ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଚଢ଼ାଉ, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିର୍ଦ୍ଧାରଣ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୦/୦୫): ନବରଙ୍ଗପୁର ଜିଲ୍ଲାରେ କରୋନା କାୟା ବିସ୍ତାର କରିଥିଲା ବେଳେ ଏହାକୁ ନିୟନ୍ତ୍ରଣ କରିବାପାଇଁ ସରକାର ଲକ୍ ଡାଉନ୍ ଓ ସଟ ଡାଉନ୍ ଘୋଷଣା କରିଛନ୍ତି । ଏହାର ସୁଯୋଗ ନେଇ ବ୍ୟବସାୟୀ ମାନେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକୁ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ବିକ୍ରି କରିଥିବା ଅଭିଯୋଗ ହୋଇଆସୁଛି । ରାଜ୍ୟ ଯୋଗାଣ ଓ ଖାଉଟି ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ଯୋଗାଣ ବିଭାଗର ଏକ ଦଳ ପୌରାଞ୍ଚଳର ବିଭିନ୍ନ ହୋଳସେଲ ଓ ଖୁଚୁରା ଦୋକାନ ଗୁଡ଼ିକରେ ଚଢାଉ କରିବା ସହ ପ୍ରତ୍ୟେକ ଜିନିଷର ଦର ଚାର୍ଟ ତଦାରକ କରିଥିଲେ ।

ଆସନ୍ତା କାଲି ଠାରୁ ପ୍ରତ୍ୟେକ ହୋଲସେଲ ଓ ଖୁଚୁରା ଦୋକାନ ମାନଙ୍କରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଦର ବିଭିନ୍ନ ଜିନିଷର ଦର ଚାର୍ଟରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ପକ୍ଷରୁ ଆଳୁ କିଲୋ ପ୍ରତି ୧୬ ରୁ ୧୮ ଟଙ୍କା , ପିଆଜ କିଲୋ ପିଛା ୧୮ ରୁ ୨୦ ଟଙ୍କା , ହରଡ ଡାଲି କିଲୋ ୯୦ ରୁ ୧୦୦ ଟଙ୍କା , ମୁସରି ଡାଲି ୮୨ ରୁ ୮୫ ଟଙ୍କା , ମୁଗ ଡାଲି ୧୧୦ ଟଙ୍କା , ରିଫାଇଣ୍ଡ ତେଲ ୧୫୦ ରୁ ୧୯୦ ଟଙ୍କା , ପାଲମ୍ ତେଲ ୧୪୦ ରୁ ୧୫୦ ଟଙ୍କା , ଚିନି କିଲୋ ପିଛା ୪୦ ଟଙ୍କା , ଚଣା ଡାଲି କିଲୋ ପିଛା ୭୦ ଟଙ୍କା , ଚୁଡ଼ା କିଲୋ ପିଛା ୩୦ ଟଙ୍କା ( ସ୍ଥାନୀୟ) , ମୋଟର ଚଣା କିଲୋ ପିଛା ୭୦ ରୁ ୭୫ ଟଙ୍କା , ଅଟା କିଲୋ ପିଛା ୨୫ ଟଙ୍କା , ସୁଜି କିଲୋ ପିଛା ୩୦ ଟଙ୍କା , ମଇଦା ଚୁନା କିଲୋ ପିଛା ୨୮ ଟଙ୍କା ଓ ଟାଟା ଲୁଣ କିଲୋ ପିଛା ୨୦ ଟଙ୍କା ରେ ବିକ୍ରି କରିବା ସହ ଜିନିଷର ଦର ଚାର୍ଟରେ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମହାମାରୀ କୋଭିଡ ସମୟରେ ବ୍ୟବସାୟୀ ମାନେ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ବିକ୍ରୀ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଦୋକାନକୁ ସିଲ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଜିଲ୍ଲାରେ ଆନୁମାନିକ ୨ ହଜାର ଅଧିକ ଆଳୁ ବସ୍ତା ଗଚ୍ଛିତ ରହିଥିବା ବେଳେ ୯ ଶହରୁ ଅଧିକ ପିଆଜ ବସ୍ତା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରଯାଇଥିଲା । ଆଜିର ଏହି ଚଢ଼ାଉରେ ଜିଲ୍ଲା ସହ ଯୋଗାଣ ଅଧିକାରୀ ଲକ୍ଷ୍ମଣ ରାଓ , ଏମ ଆଇ ରାଜେଶ ଶବର , ରମେଶ ନାୟକ ଯୋଗ ଦେଇଥିଲେ ।

Welcome to Odisha News24

error: Content is protected !!
%d bloggers like this: