ଓଡ଼ିଶା କ୍ୟାଡର ଆଇପିଏସ୍‌ କରିବେ ଆର୍ଯ୍ୟନ ଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ : ସମୀର ବିଦା

0
154

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ,(୦୬/୧୧) : ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂହ କରିବେ ଆର୍ଯ୍ୟନ ଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ | ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ ଦାୟିତ୍ୱ ରୁ ହଟିଛନ୍ତି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ।

ଆର୍ଯ୍ୟନଙ୍କ ସହ ମୋଟ ୬ ଟି ମାମଲାର ତଦନ୍ତ ଦାୟିତ୍ୱ ଏବେ ଏନସିବିର ଏସ୍‌ଆଇଟି କରିବ । ଏହି ଏସ୍‌ଆଇଟିର ମୁଖ୍ୟ ହେଉଛନ୍ତି ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂହ । ସୀମର ୱାଙ୍ଖଡେଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ ଆସିବାରୁ ତାଙ୍କୁ ଆର୍ଯ୍ୟନ ଖାନଙ୍କ ମାମଲାରୁ ହଟାଇ ଦିଆଯାଇଛି । ଏଥି ସହ ତାଙ୍କର ବଦଳି ମୁମ୍ବାଇ ଏନସିବିରୁ ଦିଲ୍ଲୀ ମୁଖ୍ୟାଳୟକୁ ମଧ୍ୟ ହୋଇଛି ।

ତେବେ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଦାୟିତ୍ୱ ପାଇଥିବା ସଞ୍ଜୟ କୁମାର ସିଂହ ହେଲେ ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌ । ସେ ଏବେ ଡେପୁଟି ନିର୍ଦ୍ଦେଶକ ପାହ୍ୟାର ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ଏନସିବି ଗଠନ କରିଥିବା ଏସଆଇଟିର ନେତୃତ୍ୱ ସଞ୍ଜୟ ହିଁ ନେବେ ।

ସଞ୍ଜୟ କୁମାର ସିଂହ ଓଡ଼ିଶା ପୁଲିସ୍‌ ଓ ସିବିଆଇରେ ଅନେକ ଦିନ ଧରି ବିଭିନ୍ନ ପଦପଦବୀରେ କାମ କରିଛନ୍ତି । ଏନସିବିରେ ସାମିଲ ହେବା ପୂର୍ବରୁ ସେ ଓଡ଼ିଶା ପୁଲିସ୍‌ର ଡ୍ରଗ ଟ୍ୟାକ୍ସ ଫୋର୍ସ (ଡିଟିଏଫ୍‌) ର ନେତୃତ୍ୱ ନେଉଥିଲେ । ଡିଟିଏଫରେ କାମ କରିବା ବେଳେ ଶ୍ରୀ ସିଂହ ଏକାଧିକ ଡ୍ରଗ ବିରୋଧୀ ଅପରେସନ ସୂଚାର ରୂପେ ତୁଲାଇ ଥିଲେ । ଏଥିସହ ଭୁବନେଶ୍ୱରରେ ଏକାଧିକ ଡ୍ରଗ କାରବାର କରୁଥିବା ରାକେଟର ପର୍ଦ୍ଦାଫାସ କରିବାକୁ ସକ୍ଷମ ହୋଇଥିଲେ ।

୨୦୦୮ରୁ ୨୦୧୫ ଯାଏ ଶ୍ରୀ ସିଂହ ସିବିଆଇର ଡିଆଇଜି ଭାବେ କାମ କରିଥିଲେ । ଏହି ସମୟରେ ସେ ଏକାଧିକ ହାଇ ପ୍ରୋଫାଇଲ ମାମଲାର ତଦନ୍ତ ବି କରିଥିଲେ । ଏହାବାଦ ଓଡ଼ିଶା ପୁଲିସ୍‌ରେ ଶ୍ରୀ ସିଂହ ଆଇଜି ଭାବେ କାର୍ଯ୍ୟ କରିଛନ୍ତି । ଟ୍ୱିନ ସିଟିରେ ଅତିରିକ୍ତ ପୁଲିସ୍ କମିଶନର ଭାବେ ମଧ୍ୟ ସେ ଦାୟିତ୍ୱ ସମ୍ପାଦନ କରିଥିଲେ ।

୨୦୨୧ ମସିହା ଜାନୁଆରୀ ମାସରେ ସେ କେନ୍ଦ୍ରୀୟ ଏଜେନ୍ସିକୁ ଡେପୁଟେସନରେ ଯାଇଥିଲେ ଓ ଏନସିବିରେ ଡେପୁଟି ମହାନିର୍ଦ୍ଦେଶକ (ଡିଡିସି) ଭାବେ ଯୋଗ ଦେଇଥିଲେ । ତାଙ୍କ ନାଁରେ କୌଣସି ପ୍ରକାରର ଅପରାଧିକ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଯାଏ ଅଭିଯୋଗ ଆସିନି । କୌଣସି ପ୍ରକାରର ଦୁର୍ନୀତିରେ ସେ ସାମିଲ ଥିବା କେବେ ହେଲେ କେହି ଅଭିଯୋଗ କରିନାହାନ୍ତି । ସେ ଜଣେ ସ୍ୱଚ୍ଛ ଓ ନିରପେକ୍ଷ ଅଧିକାରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ସମୀର ୱାଙ୍ଖଡେ ହିଁ ଆର୍ଯ୍ୟନଙ୍କୁ ଗିରଫ କରିଥିଲେ । ତେବେ ତାଙ୍କ ନାଁରେ ୮ କୋଟି ଟଙ୍କାର ଲାଞ୍ଚ କାରବାର ର ଅଭିଯୋଗ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏଥିପାଇଁ ତାଙ୍କୁ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଦାୟିତ୍ୱରୁ ବିଦା କରାଯାଇଛି । ଏବେ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଏସ୍‌ଆଇଟି କରିବ । କେବଳ ଆର୍ଯ୍ୟନଙ୍କ ମାମଲା ନୁହେଁ ସମୀର ୱାଙ୍ଖଡେ ତଦନ୍ତ କରୁଥିବା ଆଉ ୫ ଟି କେସ୍‌ର ଦାୟିତ୍ୱ ମଧ୍ୟ ସଞ୍ଜୟ ସିଂହ ଙ୍କ ଟିମକୁ ମିଳିଛି । ଏହା ମଧ୍ୟରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଜ୍ୱାଇଁ ସମୀର ଖାନଙ୍କ ଡ୍ରଗ୍ସ ଲିଙ୍କ ମାମଲା ରହିଛି । ସମୀର ଖାନଙ୍କୁ ସୀମର ୱାଙ୍ଖଡେ ହିଁ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ କରିଥିଲେ । ତେବେ ସେ ବର୍ତ୍ତମାନ ଜାମିନରେ ଅଛନ୍ତି ।

ଆର୍ଯ୍ୟନଙ୍କୁ ଛାଡ଼ିବା ପାଇଁ ହୋଇଥିବା ୨୫ କୋଟିର ଡ଼ିଲ ରୁ ସମୀର ୱାଙ୍ଖଡେ ୮ ଟି କୋଟି ନେଇଥାଆନ୍ତେ ବୋଲି ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିର ସାକ୍ଷୀ ପ୍ରଭାକର ସୈଲ ଅଭିଯୋଗ କରିଥିଲେ । ଏନସିବିର ଭିଜିଲାନ୍ସ ଟିମ୍ ବର୍ତ୍ତମାନ ଏହାର ତଦନ୍ତ କରୁଛି । ଏହା ବାଦ୍ ସମୀର ୱାଙ୍ଖଡେ ଜାଲ ଜାତିଗତ ପ୍ରମାଣପତ୍ର ଦେଖାଇ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷଣ ଥିବା ଆଇଆରିସି ଚାକିରି ପାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।