ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ; ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୦/୦୬): ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସାରା ରାଜ୍ୟରେ ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଜି ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ ଓଡ଼ିଶା ଏବଂ ବଲାଙ୍ଗିରରେ ଭଲ ବର୍ଷା ହୋଇଛି । ଲଘୁଚାପ ଯୋଗୁ ଆଜି ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୧ ତାରିଖରେ ସବୁଠାରୁ ବେଶୀ ବର୍ଷା ହେବା ନେଇ ଆକଳନ କରାଯାଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ୧୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି । ମୌସୁମୀ ବର୍ଷା ଯୋଗୁଁ ଏବେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଗତକାଲି ମୁମ୍ବାଇ ଓ ଆଖପାଖ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ପ୍ରଥମ ଦିନ ମୂଷଳ ଧାରାରେ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ଟ୍ରାଫିକ୍ ସହିତ ଟ୍ରେନ୍ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଜୁନ୍ ୩ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିଲା । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମ୍ଡି ସୂଚନା ଦେଇଥିବା ବେଳେ ଏହାର ୧୦-୧୨ ଦିନ ପରେ ମୌସୁମୀ ଓଡିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି )ପୂର୍ବାନୁମାନ କରିଥିଲା ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: