ଯୋଡ଼ା ଥାନା ବିଲେଇପଦାରେ ଯୁବକଙ୍କୁ ନିର୍ମମ ହତ୍ୟା

1
42
ଯୋଡ଼ା ଥାନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୭/୧୦) : କେନ୍ଦୁଝର ଜିଲ୍ଲା, ଯୋଡ଼ା ଥାନା ବିଲେଇପଦାରେ ଯୁବକଙ୍କୁ ନିର୍ମମ ହତ୍ୟା ।

ବିଲେଇପଦା ବଜାର ଠାରୁ ଅଳ୍ପ ଦୂରରେ ଥିବା ନାଳ ନିକଟ ବୁଦା ଭିତରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହେବାପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ବହୁ ସମୟ ପରେ ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିଛି । ମୃତକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା, ବାଦାମ ପାହାଡ଼ ଦଲକି ଅଞ୍ଚଳର ୩୯ ବର୍ଷୀୟ ଦୁର୍ଗା ପ୍ରସାଦ ନାଏକ । ସେ ବିଲେଇପଦାରେ ପରିବାର ସହିତ ରହି ଯୋଡ଼ାରେ ଜଣେ ବ୍ୟବସାୟୀଙ୍କ ପାଖରେ କାମ କରୁଥିଲେ । ଖବର ପାଇବା ପରେ ମୃତକଙ୍କ ପରିବାର ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ବଡ଼ବିଲ ଏସଡିପି ଓ ଏବଂ ଯୋଡ଼ା ଥାନା ଆଇଆଇସି ସ୍ଥିତି ଅନୁଧ୍ୟାନ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ଠାରୁ କିଛି ଦୂରରେ ରକ୍ତ ଭିଜା ୨ଟି ଛୁରୀ ଓ ପଥର ପଡ଼ି ରହିଥିଲା ବେଳେ, ପୋଲିସ ସେଗୁଡିକୁ ଜବତ୍ କରିଛି । ହତ୍ୟା କରିବାପରେ ମୃତ ଦେହକୁ କିଛିବାଟ ଘୋଷାରି ନେଇ ନାଳ ନିକଟରେ ଫିଙ୍ଗି ଦେଇଥିବା ଜଣାପଡୁଛି ।

ଆଜି ସକାଳୁ ସ୍ଥାନୀୟ କିଛି ପିଲା ଗାଈ ଚରାଇବାକୁ ଗଲାବେଳେ ପ୍ରଥମେ ମୃତ ଦେହକୁ ଦେଖିଥିଲେ । ଗତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଅନୁମାନ କରାଯାଉଛି । ସେପଟେ ମୃତକଙ୍କ ସ୍ତ୍ରୀ କହିଛନ୍ତି, ତାଙ୍କ ସ୍ଵାମୀ ଶନିବାର ଡିୟୁଟିକୁ ଯାଇ ଆଉ ଘରକୁ ଫେରି ନଥିଲେ । ତେବେ ଗତ ଜୁନ ମାସରେ ଏକ ହତ୍ୟା ଉଦ୍ୟମ ଘଟଣାରେ ଗୌତମ ଲୋହାର୍ ନାମକ ଯୁବକ ଅଭିଯୁକ୍ତ ରହିଥିଲାବେଳେ, ତାଙ୍କ ସ୍ଵାମୀ ଏହି ଘଟଣାରେ ସାକ୍ଷୀ ରହିଥିଲେ । ଗୌତମ, ଦୁର୍ଗା ପ୍ରସାଦ ସହ ଆପୋଷ ବୁଝାମଣା କରି କେସ୍ ରଫାଦଫା କରିବାକୁ ଚାହୁଁଥିଲା । ତେଣୁ ଏହି ହତ୍ୟାକାଣ୍ଡ ପଛରେ ଗୌତମର ହାତଥିବା ରୀନା ସନ୍ଦେହ କରିଛନ୍ତି ।

1 COMMENT

Comments are closed.