ଆଜି ଆବିର୍ଭୂତ ହୋଇଥିଲେ ମହାପ୍ରଭୁଙ୍କର ଦିବ୍ୟ ଦାରୁ

ପୁରୀ (୨୧/୦୫): ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି। ପବିତ୍ର ନିଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟ ଦାରୁର ଆବିର୍ଭାବ ହୋଇଥିଲା। ଏହି ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା ବୋଲି ଗବେଷକ ମାନେ ମତ ଦିଅନ୍ତି। ଏଥିଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଅନେକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ ।

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଦ୍ରି ମହାଯଜ୍ଞର ପୂର୍ଣ୍ଣାହୂତି ପୂର୍ବରୁ ମହୋଦଧିରେ ସ୍ନାନ କରୁଥିଲେ। ଏତିକିବେଳେ ସମୁଦ୍ରରେ ଏକ ଅଦ୍ଭୁତ ଦାରୁ ଭାସି ଭାସି ଆସୁଥିବାର ଦେଖିଥିଲେ । ଲହଡିର ବିପରୀତ ଦିଗରୁ ଦାରୁ ଭାସି ଆସୁଥିଲା। ଏହି ଦୃଶ୍ୟ ଦେଖି ସମସ୍ତେ ବିସ୍ମିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ମହାଦାରୁଙ୍କ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଅଭିଷେକ କରାଯାଇଥିଲା | ବିଧି ପରମ୍ପରା ଅନୁସାରେ ଆଜିର ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ପୂର୍ବ ଦିନ ସଂଧ୍ୟାଧୂପ ପରେ ଗରାବଡୁ ସେବକମାନେ ତମ୍ବା ଗଡୁରେ ଆଣିଥିବା ୧୦୮ ଗଡୁ ଜଳକୁ ଅଧିବାସ କରାଯାଇ ଭୋଗ ମଣ୍ଡପ ଘରେ ରଖିଥାନ୍ତି । ଅଷ୍ଟମୀ ତିଥି ଅପରାହ୍ଣ ବେଳକୁ ଉକ୍ତ ଜଳରେ ଶ୍ରୀବିଗ୍ରହଙ୍କ ଜଳବିଜେ ଓ ପୂଜା କରାଯାଇ ନୂଆ ଲୁଗା ଲାଗି କରାଯାଇଥାଏ। ପରେ ଦ୍ୱାଦଶ ଯାତ୍ରା ବନ୍ଦାପନା ହୋଇ ଚନ୍ଦନ ଠାକୁର ବିମାନକୁ ବିଜେ କରିଥାନ୍ତ।
ବିମାନ ଉଠିଲା ପରେ ଭୋଗମଣ୍ଡପ ଶେଷ ହୋଇ ସାହାଣମେଳା ଅନୁଷ୍ଠିତ ହୋଇଥାଏ । ଏହାପରେ ସଂଧ୍ୟା ଧୂପ, ସଂଧ୍ୟା ଆଳତି ନୀତି କରାଯିବା ପରେ ରାତିରେ ଠାକୁରମାନଙ୍କୁ ଚନ୍ଦନ ଲାଗି କରାଯଇ ବଡସିଂହାର ବେଶ ଓ ବଡସିଂହାର ଭୋଗ ହୋଇ ତିନି ଠାକୁରଙ୍କ ପହୁଡ଼ ନିତି ଅନୁଷ୍ଠିତ ହୋଇଥାଏ। ସୂଚନାଥାଉ କି, ରଥଖଳାରେ ଚାଲିଚି ରଥ ନିର୍ମାଣ କାମ । ଚଳଚଞ୍ଚଳ ରଥଖଳା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। କରୋନା କଟକଣା ଭିତରେ ରଥ ନିର୍ମାଣରେ ଲାଗିଛନ୍ତି ମହାରଣା ସେବକ । ପ୍ରଥମେ ତିନି ରଥର ତୁମ୍ବ କାମ ଚାଲିଛି। ମହାରଣା ସେବକମାନେ ନିଷ୍ଠାର ସହ ରଥ ତିଆରି କରୁଛନ୍ତି । ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟାରୁ ରଥକାଠ ଅନୁକୂଳ ପରେ ରଥ ନିର୍ମାଣ ଜାରି ରହିଛି। ଅନ୍ୟପଟେ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ମଧ୍ୟ ଜାରି ରହିଛି । ୧୪୪ ଧାରା ଭିତରେ କଟକଣା ସହ ଚାଲିଛି ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ପ୍ରତିଦିନ ଚନ୍ଦନ ଚାପ ଅନୁଷ୍ଠିତ ହେଉଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: