କୋଭିଡ୍ ପରିଚାଳନା ଦାୟିତ୍ୱରୁ ମୁକ୍ତ ହେଉଛନ୍ତି ଅଧିକାରୀ,ଭୁବନେଶ୍ୱର

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୧୫-୧୨): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସଂକ୍ରମଣ ହ୍ରାସ ପାବାରେ ଲାଗିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କିଛି ଖାସ୍ ପରିବର୍ତନ ନ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏବେ ତାର ଅତିରିକ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାୟିତ୍ୱରୁ ମୁକ୍ତ କରାଉଛି । ଦୈନିକ ସଂକ୍ରମଣ ହ୍ରାସ ପାଇବା ଫଳରେ ଦୈନିକ ପରୀକ୍ଷଣ, କଂଟାକ୍ଟ ଟ୍ରେସିଂ, ଆକ୍ଟିଭ୍ ସର୍ଭେଲାନ୍ସ ଏବଂ କୋଭିଡ୍ ସହାୟତା ସେଲର ଲୋକବଳ ମଧ୍ୟ ହ୍ରାସ କରାଯାଉଛି । ଫଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ବିଏମ୍ସିକୁ ଆସିଥିବା ଅଧିକାଂଶ ଷ୍ଟାଫ ପୂର୍ବ ଅଫିସ୍କୁ ଫେରିଯାଇଛନ୍ତି । ପୂର୍ବଭଳି ଆଉ ସ୍ଥିତି ନ ଥିବା ବିଚାର କରି ବିଏମ୍ସି କୋଭିଡ୍ ପରିଚାଳନାରେ ନିୟୋଜିତ ଷ୍ଟାଫ୍ ସଂଖ୍ୟା ହ୍ରାସ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୂତାବକ, କୋଭିଡ୍ ସଂକ୍ରମଣ ବ୍ୟାପକ ହେବାରୁ ପରିଚାଳାନ ନିମନ୍ତେ ବିଏମ୍ସି ରାଜ୍ୟ ସରକାରଙ୍କଠୁ ଅଧିକ ଷ୍ଟାଫ୍ ମାଗିଥିଲା । ଆୟୁଷ ଡାକ୍ତର, ଆସିଷ୍ଟାଂଟ ସେକ୍ସନ ଅଫିସର(ଏଏସ୍ଓ) ଏବଂ ଅନ୍ୟ ବହୁ ଅଫିସରଙ୍କ ସହାୟତା ଲୋଡ଼ିଥିଲା । ବିଭିନ୍ନ ବିଭାଗର ୨୫ ଅଫିସର, ୫୦ ଏଏସ୍ଓ ଏବଂ ୧୫ ଡାଟା ଏଂଟ୍ରି ଅପରେଟର ଏବଂ କିଛି ଆୟୁଷ ଡାକ୍ତର ବିଏମ୍ସିର କୋଭିଡ୍ ପରିଚାଳନାରେ ସାମିଲ ହୋଇଥିଲେ । ଏମାନେ ଫେରନ୍ତାଙ୍କ ନାମ ପଞ୍ଜୀକରଣ, ଆକ୍ଟିଭ୍ ସର୍ଭେଲାନ୍ସ, ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବା , କ୍ୱାରେଂଟାଇନ୍ କେନ୍ଦ୍ର ପରିଚାଳନା, ନମୁନା ସଂଗ୍ରହ, କଂଟାକ୍ଟ ଟ୍ରେସିଂ, ଆକ୍ରାନ୍ତଙ୍କ ଘରେ କୋଭିଡ୍ ଷ୍ଟିକର ମାରିବା, ଟାଟାବେସ୍ ପରିଚଳାନା, ଗୃହ ଏକାନ୍ତବାସରେ ଥିବା ଆକ୍ରାନ୍ତଙ୍କ ଘରକୁ ଯାଇ ଔଷଧ ଦେବା ଆଦି କାର୍ଯ୍ୟରେ ନିୟୋଜିତ ଥିଲେ । ଏବେ ବିଏମ୍ସି ପର୍ଯ୍ୟାୟକ୍ରମେ ଏମାନଙ୍କୁ କାର୍ଯ୍ୟରୁ ମୁକ୍ତ କରିଛି । ବିଏମ୍ସିର ରାପିଡ୍ ରେସ୍ପନ୍ସ ଟିମ୍ ସଂଖ୍ୟା ହ୍ରାସ କରିଛି । ପୂର୍ବରୁ ପ୍ରାୟ ୯୦ ଜଣିଆ ଆର୍ଆର୍ଟି ଥିବାବେଳେ ଏହି ସଂଖ୍ୟା ୧୦କୁ କମି ଆସିଛି । ବିଏମ୍ସିର କୋଭିଡ୍ ପରିଚାଳନା ସେଲ୍ରେ କାର୍ଯ୍ୟରତ କର୍ମଚାରୀ, ଡାକ୍ତର, ମନୋଚିକିତ୍ସକ ଏବଂ କଲ୍ ସହାୟକ ଷ୍ଟାଫ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବିଭିନ୍ନ ଅସ୍ଥାୟୀ ଶିବିରରେ କୋଭିଡ୍ ପରୀକ୍ଷଣ ହେଉଥିବାବେଳେ ଏଥିରେ ପୂର୍ବପରି ଆଉ ହେଉ ନ ଥିବା ଜଣାପଡ଼ିଛି । ପରୀକ୍ଷଣ ସଂଖ୍ୟା ଅଧାରୁ ଅଧିକ କମିଛି । ପୂର୍ବରୁ ଦୈନିକ ୩ ହଜାରରୁ ଊର୍ଦ୍ଧ୍ୱ କୋଭିଡ୍ ପରୀକ୍ଷଣ ହେଉଥିବାବେଳେ ବର୍ତମାନ ୧୫ଶହ ଭିତରେ ରହୁଛି । ବିଏମ୍ସି କମିଶସନର ପ୍ରେମ୍ଚନ୍ଦ୍ର ଚୌଧାରୀ କହିଛନ୍ତି, ବିଭିନ୍ନ ବିଭାଗରୁ ଆସି ବିଏମ୍ସି କୋଭିଡ୍ ପରିଚାଳନାରେ ନିୟୋଜିତ ଥିବା ଷ୍ଟାଫଙ୍କର ଆଉ ଆବଶ୍ୟକତା ନାହିଁ । ବିଏମ୍ସି ନିଜ ଷ୍ଟାଫରେ ଏନ୍ଫୋର୍ସମେଂଟ କାର୍ଯ୍ୟକ୍ରମ ଜାରି ରଖିଛି । କୋଭିଡ୍ ସହିତ ପରିମଳ ବ୍ୟବସ୍ଥାର ତଦାରଖ କରାଯାଉଛି । ତେଣୁ ବିଏମ୍ସି କୋଭିଡ୍ ପରିଚାଳନାରେ ସାମୟିକ ଭାବେ ଯୋଗଦେଇଥିବା ସରକାରୀ କର୍ମଚାରୀଙ୍କର ଆଉ ଜରୁରୀ ନାହିଁ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜଧାନୀରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସଂକ୍ରମଣ ଆରମ୍ଭ ହୋଇଥିଲେ ହେଁ ନିୟନ୍ତ୍ରଣାଧିନ ଥିଲା । କିନ୍ତୁ ପରେ ରାଜଧାନୀ ଭୁବନେଶ୍ୱରକୁ ରାଜ୍ୟ ଫେରନ୍ତା ପ୍ରବାସୀଙ୍କ ଟ୍ରାଞ୍ଜିଟ୍ ପଏଂଟ କରିବା ସହ ହାଟ ବଜାର ଖୋଲା କରିବା ଭୁବନେଶ୍ୱରକୁ ମହଙ୍ଗା ପଡ଼ିଥିଲା । ସଂକ୍ରମଣ ଦ୍ରୁତ ଗତି ବୃଦ୍ଧି ପାଇଥିବାବେଳେ ଅତିରିକ୍ତ ଅଧିକାରୀଙ୍କ ଆବଶ୍ୟକତା ପଡ଼ିଲା, ଫଳରେ ବିଏମ୍ସି ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲା । ଯେଉଁଥିପାଇଁ ପର ମୂହୁର୍ତରେ ରାଜ୍ୟ ସରକାର ବିଭିନ୍ନ ବିଭାଗରୁ ଅଧିକାରୀଙ୍କୁ ବିଏମ୍ସିର କୋଭିଡ୍ ପରିଚାଳନାରେ ସହଯୋଗ ପାଇଁ ପଠାଇଥିଲେ ।

Welcome to Odisha News24

error: Content is protected !!
%d bloggers like this: