Thursday, March 28, 2024

Top 5 This Week

Related Posts

କାଶୀନଗର ନାଗରିକ ମହାସଭା ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୧୦) : କାଶୀନଗର ନାଗରିକ ମହାସଭା ପକ୍ଷରୁ ଗୁରୁବାର ଦିନ ବ୍ଲକ୍ ଓ ଏନ୍ ଏ ସି ପ୍ରଶାସନକୁ ଏକ ପ୍ରସ୍ତାବ ପତ୍ର ଦିଆ ଯାଇଛି ।

ମହାସଭା ସଭାପତି ପ୍ରଶାନ୍ତ ମିଶ୍ର ଉକ୍ତ ପତ୍ର ଜରିଆରେ ଜଣାଇଛନ୍ତି ଯେ, ଭାରତର ସମ୍ବିଧାନ ପୃଥିବୀର ବୃହତ୍ତମ ଲିଖିତ ସମ୍ବିଧାନ ଦେଶ ପରିଚାଳନାର ଏକ ଅନନ୍ୟ ଦଲିଲ । ଏହାର ପ୍ରସ୍ତାବନାରେ ସମ୍ବିଧାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାଷାରେ ଲେଖା ଯାଇଛି । ଏ ଭିତରେ ସ୍ୱାଧୀନତାପ୍ରାପ୍ତିର ୭୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ବି ଜନସାଧାରଣ, ନାଗରିକ, ଛାତ୍ରଛାତ୍ରୀ ସମ୍ବିଧାନ ସମ୍ପର୍କରେ ଯେତିକି ଜାଣିବା କଥା ସେତିକି ଜାଣି ନାହାନ୍ତି ବୋଲି କାଶୀନଗର ନାଗରିକ ମହାସଭା ଅନୁଭବ କରେ ।

ସେଥିପାଇଁ ସମ୍ଭବତଃ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଓ ସମ୍ବିଧାନ ଦ୍ୱାରା ନିର୍ଦ୍ଦେଶିତ ମୌଳିକ କର୍ତ୍ତବ୍ୟ ସମ୍ବନ୍ଧରେ ଦେଶବାସୀ ଆଜି ବି ଆଶାନୁରୂପକ ଭାବେ ସଚେତନ ହୋଇ ପାରି ନାହାନ୍ତି । ବୈଜ୍ଞାନିକ ମନୋଭାବର ବିକାଶ ନଘଟିବା ଯୋଗୁ ଅନ୍ଧବିଶ୍ବାସର ଅନ୍ଧକାର ଦେଶକୁ କବଳିତ କରି ରଖିଛି । ସମ୍ବିଧାନର ପ୍ରସ୍ତାବନାକୁ ଜନସାଧାରଣ, ବିଶେଷ କରି ଯୁବପିଢିର ନିକଟବର୍ତ୍ତୀ କରିବା ପାଇଁ ତେଣୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଛକସ୍ଥାନମାନଙ୍କରେ ଉଭୟ ଆଞ୍ଚଳିକ ଓ ଇଂରାଜୀ ଭାଷାରେ ଲେଖି ପ୍ରଦର୍ଶନର ବ୍ୟବସ୍ଥା କରାଯାଉ ।

ଏହାଦ୍ୱାରା ସମ୍ବିଧାନ ସମ୍ପର୍କିତ ସଚେତନତା ବୃଦ୍ଧି ପାଇବା ସହ ଜନସାଧାରଣ ନିଜ ମୌଳିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଅଧିକ ଜାଣିବା ପାଇଁ ସୁଯୋଗ ସୃଷ୍ଟି ହେବ । ଏନ୍ ଏ ସି ନିର୍ବାହୀ ଅଧିକାରୀ ଆଶିଷ କୁମାର ପ୍ରଧାନ ପ୍ରଦତ୍ତ ପ୍ରସ୍ତାବ ଅଭିନବ ଓ ଗୁରୁତ୍ୱପୂର୍ଣ ବୋଲି କହିବା ସହ ଆଗାମୀ କାଉନ୍ସିଲ ବୈଠକରେ ଏହା ଉପରେ ବିଚାର ଆଲୋଚନା କରି ଅନୁକୂଳ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବି ଡି ଓ କପିଳେଶ୍ୱର ତାଣ୍ଡି ପ୍ରସ୍ତାବ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ସେହିପରି ବି ଇ ଓ ଆଦିକନ୍ଦ ଗମାଙ୍ଗଙ୍କ କାର୍ଯ୍ୟାଳୟ ପକ୍ଷରୁ ବି ସମାନ ମତାମତ ମିଳିଛି । ପ୍ରସ୍ତାବ ସପକ୍ଷରେ ବୁଦ୍ଧିଜୀବୀମାନେ ବି ସକାରାତ୍ମକ ମତ ରଖିଛନ୍ତି ।

3 COMMENTS

Comments are closed.

Popular Articles