ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଇ ମାନବିକତା ଦେଖାଇଲେ ଜିଲ୍ଲା ସଂଯୋଜିକା

0
50
ଦୁର୍ଘଟଣାଗ୍ରସ୍ତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୯) : ରାସ୍ତାରେ ପଡି ଛଟପଟ ହେଉଥିବା ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜିକା ପ୍ରଜ୍ଞାପରିମିତା ଦାଶ ଉଦାହରଣ ସୃଷ୍ଟି କରିଛନ୍ତି ।

ଦୁର୍ଘଟଣାର ଶିକାର ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ସଂପର୍କୀୟଙ୍କୁ ଦେଖାକରି ଶୀଘ୍ର ଅଫିସ୍ କାର୍ଯ୍ୟରେ ଯୋଗ ଦେବା ପାଇଁ ତର ତର ହୋଇ ନିଜ ସ୍କୁଟିରେ ସେ ଘରୁ ବାହାରି ଥିଲେ । ତେବେ ବ୍ଲକ ଛକ ନିକଟରେ ପହଞ୍ଚିବା ପରେ ଜଣେ ମହିଳା ତଳେ ପଡି ଯାଇଥିବା ଦେଖିଲେ । ସେଠାରେ ଜିଲ୍ଲା ସଂଯୋଜିକା ମହିଳା ଜଣଙ୍କ ଦୁର୍ଘଟଣାର ଶିକାର ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଜାଣିବାକୁ ପାଇଲେ । ତୁରନ୍ତ ଉକ୍ତ ମହିଳାଙ୍କୁ ନିଜ ସ୍କୁଟିରେ ଡାକ୍ତରଖାନା ପହଞ୍ଚାଇ ଚିକିତ୍ସା କରାଇଥିଲେ । ଅନ୍ୟ ଜଣେ ଯୁବକଙ୍କ ସହାୟତାରେ ଉକ୍ତ ମହିଳାଙ୍କ ସ୍କୁଟିରେ ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କ ଭାଣିଜି ଏବଂ ପୁଅକୁ ମଧ୍ୟ ଡାକ୍ତରଖାନା ପଠାଇ ଥିଲେ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଜିଲ୍ଲା ସଂଯୋଜିକାଙ୍କ ଏଭଳି ମହତ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଶାନ୍ତିଲତା ହରିପାଳ ଖମ୍ବେଶ୍ବରୀପାଲିରୁ ନିଜ ଭାଣେଜି ଓ ପୁଅ ସହ ସୋନପୁରକୁ ନୂଆଁଖାଇ ହାଟ କରିବାକୁ ଆସିଥିଲେ । ବ୍ଲକ ଛକ ନିକଟରେ ତାଙ୍କ ସ୍କୁଟିକୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ସେମାନେ ତଳେ ପଡି ଯାଇଥିଲେ । ତେବେ ଦୁର୍ଘଟଣାଗ୍ରସ୍ତଙ୍କୁ ଶୀଘ୍ର ଡାକ୍ତରଖାନା ପହଞ୍ଚାଇଲେ ଜୀବନ ରକ୍ଷା ହୋଇଯାଏ । ତେଣୁ ସେମାନଙ୍କୁ ଡାକ୍ତରଖାନା ପଠାଇଲି ଏବଂ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବାରୁ ଏହା ମୋର ପ୍ରଥମ କର୍ତ୍ତବ୍ୟ ଭାବେ ବୋଲି ପ୍ରଜ୍ଞାପରିମିତା କହିଛନ୍ତି ।

ତେବେ ସମ୍ବଲପୁରରେ କାର୍ଯ୍ୟ କରୁଥିବା ବେଳେ ପ୍ରଜ୍ଞାପରିମିତା ନିଜର ଶରୀର ଦାନ ପାଇଁ ସମ୍ମତି ଦେଇଥିବା ସହ ଏକାଧିକ ବାର ରକ୍ତ ଦାନ କରିଛନ୍ତି । ଏହା ସହ ବହୁ ସାମାଜିକ କାମରେ ସେ ନିଜକୁ ଜଡିତ ରଖିଥିଲେ। ସମାଜ ସେବାରେ ନିଜକୁ ସମର୍ପିତ ରଖିଲେ ଖୁବ୍ ଆତ୍ମ ତୃପ୍ତି ମିଳିଥାଏ ବୋଲି ପ୍ରଜ୍ଞାପରିମିତା କହିଛନ୍ତି । ତାଙ୍କର ଏତାଦୃଶ କାର୍ଯ କୁ ଜନସାଧାରଣ ରେ ଖୁବ ପ୍ରଶଂସା କରାଯାଇଛି ।