Thursday, March 28, 2024

Top 5 This Week

Related Posts

ଆଇଟମ ଗର୍ଲ ନୋରା ଫତେହିଙ୍କୁ ଇଡିର ଜେରା : ୨୦୦ କୋଟିର ଠକେଇ ଅଭିଯୋଗ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୫/୧୦) : ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ବଲିଉଡର ଆଇଟମ ଗର୍ଲ ନୋରା ଫତେହିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି । ଏହି ଠକେଇ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଘଟଣାରେ ନୋରାଙ୍କ ଭୂମିକା ବିଷୟରେ ଜାଣିବା ପାଇଁ ଇଡି ଆଜି ତାଙ୍କୁ ହାଜର ହେବାକୁ ସମନ କରିଥିଲା । ସମନ ପାଇ ନୋରା ଇଡିର ମୁଖ୍ୟାଳୟରେ ହାଜର ହୋଇଛନ୍ତି ।

ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ଲୀନା ପଲଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଥିଲା । ଏମାନଙ୍କ ସମ୍ପର୍କ ଗ୍ଲାମର ଦୁନିଆରେ ଥିବାରୁ ପୂର୍ବରୁ ଇଡି ଜ୍ୟାକଲିନ ଫର୍ଣ୍ଣାଡିଜ୍ ଙ୍କ ବୟାନ ରେକର୍ଡ କରିଥିଲା । ଆଜି ଆଇଟମ ଗର୍ଲ ନୋରା ଙ୍କ ବୟାନ ରେକର୍ଡ ହେଉଛି । ସେହିପରି ଜ୍ୟାକଲିନ ଆଜି ପୁଣି ଇଡି ଜେରାର ସମ୍ମୁଖୀନ ହେବେ ।

ଏହି ମାମଲାରେ ଚନ୍ଦ୍ରଶେଖର ଓ ଲୀନା ପୂର୍ବରୁ ହିଁ ଦିଲ୍ଲୀ ପୁଲିସ୍ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି । ସେମାନେ ଚକ୍ରାନ୍ତ କରି ଫୋର୍ଟିସ ହେଲଥ କେୟାର ପ୍ରମୋଟର ଶିବିନ୍ଦର ସିଂହଙ୍କ ପରିବାର ଠାରୁ ୨୦୦ କୋଟିର ଚୂନ ଲଗାଇଥିବା ଜଣାପଡ଼ିଛି । ପୁଲିସ୍ ସେମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଲୁଟ ମାମଲାର ରୁଜୁ କରିଛି । ଏହି ଏଫ.ଆଇ.ଆର. କୁ ଆଧାର କରି ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ନିଜ ଆଡ଼ୁ ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି । ଅଭିଯୁକ୍ତ ଦମ୍ପତିଙ୍କ ସହ ନୋରା ଓ ଜ୍ୟାକଲିନଙ୍କ ସମ୍ପର୍କର ସୁତାଖିଅ ଇଡି ବାହାର କରିବାକୁ ଚାହୁଁଛି ।

ଘଟଣାରେ ଇଡି ଜ୍ୟାକଲିନଙ୍କୁ ଦୁଇ ଥର ଜେରା କରି ସାରିଛି । ଗତ ମାସରେ ତାଙ୍କୁ ଜେରା ପାଇଁ ସମନ ହୋଇଥିଲେ ମଧ୍ୟ ସେ ଆସି ନ ଥିଲେ । ଆଜି ପୁଣି ଥରେ ତାଙ୍କୁ ହାଜର ହେବାକୁ ସମନ କରାଯାଇଛି । ଇଡି ଓ ଦିଲ୍ଲୀ ପୁଲିସ୍ ସୂତ୍ରରୁ ଜଣାପଡ଼ିଛି ଯେ ସୁକେଶ ଓ ଲୀନାଙ୍କ ନାଁରେ ୨୩ ରୁ ଅଧିକ ମାମଲା ରହିଛି । ଜ୍ୟାକଲିନ ଏହି ଠକେଇରେ ସିଧାସଳଖ ସାମିଲ ନ ଥିଲେ ମଧ୍ୟ ସେ ଲୀନାଙ୍କ ସହଯୋଗୀ । ତେଣୁ ତାଙ୍କୁ ମଧ୍ୟ ଇଡି ଘନଘନ ଜେରା କରିଥିଲା ।

ଚେନ୍ନାଇରେ ସୁକେଶ କିଣିଥିବା ବଙ୍ଗଳାର ଦାମ ୨୦୦ କୋଟି ଟଙ୍କା । ଏହି ଅର୍ଥ ସୁକେଶ ରାନବାକ୍ସୀ ମାଲିକ ମାଲବିନ୍ଦର ଓ ଶିବିନ୍ଦର ସିଂହଙ୍କ ପତ୍ନୀମାନଙ୍କ ଠାରୁ ନେଇଥିଲା । ମାଲବିନ୍ଦର ଓ ଶିବିନ୍ଦରଙ୍କୁ ଜାମିନ ମିଳିବାର ଆଳ ଦେଖାଇ ସୁକେଶ ଏପରି ଅର୍ଥ ହଡ଼ପ କରିଥିଲା । ପୁଲିସ୍ କହିଛି, ସୁକେଶ ଓ ଲୀନା ନିଜକୁ ସ୍ୱରାଷ୍ଟ୍ର ଓ ଆଇନ ମନ୍ତ୍ରୀଙ୍କ ଘନିଷ୍ଠ ଭାବେ ପରିଚୟ ଦେଇଥିଲେ ।

ଏହାପରେ ମାଲବିନ୍ଦର ଓ ଶିବିନ୍ଦରଙ୍କ ପତ୍ନୀମାନଙ୍କ ପାଖରେ ନିଜକୁ ସୁହାଇଲା ଭଳି ତଥ୍ୟ ଉପସ୍ଥାପନ କରିଥିଲେ । ମାଲବିନ୍ଦର ଓ ଶିବିନ୍ଦର ଜାମିନ ନିଶ୍ଚିତ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଉଭୟ ସେମାନଙ୍କ ପତ୍ନୀମାନଙ୍କ ଠାରୁ ୨୦୦ କୋଟି ଟଙ୍କା ଠକି ନେଇଥିଲେ । ଶିବିନ୍ଦରଙ୍କ ସିଂହଙ୍କ ପତ୍ନୀ ଆଦିତି ରୁଜୁ କରିଥିବା ଏଫ.ଆଇ.ଆର. ରେ ମଧ୍ୟ ଏପରି ଅଭିଯୋଗ ରହିଛି ।

ଚେନ୍ନାଇରେ ଥିବା ବଙ୍ଗଳାର ଲିଭିଂ ରୁମ୍ରେ ମର୍ସିଡିଜ୍ ବେଞ୍ଜ ୩୦୦ ଏସଏଲ୍ଆର୍ର ଗୋଟିଏ ରେସିଂ କାର ରହିଥିଲା । ଏହାବାଦ୍ ଅନେକ ଦାମୀ କାର ମଧ୍ୟ ବଙ୍ଗଳାରୁ ଠାବ ହୋଇଛି । ଇଡି ସୁକେଶଙ୍କ ବିରୋଧରେ ତଦନ୍ତ କରି ଏଯାଏ ୨୦୦ କୋଟି ଟଙ୍କାର ସାମଗ୍ରୀ ଜବତ କରି ସାରିଛି । ଅନେକ ନାମଦାମୀ ବ୍ରାଣ୍ଡର ପୋଷାକ, ଜୋତା ଓ ଘଣ୍ଟା ମଧ୍ୟ ଜବତ ହୋଇଛି ।

Popular Articles