ଗରିବଙ୍କ ପେଟଙ୍କୁ ଲାତ : ଉଠା ଦୋକାନୀଙ୍କ ଉପରେ BMCର ଦାଦାଗିରି

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୨୯-୦୧): ପୂର୍ବ ସୂଚନା ଦିଆ ନ ଯାଇ ଅତର୍କିତ ଭାବେ ରସୁଲଗଡ଼ରୁ ଏସପ୍ଳାନେଡ଼ ରାସ୍ତା କଡ଼ରେ ଥିବା ୫୦ ରୁ ଉର୍ଦ୍ଧ୍ବ ଉଠା ଦୋକାନକୁ ଭାଙ୍ଗି ଦେଇଛି BMC ଉଚ୍ଛେଦ ଟିମ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରକାଶ ଯେ, ରସୁଲଗଡ ଶିଳ୍ପାଞ୍ଚଳରେ ଶିଳ୍ପ ସଂସ୍ଥାମାନଙ୍କୁ ଇଡକୋ(IDCO) ଗେଲ୍ହାପୁଅ ଭାବେ ଜମି ଦେଇଛି । ସେଥିମଧ୍ୟରୁ ଅନେକ ସଂସ୍ଥା ଦିଆଯାଇଥିବା ଜମିକୁ ବ୍ୟବହାର ମଧ୍ୟ କରୁନାହାନ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲେ ମଧ୍ୟ ଏଯାବତ କୌଣସି ଆଖିଦୃଶିଆ ପଦକ୍ଷେପ ସରକାର କିମ୍ବା IDCO କର୍ତ୍ତୃପକ୍ଷ ଗ୍ରହଣ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଗରିବ, ଖଟିଖିଆ ମାନଙ୍କ ଉପରେ ଜୁଲମ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି । ଦାନା ଦିଟା ପାଇଁ କ୍ୟାବିନ ପକାଇ ରୋଜଗାର କରୁଥିବା ଗରିବଙ୍କ ସାହା ହେବା ବଦଳରେ ଜୋର ଯବରଦସ୍ତି ବିଏମସି ଜରିଆରେ ପେଟକୁ ଲାତ ମାରିଛି IDCO । ବିନା କୌଣସି ପୂର୍ବ ସୂଚନା ଦିଆଯାଇ ଅତର୍କିତ ଭାବେ ଉଠା ଦୋକାନୀଙ୍କ ଉପରେ ହଟାଇ ଦେଇଛି BMCର ଏହି ଟିମ । ପାଖାପାଖି ୫୦ ଦୋକାନ ସ୍ଥାନକୁ ଭାଙ୍ଗି ଚୁରମାର କରିଦେଇଛନ୍ତି BMC କର୍ମଚାରୀ । ଟିକେ ସମୟ ଦେବାକୁ ଗୁହାରୀ କରିଥିଲେ ମଧ୍ୟ କର୍ଣ୍ଣପାତ କରିନାହାନ୍ତି ଅଧିକାରୀ । ପେଟ ପୋଷିବା ପାଇଁ ଦୋକାନ ଖଣ୍ଡେକୁ ଭରସା କରିଥିବା ଏହି ଲୋକଙ୍କ ଦୁଃଖ ବୁଝିବା ପାଇଁ କାହାରି ନଥିଲା ଆନ୍ତରିକତା ।

ତେବେ କିଛିଦିନ ପୂର୍ବରୁ IDCO ଅଧୀନରେ ଥିବା ଏସପ୍ଲାନେଡ ରୋଡରେ କୃତିମ ବନ୍ୟା ଖବର ପ୍ରସାରିତ ହେବା ପରେ ଔଷଧ ରାଗ ତାଟିଆ ଉପରେ ସୁଝାଇଛନ୍ତି କତ୍ତୃପକ୍ଷ । ୩୧ନମ୍ବର ୱାର୍ଡ ରେ ଆସୁଥିବା ଏହି ସ୍ଥାନରେ ଦୀର୍ଘ ୨୦ବର୍ଷ ହେବ ଦୋକାନ କରି ଚଳୁଥିବା ଲୋକଙ୍କୁ ସରକାରୀ ଜୁଲମ ଆଦୌ ପସନ୍ଦ ଆସିନି । ସେମାନଙ୍କ ମୁତାବକ ଯଦି କୌଣସି ଅସୁବିଧା ଥିଲା ତେବେ କତ୍ତୃପକ୍ଷ ଆମକୁ ଅବଗତ କରାଇବା ସହ ଦୋକାନ ଉଠାଇବାକୁ ସମୟ ଦେବା ଉଚିତ ଥିଲା । ହେଲେ ଏଭଳି ଅମାନୁଷିକ କାର୍ଯ୍ୟ କରି ଗରିବଙ୍କ ପେଟକୁ ଗୋଇଠା ମାରିବା ଆଦୌ ସହ୍ୟ ନୁହଁ ।

ଏସପ୍ଲାନେଡ଼ ଫାଟକ ନମ୍ବର ୨ ପାଖେ ଏହି ମହାମାରୀରେ ବିରିଆନୀ ଦୋକାନ ଆରମ୍ଭ କରିଥିବା ଯୁବକ ସୌରଭ ସାହୁ କହନ୍ତି,”ପରିବାର ପୋଷଣ ପାଇଁ ଲକଡାଉନ ପରେ ଦୋକାନ ଆରମ୍ଭ କରିଥିଲି, ଭଲ ବେପାର ହେବା ସାଙ୍ଗକୁ ଗୁଜୁରାଣ ମଧ୍ୟ ମେଣ୍ଟିଯାଉଥିଲା । କିନ୍ତୁ ହଟାତ ଦିନ ୧୧.୩୦ସମୟରେ ଏକ ଜେସିବି ଏବଂ କିଛି ଲୋକ ଆସି ଦୋକାନ ମାନ ଭାଙ୍ଗିବା ଆରମ୍ଭ କରିଦେଲେ । ମୋତେ ମଧ୍ୟ ୧୦ମିନିଟରେ ଦୋକାନ ଖାଲି କରିବାକୁ କହିଲେ । ମୋର ସେଦିନର ପଖପାଖି ୫୦୦୦ରୁ ଉର୍ଦ୍ଧ ଟଙ୍କାର ବିରିୟାନି ନଷ୍ଟ ହେବା ସହ ଅନେକ ଆସବାପତ୍ର କ୍ଷତି ହୋଇଛି”।

ସେହିପାରିଭାବେ ଉକ୍ତ ୩୧ନମ୍ବର ୱାର୍ଡରେ ବସବାସ କରୁଥିବା ୨୦-୨୫ ପରିବାର ଲୋକ ଦୀର୍ଘ ୨୬ବର୍ଷ ଧରି ସେଠାରେ ଦୋକାନ ଚଳାଇ ପେଟ ପୋଷୁଥିଲେ । ସେମାନଙ୍କ ପକ୍ଷକୁ ମଧ୍ୟ ଧ୍ୟାନଦେଇନାହାନ୍ତି କତ୍ତୃପକ୍ଷ । ଏଭଳି ଅତର୍କିତ ଉଚ୍ଛେଦକୁ ନେଇ ଦୋକାନୀ ରାମ ସେଠି କହିଛନ୍ତି,”ମୁଁ ଏହି ଜାଗାରେ ୨୫ବର୍ଷ ହେଲା ଅଛି । ମୋତେ ସରକରୀ ପଟ୍ଟା ମଧ୍ୟ ମିଳିଛି । ତେବେ ହଟାତ ଆସି ଏଭଳି ମୋ ଘର ଭାଙ୍ଗିଦେଲେ ମୁଁ ରହିବି କଉଠି, ଖାଇବି କଣ ? ଏ ବାବୁ ମାନଙ୍କର କଣ ମଣିଷ ନୁହଁନ୍ତି,ଗରିବ ପାଇଁ କଣ ଏଭଳି ଦୟା “!

ସେହିପରି, ଦୋକାନୀ ବାବୁଲା ନାୟକ(୩୧)ଙ୍କ ଦୋକାନ ମଧ୍ୟ ନଷ୍ଟ ହୋଇଯାଇଛି । ବେପାର ଭଲ ନଥିବା ବେଳେ ହାତଥ ୧୫୦୦ଟଙ୍କା ଦୋକାନକୁ ବଞ୍ଚେଉଇବା ପାଇଁ, ଏହା ଯୋଗାଡ କରିବା ଚିନ୍ତାରେ ତାଙ୍କ ବ୍ଲଡ଼ ପ୍ରେସର ବାହାରି ବେହୋସ ହୋଇଯାଇଥିବା ଖବର ମଧ୍ୟ ଆସିଛି ଉକ୍ତ ସ୍ଥାନରୁ । ତାଙ୍କ ମୁଣ୍ଡ ମଧ୍ୟ ମାଡ଼ ହୋଇ ସେ ଅସୁସ୍ଥ ହୋଇଛନ୍ତି । ସେହିପରି ରାମ ସାହୁ, ରାଧାକାନ୍ତ ସାହୁ, ଭାରତୀ ବେହୁରାଙ୍କ ଭଳି ଉଠା ଦୋକାନୀ ମାନଙ୍କ ଦୁଃଖ ମଧ୍ୟ ସମାନ । ଆମେ ଏବେ କରିବୁ କଣ, ବଞ୍ଚିବୁ କେମିତି,ପିଲାଛୁଆଙ୍କୁ କଣ ଖାଇବାକୁ ଦେବୁ ?

ତେବେ, ଅନୁକମ୍ପା କାହାକୁ ଦେବା ଜରୁରୀ ଏତିକି କଣ ଏହି ବାବୁ ମାନଙ୍କୁ ଜଣାନାହିଁ । କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କୁଥିବା ଅନୁଷ୍ଠାନ ଉପରେ କଡା କଟକଣା ଲାଗୁ ନ କରାଯାଇ ଦୋକାନଟିଏ କରି ପେଟ ପୋଷୁଥିବା ଲୋକ ଉପରେ ଏତେ କ୍ରୁର ମନୋଭାବକୁ ସାଧାରଣରେ ନିନ୍ଦା କରାଯାଇଛି । ଏହାର ପ୍ରତିବାଦ ତଥା ଥଇଥାନ ପାଇଁ ସେହିଦିନ (ବୁଧବାର)ଆନ୍ଦୋଳନ ମଧ୍ୟ କରିଥିଲେ ଦୋକାନୀ ମାନେ । ହେଲେ ବିନା କୌଣସି ପ୍ରତିଶୃତି କିମ୍ବା ପଦସ୍ଥ ଅଧିକାରୀ ସେଠାରେ ଉପସ୍ଥିତ ହେବା ପରିବର୍ତ୍ତେ କେବଳ ପୋଲିସ ଆସି ବୁଝାସୁଝା କରି ଆନ୍ଦୋଳନଙ୍କୁ ଶାନ୍ତ କରିଥିଲା । କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର ମଧ୍ୟ ଦୋକାନିଙ୍କୁ କୌଣସି ପ୍ରତିଶ୍ରୁତି ଦେବାକୁ ଅସମର୍ଥ । ଏଭଳି ସ୍ଥିତିରେ ଅସହାୟ ଦୋକାନୀ ମାନେ ଖୋଜୁଛନ୍ତି ସାହା । ତେବେ ସରକାର ଏଥିପ୍ରତି ଧ୍ୟାନ ଦେଇ, ତୁରନ୍ତ ଏହି ସମସ୍ୟାକୁ ସମାଧାନ କରିବା ଦିଗରେ ହାତ ବଢାଇବା ନେଇ ପୂର୍ବତନ କର୍ପୋରେଟରଙ୍କ ମାଧ୍ୟମରେ ଗୁହାରୀ କରିଛନ୍ତି କ୍ଷତିଗ୍ରସ୍ତ ଦୋକାନୀ । ତେବେ, ସରକାର,IDCO କତ୍ତୃପକ୍ଷ ଏହି ସମସ୍ୟାର ତୁରନ୍ତ ସମାଧାନ ନକଲେ ଦୋକାନୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ମୁଖ୍ୟ ରାସ୍ତାରେ ନିଜର ହକ୍ ପାଇଁ ପ୍ରତିବାଦ କରିବା ନେଇ ଆଭାସ ମଧ୍ୟ ଦେଇଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: