ଖଟିଆରେ ବୁହା ହେଳେ ଗର୍ଭବତୀ : ରାସ୍ତାରେ କଲେ ପ୍ରସବ

0
52
ଖଟିଆରେ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର , (୧୦/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଞ୍ଚାୟତର ଫବସିପାଲି ଗାଁ’ରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଁ’କୁ ରାସ୍ତା ନଥିବାରୁ ଖଟିଆରେ ବିଲ ହିଡ ଦେଇ ଜଣେ ପ୍ରସୂତି ମହିଳାଙ୍କୁ ଡାକ୍ତଖାନାକୁ ଅଣାଯାଉଥିଲା ।

ତେବେ ପ୍ରସବ ବେଦନା ସହି ନପାରି ବିଲ ହିଡରେ ମହିଳା ଜଣକ ପ୍ରସବ କରିଥିବା ସୂଚନା ମିଳିଛି । ଆଜି ଫବସିପାଲି ଗାଁ’ର ଫିରୋଜ ମିର୍ଦ୍ଧାଙ୍କ ପତ୍ନୀ ଗୋଲାପି ମିର୍ଦ୍ଧାଙ୍କ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ ଯୋଗେ ଜଣାଇଥିଲେ । ତେବେ ଗାଁ’କୁ ସବୁଦିନିଆ ରାସ୍ତା ନଥିବାରୁ ଗାଁ’କୁ ଅମ୍ବୁଲାନ୍ସ ଯାଇ ପାରି ନଥିଲା । ଫଳରେ ପରିବାର ଲୋକ ବିଲ ହିଡ ଦେଇ ପ୍ରାୟ ଦୁଇ କିଲୋମିଟର ଦୂର ଏକ ଖଟିଆ ଯୋଗେ ପ୍ରସୂତି ମହିଳାଙ୍କୁ ଆଣୁଥିଲେ । ହେଲେ ଅଧା ବାଟରେ ମହିଳା ଜଣକ ପ୍ରସବ ବେଦନା ବଢିବାରୁ ସେ ବିଲ ହିଡରେ ପ୍ରସବ କରିଥିଲେ ।

ଏହି ଗାଁ’କୁ ରାସ୍ତା ନଥିବାରୁ ଖରା ବର୍ଷା ଶୀତ ସବୁଦିନ ବିଲ ହିଡ ଦେଇ ଯାତାୟତ କରନ୍ତି ଗ୍ରାମବାସୀ । ଏନେଇ ବିଭିୁନ୍ନ ସମୟରେ ନେତା ମନ୍ତ୍ରୀଠୁ ଆରମ୍ଭ କରି ପ୍ରଶାସନକୁ ଜଣାଇଥିଲେ ହେଁ ରାସ୍ତା ଖଣ୍ଡେ ହୋଇ ପାରୁ ନାହିଁ । ଏ ନେଇ ପୁର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ଫଳ ଶୁନ୍ୟ ହୋଇଥିଲା । ଅବଶ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବ୍ଲକ ପ୍ରସାଶନ ତତ୍ପରତା ପ୍ରକାଶ କରି ରାସ୍ତା ପାଇଁ ଚେଷ୍ଟା କରିଥିବା ସୂଚନା ମିଳିଛି । ଏହି ଉପାନ୍ତ ବହଳପଦର ପଞ୍ଚାୟତର ଏହି ଫବସିପାଲି କୁ ରାସ୍ତା ନ ଥିବା ଫଳରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି ।