ଚିଳିଗୁଡା ଓ ଚିଲକପୁର ବାଲିଘାଟ ଏବେ ବାଲି ମାଫିଆଙ୍କ କବଜାରେ

0
43
ଚିଳିଗୁଡା ଓ ଚିଲକପୁର

ରିପୋର୍ଟ : ଦେବଦତ୍ତ ପଣ୍ଡା
ଜୁନାଗଡ଼, (୨୭/୦୯) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଓ ଚିଲକପୁର ବାଲିଘାଟ ଏବେ ବାଲି ମାଫିଆଙ୍କ କବଜାରେ ରହିଛି ।

ବାଲିଘାଟ ଲିଜ ହୋଇନଥିଲେ ସୁଦ୍ଧା ପ୍ରତିଦିନ ବେଆଇନ ଭାବେ ଟ୍ରାକ୍ଟର ଯୋଗେ ବାଲି ଉଠାଣ ହେଉ ଥିବା ଅଭିଯୋଗ ହେଉଛି । ବର୍ଷ ବର୍ଷ ଧରି ଏହି ବାଲିଘାଟ ଗୁଡିକରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିଲେ ସୁଦ୍ଧା ନା ରାଜସ୍ୱ ବିଭାଗ ନା ଲଘୁଖଣି ବିଭାଗ, କେହି ମଧ୍ୟ ଧରପଗଡ଼ କରୁନ ଥିବା ଦେଖା ଯାଉଛି । ବିଭାଗୀୟ ଅଧିକାରୀ ମାନେ ବିଧାୟକଙ୍କ ଅନୁଗତ ଓ ସରପଞ୍ଚ ସଂଘ ସଭାପତି ବୋଲି ସାତଖୁନ ମାଫ କରିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସ୍ଥିତ ହାତୀ ନଦୀର ବାଲିଘାଟ ରେ ପ୍ରତିଦିନ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଥିବା ଦେଖା ଯାଇ ଥାଏ ।

ଏହି ବାଲିକୁ ମୁଣ୍ଡରାଗୁଡା ସରପଞ୍ଚ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ଚାଲାଣ କରି ମୋଟା ରକମର ଅର୍ଥ ଉପାର୍ଜନ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯେହେତୁ ସରପଞ୍ଚ ଏକାଧାରରେ ବ୍ଲକ ସରପଞ୍ଚ ସଂଘ ସଭାପତି ଓ ଜୁନାଗଡ଼ ବିଧାୟକଙ୍କ ଏକାନ୍ତ ଅନୁଗତ ତେଣୁ ଅଧିକାରୀ ମାନେ ଧରପଗଡ଼ କରନ୍ତି ନାହିଁ ବୋଲି ଆଲୋଚନା ହେଉଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ହେଉଥିବା ବେଳେ ଏହି ଟଙ୍କା ମାଫିଆ ଓ ଆସାଧୁ କର୍ମଚାରୀ ମାନଙ୍କ ପକେଟ କୁ ଯାଉଥିବା ପ୍ରକାଶ । ସପଞ୍ଚଙ୍କ ପତିଆରା ଯୋଗୁଁ ଗ୍ରାମବାସୀ ବ୍ଲକ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ବିଧାୟକଙ୍କ ଆଶୀର୍ବାଦ ଯୋଗୁଁ ଫଳ ଶୁନ ହୋଇଥାଏ ବୋଲି ଚର୍ଚ୍ଚା ହେଉଛି ।

ଏହି ବାଲି ଚୋରାଚାଲାଣ ବର୍ଷ ବର୍ଷ ଧରି ଏଭଳି ଚାଲିଥିବା କୁହା ଯାଉଛି । ଚିଲଗୁଡାରେ ରାଜସ୍ୱ ନିରୀକ୍ଷକ ଥିଲେ ମଧ୍ୟ ନୋ ଏକସନ ନୋ ରିଏକସନ ମୁଡରେ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ସମସ୍ତ ଲଘୁଖଣି, ବାଲିଘାଟକୁ ରାଜସ୍ବ ବିଭାଗରୁ କାଢି ନେଇଥିବାରୁ ବାଲି ଚୋରାଚାଲାଣକୁ ରୋକିବାକୁ ଧରପଗଡ଼ କରୁନାହାନ୍ତି ତହସିଲଦାର । ଯାହା ଫଳରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ରାଜ୍ୟ ସରକାର ଚିଲଗୁଡା ବାଲିଘାଟ ରୁ ଚୋରାଚାଲାଣ କରୁଥିବା ସରପଞ୍ଚ ଓ ସେମାନଙ୍କ ସମର୍ଥକ ବିରୁଦ୍ଧ ରେ କେବେ କର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା । ଏନେଇ ଜୁନାଗଡ଼ ତହସିଲଦାରଙ୍କୁ ପଚାରିବାରୁ ବର୍ତ୍ତମାନ ବାଲି ଓ ଖଣି ସବୁ ଓଡ଼ିଶା ଖଣି ବିଭାଗ ଅଧିନକୁ ହସ୍ତାନ୍ତର କରାଯାଇ ଥିବା ବେଳେ ରାଜସ୍ବ ବିଭାଗ ତତଫରୁ କୌଣସି ପଦକ୍ଷେପ ନିଆ ଯାଇ ପାରିବ ନାହିଁ ବୋଲି ପ୍ରକାଶ କରିଥଲେ।