ମୁଖା ପିନ୍ଧି ଆସିଲେ, ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ହାଣି ପଳାଇଲେ

0
44
ମୁଖା ପିନ୍ଧି ଆସିଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୯/୧୦) : ୭ରୁ ୮ ଜଣ ଯୁବକ ମୁଖା ପିନ୍ଧି ବାଇକ୍‌ରେ ଆସିଲେ । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ହାଣି ପଳାଇ ଗଲେ । ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ବଲାଙ୍ଗିର ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି ।

ହେଲେ ଆକ୍ରମଣର କାରଣ ଜଣାପଡ଼ି ନାହିଁ । ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି । ଆଜି ସନ୍ଧ୍ୟା ବେଳେ ଶାସ୍ତ୍ରୀନଗର ପଡ଼ାର ୨୪ ବର୍ଷୀୟ ଯୁବକ ରାଜା ଭାଟି ବଲାଙ୍ଗିର ରେଡିଓ ଷ୍ଟେସନ୍‌ ନିକଟରେ ଥିବା ଚାହାକୁ ଯାଇଥିଲେ । ସେଠାରେ ସେ ସାଥୀମାନଙ୍କ ସହ ଚାହା ପିଉଥିଲେ । ଠିକ୍‌ ସେହି ସମୟରେ ୭ରୁ ୮ ଜଣ ଯୁବକ ମୁଖା ପିନ୍ଧି ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ । ସମସ୍ତଙ୍କ ସମ୍ମୁଖରେ ରାଜାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ସେଠାରେ ଦ୍ରୁତ ଗତିରେ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକ ରାଜାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି । ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । କେଉଁ କାରଣରୁ ଓ କେଉଁମାନେ ଆକ୍ରମଣ କରିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।

ମିଳିଥିବା ସୂଚନା ଅନୁସାରେ ରାଜାଙ୍କର କାହା ସହିତ ଶତ୍ରୁତା ନଥିଲା। ତାହା ହେଲେ କିଏ ଓ କାହିଁକି ତାଙ୍କୁ ଆକ୍ରମଣ କଲା? ପୁଲିସ୍‌ ଏହି ଜାଲରେ ପଡ଼ି ଯାଇଥିବା ବେଳେ ଶୁଣିବାକୁ ମିଳୁଛି, ଅପରାଧୀମାନେ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ବିନା କାରଣରେ ଲୋକଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ ।