ଏକାଦଶତମ ବ୍ଲକ ସ୍ତରୀୟ ଜାତୀୟ ମତଦାନ ଦିବସ ପାଳିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୫/୦୧): ଆଜି ଜେକେପୁର ସ୍ଥିତ ମନୋରଞ୍ଜନ କେନ୍ଦ୍ର ଠାରେ ରାୟଗଡା ପଞ୍ଚାୟତ ସମିତି ତରଫରୁ ଏକାଦଶତମ ବ୍ଲକ ସ୍ତରୀୟ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି।

ଏଥିରେ ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଶ୍ରୀ ରାଜେନ୍ଦ୍ର ମାଝୀ, ଏବିଡ଼ିଓ କାଳୁଚରଣ ନାୟକ, ବ୍ଲକ ଅଧ୍ୟକ୍ଷ ପେଦେଣ୍ଟ ରାମୁଲୁ, ଉପଧ୍ୟକ୍ଷା ମିନତୀ ବାଡେଲି, ଜିଲ୍ଲା ପରିଷଦ ସଭ୍ୟ ପି.ଗୌରୀଶଙ୍କର ରାଓ, ଚାନ୍ଦିଲି ସରପଞ୍ଚ ପେଦେଣ୍ଟ ସୁଆଇ, ଜେକେ ପେପର ମିଲ ବରିଷ୍ଠ ପରିଚାଳକ ଏସକେ ନାଥ ଓ ଶ୍ରୀ ହରିହର ଖମାରି ପ୍ରମୁଖ ମଞ୍ଚାସିନ ଥିଲେ l ଚାନ୍ଦିଲି ଗ୍ରାମ ପଞ୍ଚାୟତର ନଅଗୋଟି ବୁଥର ନୂତନ ଭୋଟର, ବିଏଲଓ, ଅଙ୍ଗନବାଡି କର୍ମୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l କରୋନା କଟକଣା କୁ ଦୃଷ୍ଟିରେ ରଖି ସମସ୍ତ ନିରାକରଣ ତଥା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା l ଆୟୋଜିତ ସଭାସ୍ଥଳୀକୁ ସାନିଟାଇଜର କରାଯାଇଥିଲା l ଜେକେ କାଗଜ କଳ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଲ.ଏସ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓ ଶେଷରେ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରି କାର୍ଯ୍ୟକ୍ରମ ଶେଷ କରାଯାଇଥିଲା l ଏବିଡ଼ିଓ ସର୍ବ ପ୍ରଥମେ କାର୍ଯ୍ୟକ୍ରମଟିର ଉଦେଶ୍ୟ ଜ୍ଞାପନ କରିଥିଲେ ତଥା ମଞ୍ଚାସିନ ଅତିଥିବୃନ୍ଦ ନିଜ ନିଜ ଅଭିଭାଷଣରେ ନୂତନ ଭୋଟରଙ୍କୁ ସାମ୍ବିଧାନିକ ପ୍ରକ୍ରିୟାରେ ମତଦାତାଙ୍କ ଭୂମିକା ବିଷୟରେ ସଚେତନ କରିଥିଲେ l ଶ୍ରୀଯୁକ୍ତ ମାଝୀ ନୂତନ ଭୋଟର ଙ୍କୁ ସଂକଳ୍ପ କରାଇବା ସହିତ ଭୋଟର ପରିଚୟ ପତ୍ର ପ୍ରଦାନ କରିଥିଲେ l ପୁନଃ ପ୍ରୋଜେକ୍ଟର ମାଧ୍ୟମରେ ଭାରତୀୟ ସାମ୍ବିଧାନିକ ବିଧିବ୍ୟବସ୍ଥା, ପଞ୍ଜିକରଣ ପ୍ରକ୍ରିୟା, ଭୋଟର ତାଲିକାରେ ନାମ ଯୋଗ, ବାଦଦେବା, ସଂଶୋଧନ ଓ ଭୋଟ ଦାନ ପ୍ରକ୍ରିୟା, ଇଭିଏମ ଓ ଭିଭି ମେସିନ ବ୍ୟବହାର ଇତ୍ୟାଦି ବିଷୟରେ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଭୋଟରଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା ରଖାଯାଇଥିଲା ଓ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା l ସର୍ବାଧିକ ଭୋଟର ପଞ୍ଜିକୃତ ନିମନ୍ତେ ୧୨୩ତମ ମାଲିଙ୍ଗା ବୁଥର ବୁଥ ସ୍ତରୀୟ ଅଧିକାରୀ ଫାଲ୍ଗୁନୀ ବେହେରାଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଜିପିଇଓ ଗୋପାଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚ ପରିଚାଳନା କରିଥିଲେ l ରାୟଗଡା ବ୍ଲକର ୧୧୨ଟି ବୁଥ ସ୍ତରରେ ମଧ୍ୟ ଜାତୀୟ ମତଦାନ ଦିବସ ପାଳନ ହୋଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: