Friday, March 29, 2024

Top 5 This Week

Related Posts

ତାଲିବାନ ର ଦମନ ପାଇଁ ଭାରତର ସହଯୋଗ ନେଇ ପାରେ ଆଫଗାନିସ୍ତାନ : ଆଫଗାନ ରାଷ୍ଟ୍ରଦୂତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୪/୦୭) : ଆତଙ୍କବାଦୀ ସଂଗଠନ ତାଲିବାନ ପୁଣିଥରେ ଆଫଗାନିସ୍ତାନକୁ କବଜା କରିବା ଆରମ୍ଭ କରିଦେଲାଣି । ଦେଶର ପ୍ରାୟ ୮୫% ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇ ସାରିଥିବା ତାଲିବାନ ଦାବି କରିଛି । ଗୋଟିଏ ପଟେ ଆଫଗାନିସ୍ତାନରେ ମୁତୟନ ଆମେରିକା ସୈନ୍ୟ ପ୍ରତ୍ୟାହୃତ ହେଉଥିବା ବେଳେ ଅନ୍ୟପଟେ ତାଲିବାନ ତା’ର ବିସ୍ତାରବାଦୀ ନୀତିକୁ ଆଗକୁ ନେବାରେ ଲାଗିଛି ।

ଏହାକୁ ନେଇ ଆଫଗାନିସ୍ତାନ ସରକାର ଚିନ୍ତାରେ ପଡ଼ିଛନ୍ତି । ଏବେ ଆଫଗାନିସ୍ତାନ ସରକାର ତାଲିବାନ ପ୍ରତିନିଧିଙ୍କ ସହ ଶାନ୍ତି ପାଇଁ ଆଲୋଚନା କରୁଛନ୍ତି । ଯଦି ଏହି ଆଲୋଚନା ଫେଲ ମାରିବ, ତା’ହେଲେ ଆଫଗାନିସ୍ତାନ ଭବିଷ୍ୟତରେ ଭାରତ ଠାରୁ ସାମରିକ ସହାୟତା ଲୋଡ଼ିବ ବୋଲି ଭାରତରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତ ମତ ଦେଇଛନ୍ତି ।

ତେବେ ସାମରିକ ସହାୟତା ଅର୍ଥ ଆଫଗାନିସ୍ତାନ ଭାରତୀୟ ଯବାନଙ୍କୁ କାବୁଲ ପଠାଇବାକୁ ନିବେଦନ କରିବ ନାହିଁ କେବଳ ଟ୍ରେନିଂ ଓ ଟେକ୍ନିକାଲ ସମର୍ଥନ ଲୋଡ଼ିବ ବୋଲି ରାଷ୍ଟ୍ରଦୂତ ଜଣଙ୍କ ସ୍ପଷ୍ଟ କରିଛନ୍ତି ।ଦୋହାରେ ଆଫାଗନିସ୍ତାନ ଓ ତାଲିବାନ ମଧ୍ୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ହିଁ ତାଲିବାନ ପୂରା ଆଫଗାନକୁ ନିଜ ନିୟନ୍ତ୍ରଣକୁ ନେବାର ଉଦ୍ୟମ ଜାରି ରଖିଛି ।

ଏସବୁ ଭିତରେ ଆଫଗାନ ରାଷ୍ଟ୍ରଦୂତ ଫରିଦ ମମୁଣ୍ଡଜାୟ କହିଛନ୍ତି, “ଯଦି ତାଲିବାନ ସହ ଶାନ୍ତି ଆଲୋଚନା ଫଳପ୍ରଦ ନ ହେଲା, ତା’ହେଲେ ଆମେ ଭବିଷ୍ୟତରେ ଭାରତ ଠାରୁ ଅଧିକରୁ ଅଧିକ ସାମରିକ ସହାୟତା ଲୋଡ଼ିପାରୁ । ତେବେ ଆମେ ଭାରତକୁ ନିଜର ଟ୍ରୁପ୍ସକୁ ଆଫଗାନିସ୍ତାନ ପଠାଇବାକୁ କହିବୁ ନାହିଁ । ବର୍ତ୍ତମାନ ସମୟରେ ସେମାନେ ଆମ ପାଇଁ ଯୁଦ୍ଧ କରିବାର ସମୟ ଆସିନି । ଏବେ ଏପରି ଯୁଦ୍ଧର ଆବଶ୍ୟକ ନାହିଁ । ଭାରତ ଆମକ ଯବାନଙ୍କୁ ଟ୍ରେନିଂ ଦେବ ଓ ଆମକୁ ଟେକ୍ନିକାଲ ସହାୟତା ଯୋଗାଇ ଦେବ” ।

ଭାରତୀୟ ଏୟାରଫୋର୍ସ ଜରିଆରେ ଆମେ ଆମର ଆବଶ୍ୟକ ପୂରଣ କରିପାରିବୁ । ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ସଂଗୀନ ରହିଛି । ଦେଶର ୩୭୬ ଜିଲ୍ଲାରୁ ତାଲିବାନ ସହ ଆମ ସୁରକ୍ଷାକର୍ମୀମାନେ ୧୫୦ରୁ ଅଧିକ ଅଞ୍ଚଳରେ ଲଢ଼େଇ କରୁଛନ୍ତି । ଏହାର ଅର୍ଥ ଦେଶର ଏକ ତୃତୀୟାଂଶ ଅଞ୍ଚଳରେ ଲଢ଼େଇ ଚାଲିଛି ।

୨୦୨୧ ଏପ୍ରିଲରୁ ୨ ଲକ୍ଷରୁ ଅଧିକ ଲୋକ ବେଘର ହୋଇ ସାରିଲେଣି । ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଏବେ ବି ବିଦ୍ରୋହୀ ଗୋଷ୍ଠୀ ଆତଙ୍କ ସୃଷ୍ଟି କରୁଛନ୍ତି । ତଥାପି ଆମର ଆଶା ଶାନ୍ତି ଆଲୋଚନା ଦ୍ୱାରା ସବୁ କିଛି ଠିକ ହୋଇଯିବ । ସେମାନେ ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ପାଇଁ ଆମର ସହଯୋଗ କରିବେ ବୋଲି ଫରିଦ କହିଛନ୍ତି ।

Popular Articles