ଛୁଟି ଦିନରେ ମଧ୍ୟ ଚାଲୁ ରହିବ ବ୍ୟାଙ୍କ କାର୍ଯ୍ୟ: ଶକ୍ତିକାନ୍ତ ଦାସ

ରିପୋର୍ଟ: ସୁଭାସିସ ନାୟକ //
ମୁମ୍ବାଇ(୦୬/୦୬) : ବ୍ୟାଙ୍କ ଖୋଲା ଥାଉ ଅଥବା ବନ୍ଦ କାର୍ଯ୍ୟ ଅଟକିବ ନାହିଁ । ବ୍ୟାଙ୍କ ଛୁଟି ଥିଲେ ମଧ୍ୟ କ୍ଲିୟରିଂ କାର୍ଯ୍ୟ ହୋଇପାରିବ । ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ‘ଜାତୀୟ ସ୍ୱୟଂକ୍ରିୟ କ୍ଲିୟରିଂ ହାଉସ୍’ (ଏନ୍ଏସିଏଚ୍) ସବୁ ଦିନ ଉପଲବ୍ଧ ହେବ । ଚଳିତ ବର୍ଷ ଅଗଷ୍ଟ ୧ରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହାର ଅର୍ଥ ହେଉଛି ଆଉ ବ୍ୟାଙ୍କ ଛୁଟି ଥିବା ଦିନରେ କ୍ଲିୟରିଂ ଦରକାର ପଡ଼ୁଥିବା କୌଣସି କାମ ଅଟକିବ ନାହିଁ । ସ୍ୱୟଂକ୍ରିୟ ଡେବିଟ୍, କର୍ମଚାରୀଙ୍କ ଖାତାରେ ବେତନ ଜମା ହେବା ଭଳି କାମ ସବୁଦିନ ହୋଇପାରିବ । ଆଜି ମୁଦ୍ରାନୀତି ବୈଠକର ନିଷ୍ପତ୍ତି ବିଷୟରେ ଘୋଷଣା କରିବା ବେଳେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି । ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବାରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି ।

ଏବେ ପ୍ରଚଳନରେ ଥିବା ନିୟମ ଅନୁସାରେ ବ୍ୟାଙ୍କ ଛୁଟି ଥିବା ଦିନଗୁଡ଼ିକରେ ସ୍ୱୟଂକ୍ରିୟ ଡେବିଟ୍, ବେତନ କ୍ରେଡିଟ୍, ମ୍ୟୁଚୁଆଲ୍ ଫଣ୍ଡ୍ର ଏସ୍ଆଇପି, ଘର, ର୍କା ଓ ବ୍ୟକ୍ତିଗତ ଋଣର ଇଏମ୍ଆଇ ପାଇଁ ଖାତାରୁ ସ୍ୱୟଂକ୍ରିୟ ଭାବେ ଟଙ୍କା କଟିବା କାମ ହୋଇପାରୁନାହିଁ । ନୂଆ ବ୍ୟବସ୍ଥାରେ ଏହି କାମ ସବୁଦିନ ହେବ । ଜାତୀୟ ଛୁଟିଦିବସ, ଗେଜେଟେଡ୍ ଛୁଟିଦିନ, ରବିବାର ଭଳି ଦିନଗୁଡ଼ିକରେ ସ୍ୱୟଂକ୍ରିୟ ଡେବିଟ୍ ହୋଇପାରୁନାହିଁ ।  ନୂଆ ବ୍ୟବସ୍ଥା ଆସନ୍ତା ଅଗଷ୍ଟରୁ ଲାଗୁ ହେବାକୁ ଥିବାରୁ ଗ୍ରାହକମାନଙ୍କୁ ନିଜ ଖାତାରେ ସବୁବେଳେ ପର୍ଯ୍ୟାପ୍ତ ପରିମାଣର ବାଲାନ୍ସ ରଖିବାକୁ ପଡ଼ିବ । ଅନ୍ୟଥା ଛୁଟିଦିନରେ ସ୍ୱୟଂକ୍ରିୟ ଡେବିଟ୍ ହୋଇପାରିବନି । ଏଭଳି ପରିସ୍ଥିତିରେ ଜରିମାନା ଗଣିବାକୁ ପଡ଼ିପାରେ । ଜରିମାନାକୁ ଏଡ଼ାଇବା ଲାଗି ଖାତାରେ ସବୁ ବେଳେ ବାଲାନ୍ସ ରଖିବାକୁ ପଡ଼ିବ । ଆଜି ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୫%କୁ ଖସିବ ଓ ମୁଦ୍ରାସ୍ଫୀତି ହାର ୫.୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି । ଏହା ମଧ୍ୟ ଜଣାଇଛି ଯେ ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୬୦୦୦ କୋଟି ଡଲାରରେ ପହଞ୍ଚିବ । ଆଜି ହୋଟେଲ୍, ପର୍ଯ୍ୟଟନ ଓ ବିମାନ ଶିଳ୍ପ ଲାଗି ୧୫ ହଜାର କୋଟି ଟଙ୍କାର ଅତିରିକ୍ତ ଲିକ୍ୱିଡ୍ ସହାୟତା ଘୋଷଣା କରାଯାଇଛି । ଗତ ଏପ୍ରିଲ୍ରେ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା ଯେ ଏବର୍ଷ ଅଭିବୃଦ୍ଧି ୧୦.୫% ହେବ ।

Welcome to Odisha News24

error: Content is protected !!
%d bloggers like this: