Related Contents

ବିଦ୍ୟାଳୟରେ କାଠଜାଳ ବଦଳରେ ଏଣିକି ଗ୍ୟାସରେ ହେବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଏଣିକି କାଠଜାଳ ବଦଳରେ ଗ୍ୟାସରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯିବ । ଏହି ବାବଦ ଖର୍ଚ୍ଚ ସଂପୃକ୍ତ ପଞ୍ଚାୟତଗୁଡ଼ିକ ବହନ କରିବା ସହ ଯେଉଁଠି ରୋଷେଇ ଘର ନାହିଁ ତୁରନ୍ତ ସ୍ୱତନ୍ତ୍ର ରୋଷେଇ ଘର ନିର୍ମାଣ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି । ରାଜ୍ୟର ୬୨ ହଜାରରୁ ଅଧିକ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଗୃହ ମରାମତି, ରକ୍ଷଣାବେକ୍ଷଣ ଇତ୍ୟାଦି ଦାୟିତ୍ୱ ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ସେହିପରି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରାଥମିକ ବିଦ୍ୟାଳୟମାନଙ୍କ ନିମନ୍ତେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ବାହ କରିବ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ସେହିପରି ବିଦ୍ୟାଳୟଗୁଡ଼ିକର ବିଦ୍ୟୁତିକରଣ କରିବା ସହିତ ବିଦ୍ୟୁତ ଦେୟ ପଞ୍ଚାୟତମାନେ ବହନ କରିବେ । ଶୈକ୍ଷିକ ପରିବେଶ ଓ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହି କ୍ରମରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ସଂପୃକ୍ତ ପଞ୍ଚାୟତ ଦ୍ୱାରା ପାଇଖାନା ନିର୍ମାଣ ଓ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଂକଳ୍ପ ଅନୁସାରେ ଗ୍ରାମାଞ୍ଚଳରେ ଥିବା ସରକାରୀ ସ୍କୁଲ ଗୃହଗୁଡ଼ିକର ମରାମତି ଦାୟିତ୍ୱ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସହରାଞ୍ଚଳରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରାଯାଇଛି । ସରକାରୀ ତଥା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ପାଣ୍ଠିରେ ·ଲିଥିବା ଗ୍ରାମାଞ୍ଚଳ ମାଧ୍ୟମିକ ତଥା ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟ ଗୃହଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ସହରାଞ୍ଚଳରେ ସେହି ଗୃହଗୁଡ଼ିକର ଦାୟିତ୍ୱ ପୂର୍ତ୍ତ ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏହି ବାବଦରେ କରୁଥିବା ବ୍ୟୟ ଗ୍ରାମପଞ୍ଚାୟତ ସ୍ତରରେ ଭରଣା କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସେହି ବ୍ୟୟ ସ୍ୱାୟତ୍ତତ୍ତ ଶାସନ ସଂସ୍ଥାଗୁଡ଼ିକ ନିକଟରେ ଉପଲବ୍ଧ ଅନୁଦାନ ତଥା ଅର୍ଥ କମିଶନ ଅନୁଦାନରୁ ଭରଣା କରିବେ ।

ପାଣ୍ଠି ଅଭାବ ପରିସ୍ଥିତିରେ ବିଦ୍ୟାଳୟ ଗୃହଗୁଡ଼ିକର ଯଥାର୍ଥ ରକ୍ଷଣାବେକ୍ଷଣ ପାଇଁ ବଜେଟ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏହି ବ୍ୟବସ୍ଥା ଫଳରେ ଏଣିକି ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ କର୍ତ୍ତୃପକ୍ଷ(ଓପେପା) ଓ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ(ରାମ୍ସା)ରୁ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ମିଳୁଥିବା ପାଣ୍ଠି ସଂପୃକ୍ତ ବିଭାଗକୁ ହସ୍ତାନ୍ତରିତ ହେବ । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସ୍ତରରେ ନିରନ୍ତର ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ଗ୍ରହଣ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସଂକଳ୍ପପତ୍ର ଜାରି କରାଯାଇଛି ।

Comments are closed.