ଜୁନ୍ ୪ ତାରିଖ ଯାଏ ଘୁଞ୍ଚିଲା ଗ୍ଲୋବାଲ ଟିକା ଟେଣ୍ଡର; ଆଜି ଖୋଲାଯାଇଥାନ୍ତ ବିଡ୍

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୨୮/୦୫): କରୋନା ଟିକା କିଣିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ ଟେଣ୍ଡର ଅବଧିବକୁ ବଢାଇ ଦିଆଯାଇଛି । ଆଜି ସରିବାକୁ ଥିବା ଏହି ପ୍ରକ୍ରିୟାକୁ ଗୋଟିଏ ସପ୍ତାହ ପାଇଁ ଅର୍ଥାତ୍ ଆସନ୍ତା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ବଜାରରୁ ଟିକା କିଣିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ ।

ଏଥିରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କଂପାନୀ ଅଂଶଗ୍ରହଣ କରିଥିଲେ । ଆଜି ଟେଣ୍ଡର ପାଇଁ ବିଡ୍ ଖୋଲାଯିବାର ଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଆଉ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଟିକା ବିକିବା ପାଇଁ କମ୍ କମ୍ପାନୀ ଆବେଦନ କରିଥିବାରୁ ଏହି ଅବଧି ବଢାଯାଇଛି ବୋଲି ସୂଚନା ମିଳିଛି । ଦେଶରେ ଉତ୍ପାଦନ ହେଉଥିବା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଉପଯୁକ୍ତ ପରିମାଣର ମିଳି ପାରୁନଥିବାରୁ ଗ୍ଲୋବାଲ୍ ଟେଣ୍ଡର ଟକା କିଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରିଥିଲେ । ଏହାସହ ଅଧିକ କଂପାନିକୁ ଆକୃଷ୍ଟ କରିବାକୁ ନିକଟରେ ଟେଣ୍ଡରର କେତେକ ସର୍ତ୍ତରେ ପରିବର୍ତ୍ତନ ମଧ୍ୟ କରାଯାଇଥିଲା । ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟିକା ଦେବେ ବୋଲି ଘୋଷଣା କରିଛନ୍ତି । ଓଡ଼ିଶାର ୨ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବାକୁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: