1. Best News : ବୟନ ମନ୍ତ୍ରୀଙ୍କ ସହ ସାକ୍ଷାତ : ଓଡିଶାର ବୁଣାକାର ମାନଙ୍କ ପାଇଁ ସରୁ ସୂତା ସକାଶେ ଏକ ସୂତାକଳ ଦାବି

0
52
ବୟନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୫/୮) : ସମଗ୍ର ଓଡିଶା ବିଶେଷତଃ ପଶ୍ଚିମ ଓଡିଶାର କୁଶଳୀ ବୁଣାକାର ମାନଙ୍କ ହାତକୁ କଞ୍ଚାମାଲ ସରୁ ସୂତା ଯୋଗାଇ ଦେବା ନିମନ୍ତେ ବୁଣାକାର ବହୁଳ ସୁବର୍ଣ୍ଣପୁର ଠାରେ ଏକ ନୂତନ ସୂତାକଳ ସ୍ଥାପନ ପାଇଁ ଆଜି ସ୍ବାଧୀନତା ଦିବସରେ ମାନ୍ୟବର ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କୁ ସୁବର୍ଣ୍ଣପୁର ଠାରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ତଥା ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ବୟନ ମନ୍ତ୍ରୀଙ୍କ ସହ ସାକ୍ଷାତ: ସଂଘର ସଭାପତି ଗୋରେଖନାଥ ସାହୁ ଏବଂ ସଂପାଦକ ବ୍ୟୋମକେଶ ଦାଶ ସୁବର୍ଣ୍ଣପୁର ସର୍କିଟ ହାଉସଠାରେ ମାନ୍ୟବର ମନ୍ତ୍ରୀଙ୍କୁ ଏହି ସ୍ମାରକ ପତ୍ର ପ୍ରଦାନ କରିବା ସହ ସଂସ୍କୃତି ସଂପର୍କୀତ କେତେକ ପୁସ୍ତକ ଓ ସ୍ମରଣିକା ଉପହାର ଦେଇଥିଲେ । ପ୍ରକାଶ ଥାଉ କି ସୋନପୁର ସୂତାକଳରୁ କେବଳ ମୋଟା ୨୦ ରୁ ୬୦ କାଉଣ୍ଟ ପର୍ଯ୍ୟନ୍ତ ସୂତା ଉତ୍ପାଦନ ହେଉଥିଲା ଯାହା ସ୍ଥାନୀୟ ବୁଣାକାରମାନଙ୍କ ଚାହିଦା ପୁରଣ କରିପାରୁ ନ ଥିଲା । ଏ ଅଞ୍ଚଳର ବୁଣାକାରମାନେ ୧୦୦ କିମ୍ବା ତଦୁର୍ଦ୍ଧ କାଉଣ୍ଟର ସୂତା ବ୍ୟବହାର କରୁଥିବାରୁ ସେଥିପାଇଁ ସେମାନଙ୍କୁ ଓଡିଶା ବାହର ସୂତା ଉପରେ ନିର୍ଭର କରିବାକୁ ପଡୁଛି ।

ଏହାଦ୍ବାରା ସେମାନଙ୍କର ଧନହାନି ଓ ପ୍ରାଣପୀଡା ହେଉଛି । ତେଣୁ ସୁବର୍ଣ୍ଣପୁର ଠାରେ ସରୁ ସୂତା ଉତ୍ପାଦନ ସକାଶେ ଏକ ସୂତାକଳ ପ୍ରତିଷ୍ଠା ଏକାନ୍ତ ଜରୁରୀ ହୋଇ ପଡିଛି ବୋଲି ଶ୍ରୀ ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏ ସଂପର୍କରେ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ସଚିବଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ ସକାଶେ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ସମ୍ମତି ପ୍ରଦାନ କରିଥିବା କଥା ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।