ଜେଲ ର ଚାରିକାନ୍ଥରେ ଥିବା ବାପ ପୁଅକୁ ରିମାଣ୍ଡରେ ନେବ ଭିଜିଲାନ୍ସ ବିଭାଗ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୦୨-୧୨): ଜେଲର ଚାରିକାନ୍ଥରେ ଦିନ କାଟୁଛନ୍ତି ଆଇଏଫଏସ୍‌ ପାଠକ ବାପ-ପୁଅଙ୍କ ଯୋଡି । ଏହି ପାଠକଙ୍କ ନାଁରେ ଏତଲା ଦେଲା ସ୍କାଏ କିଙ୍ଗ । ଚାଟର୍ଡ ଫ୍ଲାଇଟ୍‌ରେ ଯା, ଆସ କରି ଟ୍ରାଭେଲ୍ସ ସଂସ୍ଥାକୁ ୬୫ ଲକ୍ଷ ଟଙ୍କା ଠକିଛନ୍ତି । ପୁଣି ବଲାଙ୍ଗୀର ସେମାନଙ୍କ କେନ୍ଦୁପତ୍ର ଲିଙ୍କ ପାଇଁ ତନାଘନା କରୁଛି ଭିଜିଲାନ୍ସ ।

ବାପ-ପୁଅ ଜେଲ୍‌ରେ ଥିବାରୁ ସିଧାସଳଖ ପଚରା ଉଚରା ସମ୍ଭବ ନୁହେଁ। ଏଣୁ ତାଙ୍କୁ ରିମାଣ୍ଡରେ ଆଣିବାକୁ କମିସନରେଟ୍‌ ପୁଲିସ ଯୋଜନା କରୁଛି । ବଲାଙ୍ଗୀର କେନ୍ଦୁପତ୍ର ସର୍କଲରେ ସିସିଏଫ୍‌ ଭାବରେ ସେ ପାଖାପାଖି ୪ ବର୍ଷ ରହିଥିବାରୁ ଏଠାରେ ସେ ଏକ ବଡ଼ ଧରଣର ଦୁର୍ନୀତି କରିଥିବା ଭିଜିଲାନ୍ସ ସନ୍ଦେହ କରିଛି । ତାଙ୍କ କାର୍ଯ୍ୟକାଳରେ ୪୦୦ କୋଟିରୁ ଅଧିକ ଟଙ୍କା ସର୍କଲକୁ ଆସିଥିବା ବେଳେ ସେସବୁ କେମିତି ଖର୍ଚ୍ଚ ହୋଇଥିଲା ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି । ବଲାଙ୍ଗୀର ଭିଜିଲାନ୍ସ ଟିମ ମଙ୍ଗଳବାର ଅପରାହ୍ନରେ କେନ୍ଦୁପତ୍ର ସିସିଏଫ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲା ।

ସେଠାରେ ଅଭୟକାନ୍ତ ଥିବା ସମୟର ସବିଶେଷ ତଥ୍ୟ ପଚାରି ବୁଝିଥିଲେ ଭିଜିଲାନ୍ସ ସଦସ୍ୟ। ସିସିଏଫ୍‌ ଅନୁପସ୍ଥିତ ଥିବା ବେଳେ କାର୍ଯ୍ୟାଳୟର ବରିଷ୍ଠ କିରାଣି ଓ ଅନ୍ୟ କର୍ମଚାରୀମାନଙ୍କୁ ତାଙ୍କ ଫାଇଲପତ୍ର ସବୁ ମାଗିଥିଲେ । ଆଇଏଫ୍‌ଏସ୍‌ ପାଠକ କେତେ ଟଙ୍କାର ଦରମା ଏଠାରୁ ନେଇଛନ୍ତି? ଇନ୍‌କମ୍‌ ଟ୍ୟାକ୍ସ ସମ୍ବନ୍ଧୀୟ କାଗଜପତ୍ର କଣ ସବୁ ରହିଛି? ବ୍ୟକ୍ତିଗତ ଫାଇଲ ସବୁ ଯାଞ୍ଚ କରିଥିଲେ । ଏହା ସହ ଭିଜିଲାନ୍ସ ଟିମ୍‌ ଏକ ଚିଠି କରି କେନ୍ଦୁପତ୍ର ବିଭାଗର ବର୍ତ୍ତମାନର ସିସିଏଫ୍‌ଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିବାକୁ କହିଛି । ତାଙ୍କ ସମୟରେ କଣ ସବୁ ଟଙ୍କା କାରବାର ହୋଇଛି ସେ ନେଇ ବି ଭିଜିଲାନ୍ସ ପଚରା,ଉଚୁରା କରିଛି।

ବଲାଙ୍ଗୀର କେନ୍ଦୁପତ୍ର ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ମସିହା ଫେବ୍ରୁଆରି ୭ ତାରିଖରେ ଅଭୟକାନ୍ତ ବଲାଙ୍ଗୀର କେନ୍ଦୁପତ୍ର ସର୍କଲରେ ଯୋଗ ଦେଇଥିଲେ । ତାପରେ ସେ ଏଠାରେ ଆରମ୍ଭ କରିଥିଲେ ତାଙ୍କ କାରନାମା । ୨୦୧୭ ଜୁନ୍ ୧୧ ଯାଏଁ ସେ ବଲାଙ୍ଗୀର କେନ୍ଦୁପତ୍ର ସର୍କଲରେ ଅବସ୍ଥାପିତ ଥିଲେ। ସର୍କଲ ଅଧୀନରେ ଥିବା ୯ଟି ଜିଲ୍ଲାର ୮ଟି ଡିଭିଜନ ତାଙ୍କ ଅଧୀନରେ ରହିଥିଲା । ୨୦୧୫ ବର୍ଷରେ କେନ୍ଦୁପତ୍ର ଗୋଛାକଟା, ପତ୍ର ସଂଗ୍ରହ, ଫଡ଼ି ମରାମତି, କନ୍‌ଷ୍ଟ୍ରକସନ କାମରୁ ନେଇ କର୍ପୋରେସନକୁ କେନ୍ଦୁପତ୍ର ଦେବା ଯାଏଁ ୧୨୩ କୋଟି ଟଙ୍କା କେନ୍ଦୁପତ୍ର ଅପରେସନର ଗୋଟିଏ ବର୍ଷରେ ଅନୁଦାନ ଆସିଥିଲା । ସେହିପରି ୨୦୧୬ ମସିହାରେ ୧୨୪ କୋଟି ଟଙ୍କା ଆସିଥିଲା। ଏଭଳି ତାଙ୍କ କାର୍ଯ୍ୟକାଳ ଭିତରେ ପ୍ରାୟ ୪୦୦ କୋଟି ଟଙ୍କାର ଅନୁଦାନ ଆସି ଖର୍ଚ୍ଚ ହୋଇଥିଲା । ଆଉ ସେଥିରେ ପାଠକଙ୍କ ପିସି ଥିଲା ଅଲଗା । ସବୁ କାମରେ ବାବୁ ପିସି ନେଉଥିଲେ ବୋଲି ଚର୍ଚ୍ଚା। ଏ ନେଇ ଏବେ ତଥ୍ୟ ପଦାକୁ ଆସିବା ପରେ ସେହି ଦିଗରେ ବି ଭିଜିଲାନ୍ସ ତଦନ୍ତ ଆଗେଇବ ବୋଲି ସୂଚନା ମିଳିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: