟଗଡ଼ ଜିଲ୍ଲା ଯଦୁପୁରରୁ କେଉଁ ଆଡେ ନିଖୋଜ ହୋଇ ଯାଇଥିଲା । ଏହାର ୯ ଦିନ ପରେ କିଛି ହାଡ଼ ପରୀର ଘର ପଛ ପଟୁ ଉଦ୍ଧାର ହୋଇଥିଲା । ଏହି ହାଡ଼ର ଡିଏନଏ ଯାଞ୍ଚ ପରେ ତାହା ପରୀର ବୋଲି ସ୍ପଷ୍ଟ ହୋଇଥିଲା । ଏହା ପରେ ପରୀ ବାପା-ମା ବିଧାନସଭା ସମ୍ମୁଖରେ ଆତ୍ମହୁତି ଦେବାକୁ ଆସିବା ପରେ ମାମଲାର ତଦନ୍ତ ଭାର ଏସଆଇଟିକୁ ଦିଆଯାଇଥିଲା । ଡିସେମ୍ବର ୨ ତାରିଖରେ ମାମଲାର ତଦନ୍ତ ଭାର ଏସଆଇଟି ଗ୍ରହଣ କରିବା ସହ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଜଣଙ୍କ ପରୀକୁ ବଳାତ୍କାର ଉଦ୍ୟମ ପରେ ହତ୍ୟା କରିଥିବା ମାନିଥିଲା ବୋଲି ଏସଆଇଟି ପକ୍ଷରୁ କୁହାଯାଇଥିଲା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: