Related Contents

ଇମ୍ଫା ଆଗରେ ଆନ୍ଦୋଳନ – ବୈଜୟନ୍ତଙ୍କ ବିରୋଧରେ ଷଡଯନ୍ତ୍ର- ଆଦିବାସୀ ମହାସଂଘ

ରାୟଗଡା ସିଟି (ଗୋପୀନାଥ ଗୌଡ଼): ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ଆଗରେ ପୁଣି ଥରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ତେବେ ଏପରି ଆନ୍ଦୋଳନକୁ ଜିଲ୍ଲାର ୪ଟି ସଂଗଠନ ବିରୋଧ କରିଛନ୍ତି।

ଆଜି ଏହି ସଂଗଠନଗୁଡିକର ଶତାଧିକ ସଦସ୍ୟ ଏକ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଏହାପରେ ୬ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଇମ୍ଫା ଆନ୍ଦୋଳନକାରୀଙ୍କ ଦାବି ପୂରଣ କରୁଥିବା ବେଳେ, ପୁଣି ଥରେ ଆନ୍ଦୋଳନ କରାଯିବାର ମାନେ କ’ଣ ବୋଲି ଏହି ସଂଗଠନଗୁଡିକ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଇମ୍ଫା ଆଗରେ ଗତକାଲିଠାରୁ ପୁଣି ଆନ୍ଦୋଳନ ଆରମ୍ଭ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସଂଗଠନ ଏପରି ଆନ୍ଦୋଳନକୁ ନାପସନ୍ଦ କରିବା ସହ ବିରୋଧ କରିଛନ୍ତି। ଏହି ପରିପେକ୍ଷୀରେ ଆଜି ଇମ୍ଫା ଠିକା କର୍ମଚାରୀ ସଂଘ, ଇମ୍ଫା ଶ୍ରମିକ ସଂଗଠନ, ଇମ୍ଫା କର୍ମଚାରୀ ସଂଘ, ଜିଲ୍ଲା ଆଦିବାସୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ଆପୁଲୁସ୍ୱାମୀ କାଡ୍ରାକା କହିଛନ୍ତି- “ଏହା ବୈଜୟନ୍ତଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର। ଆନ୍ଦୋଳନକାରୀ କରିଥିବା ଦାବି ଧୀରେ ଧୀରେ ପୂରଣ ହେଉଛି। କିଛି ଦାବି ପୂରଣ ସତ୍ତ୍ୱେ ଆନ୍ଦୋଳନ କାହିଁକି କରାଯାଉଛି ? କିଛି ବାହାର ଅଞ୍ଚଳର ଲୋକ ନିଜ ସ୍ୱାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି।”

ଇମ୍ଫା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରି ଗତକାଲିଠାରୁ କମ୍ପାନୀର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ। ଫଳରେ ଇମ୍ଫାରେ ପୁଣି ଅଚଳାବସ୍ଥା ଦେଖା ଦେଇଛି। ଆନ୍ଦୋଳନକାରୀ କମ୍ପାନୀର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ନା କେହି ଭିତରକୁ ଯାଇ ପାରୁଛନ୍ତି, ନା କେହି ଆସି ପାରୁଛନ୍ତି। କାରଖାନାରେ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, ତ୍ରିପାକ୍ଷିକ ବୈଠକରେ ଇମ୍ଫା କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବାପାଇଁ କହିଛନ୍ତି |

Comments are closed.