ନବରଙ୍ଗପୁର ଜିଲ୍ଲାରେ ଧାନମଣ୍ଡି ଶୁଭାରମ୍ଭ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୧/୧୨): ଜିଲ୍ଲାସ୍ତରୀୟ ୨୦୨୦-୨୧ ଖରିଫ ବର୍ଷ ଧାନ ମଣ୍ଡି ମଙ୍ଗଳବାର ସ୍ଥାନୀୟ ବଜାର କମିଟି ପରିସରରେ ଉଦଘାଟିତ ହୋଇଛି । ମୁଖ୍ୟ ଅତିଥଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରାଧନୀ , ସମ୍ମାନିତ ଅତିଥି ଭାବେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ , ପି ଡି ଡି ଆର୍ ଡି ଏ ରମାକାନ୍ତ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଚଳିତ ବର୍ଷ ସରକାର କୁଇଣ୍ଟାଲ ପିଛା ସର୍ବନିମ୍ନ ସାଧାରଣ ଧାନ ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇ ଥିବା ବେଳେ ଗ୍ରେଡ ‘ ଏ ‘ ଶ୍ରେଣୀର ଧାନ କୁଇଣ୍ଟାଲ ପିଛା ୧୮୮୮ ଟଙ୍କା ଧାର୍ଯ୍ୟ କରାଯାଇଛି । ଜିଲ୍ଲାରେ ୧୩ ଟି ଲ୍ୟାମ୍ପ ମାଧ୍ୟମରେ ୫୫ ଗୋଟି ସ୍ଥାୟୀ ଓ ଅସ୍ଥାୟୀ ଧାନ ମଣ୍ଡି ଦ୍ୱାରା ଚାଷୀ ମାନଙ୍କର ଉତ୍ପାଦିତ ଧାନକୁ ସୁବିକ୍ରିବଟା ବ୍ୟବସ୍ଥା କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ଚାଷୀ ଯେମିତି ମଣ୍ଡି ମାନଙ୍କରେ ହଇରାଣ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ଵ ଦେବା ସହ ଚାଷୀ ଠିକ୍ ସମୟରେ ଯେମିତି ତାଙ୍କ ପ୍ରାପ୍ୟ ପାଇବେ ଓ ଚାଷୀ ସ୍ୱାର୍ଥରେ ଆଞ୍ଚ ଯେମିତି ନ ଆସେ ସେ ନେଇ ଦୃଷ୍ଟି ଦେବାକୁ ବିଧାୟକ ଶ୍ରୀ ରନ୍ଧାରି କହିଥିଲେ। ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧକ୍ଷ ଭାସ୍କର ରଇତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆରଏମସି ସଂପାଦକ ଏସ ଏସ ସାହାଣୀ , ସିଏସଓ ସଞ୍ଜୀବ କୁମାର ସାହୁ , ଏସି ଏସ ଓ ଦୁର୍ଗା ପ୍ରସାଦ ମାଝୀ , ନବରଙ୍ଗପୁର ଲ୍ୟାମ୍ପ ଏମ୍ ଡି ଅରୁଣ ମହାପାତ୍ର , ମିଲ ମାଲିକ ସଂଘ ସଭାପତି ରାମା ରାଓ , ଏଆରସି ଏସ ଚନ୍ଦ୍ର ସେଠିଆ , ଝାଡେଶ୍ୱର ଖଡାଙ୍ଗା , ମଣ୍ଟୁ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଚଳିତ ବର୍ଷ ଜିଲ୍ଲାରେ ୧୦ ଲକ୍ଷ ୫୬ ହଜାର ମେଟ୍ରିକ ଟନ ଧାନ କ୍ରୟ ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ୭୦ ହଜାର ୮ ଶହ ମେଟ୍ରିକ ଟନ ଧାନ ଖରିଦ କରାଯିବ ।

ଜିଲ୍ଲାରେ ସମସ୍ତ ମଣ୍ଡି ମାନଙ୍କରେ ଚାଷୀ ମାନଙ୍କ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି । ଚଳିତ ବର୍ଷ ଜିଲ୍ଲାରେ ୭୬ ଜଣ ମିଲର ଧାନ ମଣ୍ଡି ରେ ଧାନ କ୍ରୟ କରିବା ପାଇଁ ସହମତି ପ୍ରକାଶ କରିଥିବା ବେଳେ ବର୍ତମାନ ସୁଦ୍ଧା ୫୨ ଜଣ ମିଲର ସେମାନଙ୍କ ସିକୁରୁଟି ଟଙ୍କା ଜମା କରିଥିବା ନେଇ ଯୋଗାଣ ବିଭାଗ ପକ୍ଷରୁ ଜଣାପଡିଛି । ଚଳିତ ବର୍ଷ ଜିଲ୍ଲାରେ ମୋଟ ୩୦, ୧୦୬ ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଥିବା ନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିହାଲ୍ , ଯୋଗାଣ ଅଧିକାରୀ ରାଜେଶ ଶବର , ଚାଷୀ ରାଜେନ୍ଦ୍ର ପଟନାୟକ , ନାଗେଶ୍ଵର ରାଓ , ସରୋଜ ପାତ୍ର , ପ୍ରଦୀପ ମିଶ୍ର ସମେତ ଆର୍ ଏମ୍ ସି ର ସୁପର ଭାଇଜର ବି . ଗଙ୍ଗା ରାଓ , ବାବୁନି ପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: