ଅଲମ୍ପିକ ବିଜେତା ରେସଲର ଶୁଶିଲ କୁମାର ହତ୍ୟା ଅଭିଯୋଗରେ ଗିରଫ

ନୂଆଦିଲ୍ଲୀ,ଓଡିଶା ନ୍ୟୁଜ ୨୪ ବ୍ୟୁରୋ-୨୩/୦୫): ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି ରେସଲର ସୁଶୀଲ କୁମାର । ଗତ କିଛିଦିନ ଧରି ଫେରାର ଥିବା ସୁଶୀଲ ପୋଲିସକୁ ନାକେଦମ୍ କରିଦେଇଥିଲେ । ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ତାଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଥିଲା । ତେବେ ସୁଶୀଲ ତାଙ୍କ ସହଯୋଗୀଙ୍କ ସହ ଦିଲ୍ଲୀରୁ ଗିରଫ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀର ସ୍ପେଶାଲ ସେଲ୍ ପୋଲିସ ସୁଶୀଲଙ୍କ ସହ ତାଙ୍କ ସାଥୀ ଅଜୟଙ୍କୁ ଗିରଫ କରିଛି । ଦୁହେଁ ଏକ ସ୍କୁଟିରେ ବସି ଯାଉଥିବା ବେଳେ ଧରାପଡ଼ିଥିଲେ । ସୁଶୀଲଙ୍କୁ ଧରିବା ପାଇଁ ପୋଲିସ ପଞ୍ଜାବର ଭତିଣ୍ଡା, ମୋହାଲି ଆଦି ଅନେକ ସ୍ଥାନରେ ଚଢ଼ାଉ କରିଥିଲା । ମାତ୍ର ବାରମ୍ବାର ସୁଶୀଲ ପୋଲିସକୁ ଚକମା ଦେଇ ଚାଲିଥିଲେ । ଶେଷରେ ଦିଲ୍ଲୀର ସ୍ପେଶାଲ ସେଲ୍ ପୋଲିସ ସୁଶୀଲଙ୍କୁ ଧରିବାରେ ସଫଳ ହୋଇଥିଲା ।

ସୂଚନାଯୋଗ୍ୟ, ମେ ୪ ତାରିଖ ଦିନ ଛତ୍ରଶାଲ ଷ୍ଟାଡିୟମରେ ୨ ଗୋଷ୍ଠୀର ରେସଲରଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଧସ୍ତାଧସ୍ତି ହୋଇଥିଲା । ଏଥିରେ ୨୩ ବର୍ଷୀୟ ସାଗର ଧନକର ଗୁରୁତର ଆହତ ହୋଇଥିଲେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ମାମଲା ପରଠାରୁ ସୁଶିଲ ଫେରାର ହୋଇଯାଇଥିଲେ । ଫଳରେ ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ପଞ୍ଜାବ ଓ ହରିୟାଣାର ଚଢଉ ଚାଲିଥିଲା । ମେ ୧୫ରେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । ତେବେ ଗିରଫଦାରୀରୁ ବଞ୍ଚିବା ପାଇଁ ୧୮ ତାରିଖ ଦିନ ଦିଲ୍ଲୀର ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ହେଲେ କୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ଏହାପରେ ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ସଂପର୍କରେ ସୂଚନା ଦେବା ଲାଗି ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।

Welcome to Odisha News24

error: Content is protected !!
%d bloggers like this: