Friday, March 29, 2024

Top 5 This Week

Related Posts

1. Big News : ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୬/୮) : ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା : ମଣିଷ ଜୀବନରେ ଅନେକ ସ୍ବପ୍ନ ଦେଖେ, କିନ୍ତୁ ସମାଜରେ ମୁଣ୍ଡଟେକି ବଞ୍ଚିବାକୁ ଖାଦ୍ୟ , ପୋଷାକ ଓ ବାସଗୃହ ଏହି ତିନୋଟିର ଆବଶ୍ୟକତା ରହିଛି ।

ଏଥିପାଇଁ ସରକାର ସମୟାନୁକ୍ରମେ ଅନେକ ଯୋଜନା ପ୍ରଣୟନ କରିବା ସହ ଗରିବ ଲୋକଙ୍କ ପାଇଁ ଅନେକ ସୁବିଧା କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଚିତ୍ର କିଛି ଅଲଗା । ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା । ତେଲିଆ ମୁଣ୍ଡରେ ତେଲ ଭଳି ଚାଲିଛି ସରକାରଙ୍କ ପକ୍କା ଘର ଯୋଜନା । ଯିଏ ହାତଗୁଞ୍ଜ। ଦେଇ ପାରିଲା ସିଏ ଯୋଜନା ରେ ସାମିଲ ହେଉଛନ୍ତି । ସେ ସରକାରଙ୍କ ଉଦାସୀନତା ହେଉ କି ଦାୟିତ୍ଵରେ ଥିବା ଅଧିକାରୀଙ୍କ ଆନ୍ତରିକତା ଅଭାବ ହେଉ ପ୍ରକୃତ ହିତାଧିକାରୀ ପକ୍କା ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହେଉଛି ।

ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା । ଦୁଃଖୀ , ଦରିଦ୍ର ଓ ନିରାଶ୍ରୟ ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ବାହାସ୍ଫଟ ମାରୁଥିବା ବେଳେ ଆଜି ବି ଲୋକେ ଛିଣ୍ଡା ପାଲ ତଳେ ଓ ଭଙ୍ଗା କୁଡ଼ିଆରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଯାହାକି ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି । ଏଭଳି ଏକ ହୃଦୟସ୍ପର୍ଶି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ବାଘଶଳା ପଞ୍ଚାୟତ ଅଧିନସ୍ଥ ଭାଲେରି କୁଡ଼ିଆ ଗ୍ରାମରେ । ଦିର୍ଘ ବର୍ଷ ହେଲା ଭାଲେରି କୁଡ଼ିଆ ଗ୍ରାମରେ ପତ୍ନୀ , ପୁଅ ଓ ଝିଅଙ୍କ ସହ ବାସ କରନ୍ତି ପିତବାସ ଶବର ।

ବାସ କହିଲେ ଝାଟିମାଟି କୁଡ଼ିଆ ଟିଏ । କୁଡିଆର ଅବସ୍ଥା ଯାହା ପଶୁ ମଧ୍ୟ ରଖିଲେ ରହିବ ନାହିଁ । କିନ୍ତୁ ଭାଗ୍ୟକୁ ଆଦରି ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ପିତବାସଙ୍କ ପରିବାର । ୨୦୧୮ ମସିହାରୁ ସରପଞ୍ଚ ଠାରୁ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଗୁହାରି କରିଛନ୍ତି ଘର ଖଣ୍ଡିଏ ପାଇଁ କିନ୍ତୁ ଆଜିଯାଏଁ ଘର ଖଣ୍ଡେ ମିଳି ପାରିଲା ନାହିଁ । ଗତ କାଳବୈଶାଖୀ ବର୍ଷା ଯୋଗୁଁ ଘରର ବାଡିପଟ କାନ୍ଥ ଭାଙ୍ଗି ଯାଇଥିଲା । ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସହାୟତା ମିଳିଲା ନାହିଁ । ଆଜି ଯାଏଁ ସେ ସ୍ଥାନରେ ପାଲ ଟଙ୍ଗା ହୋଇଥିବା ବେଳେ କାଲି ରାତି ପ୍ରାୟ ୩ଟା ବେଳେ ଘରର ପୂର୍ବ ପଟ କାନ୍ଥ ପଡ଼ିଯାଇଛି ।

ସୌଭାଗ୍ୟ ବସତ ଅଳ୍ପକେ ବର୍ତ୍ତି ଯାଇଥିଲେ ପିତବାସଙ୍କ ପରିବାର । ସେମାନେ ସେଇ ବଖରାରେ ଶୋଇଥିଲେ କିନ୍ତୁ କାନ୍ଥ ଟି ବାହାର ପଟକୁ ପଡିଯିବାରୁ ଏକ ଆସନ୍ନ ବିପଦରୁ ରକ୍ଷା ପାଇଛନ୍ତି ପିତବାସଙ୍କ ପରିବାର । ଏ ସମ୍ପର୍କରେ ସେ ସରପଞ୍ଚ , ବ୍ଲକ ଅଧିକାରୀ , ଆର ଆଇ ସମସ୍ତଙ୍କୁ ଜଣାଇଥିବା କହିଛନ୍ତି । ଆମେ ମଧ୍ୟ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକଙ୍କୁ ଏ ସମ୍ପର୍କରେ ଜଣାଇଥିଲୁ , ସେ ସରକାରଙ୍କ ନିୟମ ଅନୁସାରେ ଯାହା ହୋଇପାରିବ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା । ଏହି ଦୃଶ୍ୟ ଆମେ ଦେଖାଇବାର ମୂଖ୍ୟ କାରଣ ହେଲା ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ନିଦ ଯଦି ଭାଙ୍ଗି ଯାଆନ୍ତା ତେବେ ଏଭଳି ଅସହାୟ ପିତବାସଙ୍କ ପରି ଆହୁରି ଅନେକ ଲୋକ ସରକାରଙ୍କ ଯୋଜନା ଅନୁସାରେ ଘର ଖଣ୍ଡେ ପାଇ ପାରନ୍ତେ । ଫଳରେ ବାକି ଜୀବନ ଖରା ବର୍ଷାରୁ ରକ୍ଷା ପାଇ ପାରନ୍ତେ । ତେବେ ଏଠାରେ ପ୍ରଶ୍ନ ଉଠେ ଯେ , ଏ ଗରିବ ଖଟିଖିଆ ମାନେ ଦେଖୁଥିବା ପକ୍କା ଘର ସ୍ବପ୍ନ , ସ୍ବପ୍ନରେ ରହି ଯିବନି ତ ?

Popular Articles