ନାଟ୍ୟଚକ୍ର ପକ୍ଷରୁ ନାଟ୍ୟ ଶିକ୍ଷା ଅଭିଯାନ ଆରମ୍ଭ

0
52
ନାଟ୍ୟଚକ୍ର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୯) : ସୁବର୍ଣ୍ଣପୁର ଜିଲ୍ଲାର ଏକ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ଗୁରୁ ଦିବସ ଦିନଠାରୁ ଏକ ନିଆରା ପ୍ରୟାସ ଆରମ୍ଭ ହୋଇଛି ।

ସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିନୟ ଦକ୍ଷତା ବୃଦ୍ଧି ପାଇଁ ଅନୁଷ୍ଠାନ ପକ୍ଷରୁ ନାଟ୍ୟ ଶିକ୍ଷା ଅଭିଯାନ ଆରମ୍ଭ ହୋଇଛି । ଅଭିଯାନର ଶୁଭାରମ୍ଭ ଦିନ ଗୁରୁ ଦିବସ ଅବସରରେ ସାହାରା ଟ୍ରଷ୍ଟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ନାଟକ ‘ତସ୍ମୈଶ୍ରୀ ଗୁରବେ ନମଃ ନାଟକ’ ମଞ୍ଚସ୍ଥ ହୋଇଛି । ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ରଚିତ ନାଟକକୁ ମନୋଜ ବାରିକ ନିର୍ଦ୍ଦେଶନା ଦେଇଥିଲେ । ମାର୍ଚ୍ଚ ୨୭ ବିଶ୍ୱ ନାଟ୍ୟ ଦିବସ ଯାଏଁ ଏହି ଅଭିଯାନ ଜାରି ରହିବ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି ନାଟକ ପରିବେଷିତ ହେବ ବୋଲି ମନୋଜ କହିଛନ୍ତି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡଃ ଜ୍ୟୋତିରଞ୍ଜନ ବହିଦାର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନାଟ୍ୟକାର ଶ୍ୟାମାଓଁ ପ୍ରସାଦ ମିଶ୍ର ଏବଂ ସାହାରା ଟ୍ରଷ୍ଟ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ ପଣ୍ଡା ଯୋଗ ଦେଇଥିଲେ ।

ନାଟ୍ୟ ନିର୍ଦ୍ଦେଶକ ମନୋଜ ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଗୁରୁ ଦିବସ ଭଳି ଏକ ପବିତ୍ର ଦିନରେ ଏକ ନିଆରା ପ୍ରୟାସ ଆରମ୍ଭ ହୋଇଥିବାରୁ ଅତିଥି ମାନେ ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଜଣାଇ ଥିଲେ । ସାହାରା ସ୍କୁଲର ଛାତ୍ର ବୈଷ୍ଣବନନ୍ଦ ପଣ୍ଡା, ଅଭିଜିତ କର୍ଣ୍ଣ, ଶ୍ରୀକେଷ ସୁମନ ଯୋଶୀ, ଶ୍ରୀରାମ କୁମାର ବସ୍ତିଆ ଶିବାନନ୍ଦ ମେହେର, ଅଭିନାଶ ସାହୁ, ସ୍ୱୟଂପ୍ରକାଶ ସାହୁ, ସିପନ କର୍ଣ୍ଣ, ଅମରନାଥ ମିଶ୍ର, ଶୁଭ୍ରାଂଶୁ ଶେଖର ପ୍ରଧାନ, ପୀୟୂଷ ପୂଜାରୀ, ସ୍ୱରୂପ ସେଠ, ପ୍ରତୀକ କୁମାର ସାହୁ ଏବଂ ଈଶାନ ତ୍ରିପାଠୀ ଏହି ନାଟକରେ ଅଭିନୟ କରିଥିଲେ ।

ଶେଷରେ ନାଟ୍ୟକାର ଶ୍ୟାମାଓଁ ପ୍ରସାଦ ମିଶ୍ର ଏବଂ ସାମ୍ବାଦିକ ତଥା ଅଭିନେତା ଧରଣୀଧର ମିଶ୍ର ଏହି ନାଟକ ସଂପର୍କରେ ଆଲୋଚନା କରି ଛାତ୍ର ମାନଙ୍କର ଅଭିନୟକୁ ଭୂୟସୀ ପ୍ରଶଂସା କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।