1. Best News : ପାରଳା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

0
98
ପାରଳା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୮) : ପାରଳା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ର ପ୍ରାର୍ଥୀ ଘୋଷଣା : –  ଆଗାମୀ ବିଧାନସଭା ନିର୍ବାଚନ ଓ ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ କମ୍ ସମୟ ବାକିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ପ୍ରାର୍ଥୀ ଚୟନ , ରଣକୌଶଳ ନିର୍ଦ୍ଧାରଣକୁ ନେଇ ଦଳଗୁଡିକ ଚର୍ଚ୍ଚା ଓ ମାନସମନ୍ଥନ ଜାରି ରଖିଛନ୍ତି । ତେବେ ଏ କ୍ଷେତ୍ରରେ କଂଗ୍ରେସ ଆଗୁଆ ରହିଛି ବୋଲି ମତ ପ୍ରକାଶ ପାଇଛି । କାରଣ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରା ଯାଇଛି ଯେ , ଅବସରପ୍ରାପ୍ତ ଆଇ ଏ ଏସ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପାରଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ଵନ୍ଦିତା କରିବେ । ବର୍ତ୍ତମାନ ସେ କଂଗ୍ରେସର ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଅଛନ୍ତି ଓ ବାରମ୍ବାର ଦକ୍ଷିଣ ଓଡିଶା ଗସ୍ତ କରି ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଶ୍ରୀ ପଟ୍ଟନାୟକ ବି ଅସ୍ଵୀକାର କି ଖଣ୍ଡନ କରି ନାହାନ୍ତି ପାରଳାଖେମୁଣ୍ଡିରୁ ସେ ପ୍ରାର୍ଥୀ ହେବା ସମ୍ଭାବନାକୁ ଗତ ୧୮ ତାରିଖ ଦିନ କାଶୀନଗର ଗସ୍ତ ଅବସରରେ ଗଣମାଧ୍ୟମକୁ କହିଛନ୍ତି ଯେ, ପୂର୍ବରୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କଂଗ୍ରେସର ଦୁର୍ଗ ଥିଲା । ଦିବଂଗତ କଂଗ୍ରେସ ନେତା ତ୍ରିନାଥ ସାହୁ ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ରୂପେ ଲଢ଼ି ଏକାଧିକ ବାର ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ କଂଗ୍ରେସ ପ୍ରାର୍ଥୀ ସୁରୀୟା ରାଓଙ୍କୁ ବି ଏଠାରୁ ସଫଳତା ମିଳିଥିଲା ।

ତେଣୁ ପାରଳାଖେମୁଣ୍ଡିରେ କଂଗ୍ରେସର ଦୁର୍ଗ ଭାଙ୍ଗି ଯାଇଛି ବୋଲି କେହି ଭାବିବା ଉଚିତ ନୁହେ । ବର୍ତ୍ତମାନ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ଭିତରେ ନିର୍ବାଚନ ଲଢ଼ି ଦଳକୁ ବିଜୟର ମୁକୁଟ ପିନ୍ଧାଇବା ପାଇଁ ପୂର୍ବାପେକ୍ଷା ଅଧିକ ଆଗ୍ରହ ଓ ଉତ୍ସାହ ରହିଛି । ଭୋଟର ଓ ଜନସାଧାରଣ ବି ପରିବର୍ତ୍ତନ ଚାହୁଁଛନ୍ତି । ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ବିପନ୍ନ ହୋଇ ପଡିଥିବା ବେଳେ ଏ ପରିବର୍ତ୍ତନ ଜରୁରୀ ଓ କଂଗ୍ରେସ କେବଳ ଏ ପରିବର୍ତ୍ତନକୁ ସାକାର କରି ପାରିବ ।