Friday, March 29, 2024

Top 5 This Week

Related Posts

1. Big News : ପାତାଳୀ ଶ୍ରୀକ୍ଷେତ୍ରକୁ ନେଇ ପୁଣି ବିବାଦ ଆରମ୍ଭ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୪/୮) : ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରର ପ୍ରକୃତ ସ୍ଥାନ ନିରୁପଣ ପାଇଁ ଜିଲ୍ଲାର ତ୍ରୀକୁଟ କ୍ଷେତ୍ର ସୁରକ୍ଷା ଓ ବିକାଶ ପରିଷଦ ଜିଲ୍ଲା ପ୍ରଶାସନ ପାଖରେ ଅତୀତର ଦାବିକୁ ପୁଣି ଦୋହରାଇଛି ।

ପାତାଳୀ ଶ୍ରୀକ୍ଷେତ୍ରର ତ୍ରୀକୂଟ କନ୍ଦରରେ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ପାଇଁ ତ୍ରୀକୂଟ କ୍ଷେତ୍ର ବିକାଶ ପରିଷଦ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ବିଭାଗ ପାଖରେ ଦାବି ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ତୁରନ୍ତ ପାତାଳୀ ଶ୍ରୀକ୍ଷେତ୍ରର ପ୍ରକୃତ ସ୍ଥାନ ନିରୂପଣ ପାଇଁ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ କରିବାକୁ ଗତ ତାରିଖ-୨୯ /୦୫ /୨୦୧୫ ରେ ଜଣାଇଥିଲେ । ହେଲେ ଆଜକୁ ପ୍ରାୟ ଆଠ ବର୍ଷ ରୁ ଉର୍ଦ୍ଧ୍ୱ ହେଲା ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ନ କରି ନୀରବ ହୋଇ ରହିଥିବା ଅଭିଯୋଗ ହେଉଛି ।

ତ୍ରୀକୂଟ କ୍ଷେତ୍ର ସୁରକ୍ଷା ଓ ବିକାଶ ପରିଷଦ ପକ୍ଷରୁ ମଧ୍ୟ ଆର ଟି ଆଇ ମାଧ୍ୟମରେ ଜିଲ୍ଲାର କେଉଁ ସ୍ଥାନକୁ ପାତାଳୀ ଶ୍ରୀକ୍ଷେତ୍ର ର ମାନ୍ୟତା ପ୍ରଦାନ କରିଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ, ପ୍ରତ୍ନତାତ୍ତ୍ବିକ ବିଭାଗ ଓ ଶ୍ରୀ ମନ୍ଦିର ପ୍ରଶାସନକୁ ଉତ୍ତର ମାଗିଥିଲେ । ହେଲେ ସବୁ ବିଭାଗ କୌଣସି ସ୍ଥାନକୁ ବି ପାତାଳୀ ଶ୍ରୀକ୍ଷେତ୍ରର ମାନ୍ୟତା ପ୍ରଦାନ କରି ନ ଥିବା ନିଜ ନିଜ ଉତ୍ତରରେ ସ୍ପଷ୍ଟ କରିଛନ୍ତି । ତେବେ ଜିଲ୍ଲାର ବାଘପାଲି ପାର୍ଶ୍ବରେ ଥିବା ତ୍ରୀକୂଟ କନ୍ଦର ପ୍ରକୃତ ପାତାଳୀ କ୍ଷେତ୍ର ଓ ଏହାର ସୁରକ୍ଷା ଓ ବିକାଶ କରିବା ପାଇଁ ତ୍ରୀକୂଟ କ୍ଷେତ୍ର ସୁରକ୍ଷା ଓ ବିକାଶ ପରିଷଦ ଦାବି କରି ଆସୁଛି ।

ଏପରିକି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ,ଶ୍ରୀମନ୍ଦିର ପ୍ରଶାସନ ପାଖରେ ତ୍ରୀକୂଟ କନ୍ଦରର ଐତିହାସିକ ପ୍ରମାଣ ଉପସ୍ଥାପନ କରି ଏହି ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ଅନେକବାର ଦାବି କରିବା ସହିତ ଆନ୍ଦୋଳନ ମଧ୍ୟ କରିଛି । ହେଲେ ଏବେ ଜିଲ୍ଲାର କୋଟ ସମଲାଇର ଛଳିଆ ପାହାଡରେ ଶ୍ରୀମନ୍ଦିର ପ୍ରଦତ୍ତ ଚତୁର୍ଦ୍ଧା ବିଗ୍ରହ ପୂଜା ପାଉଥିବା ବେଳେ କୋଟସମଲାଇ ଅଞ୍ଚଳରେ କୋଟି କୋଟି ଟଂକାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଅଭିଯୋଗ କରିଛି ।

ତେବେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପୀଠ ବିବାଦ ଘେରରେ ରହିଥିବା ବେଳେ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ପରେ ହିଁ ଏହାର ସମାଧାନ ରହିଛି ବୋଲି ତ୍ରୀକୂଟ କ୍ଷେତ୍ର ସୁରକ୍ଷା ଓ ବିକାଶ ପରିଷଦ ଟ୍ରଷ୍ଟର ସଭାପତି କହିଛନ୍ତି । ସହରର ମାରୱାଡି ଧର୍ମଶାଳାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ନ କରି ବିକାଶ କାର୍ଯ୍ୟ ଜାରି ରହିବ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ହୁଏ ତେବେ ପ୍ରଶାସନ ଦାୟୀ ରହିବ ବୋଲି ପ୍ରକାଶ କରିଛନ୍ତି l

Popular Articles